ବିଭିନ୍ନ ସଂସ୍ଥାରେ ୧୪୫ ଜଣ ଦିବ୍ୟାଙ୍ଗଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ମେଳା ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର, ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱରସ୍ଥିତ ଡକ୍ଟର ରେଡ୍ଡିଜ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା। ଖଣ୍ଡଗିରି ଗଣ୍ଡମୁଣ୍ଡାସ୍ଥିତ ଏନସିଏସସିଡିଏର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ରିଲାଏନ୍ସ ସିକ୍ୟୁରିଟିଜ୍ ଲିମିଟେଡ, ଲେମନ୍ ଟ୍ରି ହୋଟେଲ୍ସ, ବିପିଓ କନଭର୍ଜେନ୍ସ, ପାରାମିଟର ସଫ୍ଟୱେର ପ୍ରାଇଭେଟ୍ ଲିମିଟେଡ୍, ତତ୍ତ୍ବ ଟେକ୍ନୋଲୋଜି ଲିମିଟେଡ୍ ଆଦି ୧୩ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। ନିଯୁକ୍ତି ମେଳାରେ ବାକ୍ଶକ୍ତି ଓ ଶ୍ରବଣଶକ୍ତି ବାଧିତ, ଚାଲିବାକୁ ଅକ୍ଷମ ଦିବ୍ୟାଙ୍ଗମାନେ ସାକ୍ଷାତକାର ଦେଇଥିଲେ। ଶିବିରରେ ୧୮ରୁ ୩୫ ବର୍ଷ ବୟସ୍କ ମୋଟ୍୧୬୮ ଜଣ ଦିବ୍ୟାଙ୍ଗ ପ୍ରାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ୧୪୫ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ଚୟନ କରାଯାଇଥିଲା । ନିଯୁକ୍ତି ମେଳାରେ ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତ ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏପରି ନିଯୁକ୍ତି ମେଳା ବର୍ତ୍ତମାନ ସମୟର ଆବଶ୍ୟକତା ଏବଂ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏଭଳି ଶିବିର ଆୟୋଜନ କରାଯିବା ଉଚିତ୍ । ଭୁବନେଶ୍ୱର ଏନସିଏସସିଡିଏର ଅତିରିକ୍ତ ନିର୍ଦ୍ଦେଶକ (ନିଯୁକ୍ତି) ସୁଜିତ କୁମାର ସାହୁ, ମନସ୍ତତ୍ତ୍ବବିତ୍ ସୋନାଲିକା ସୁମନଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଭୁବନେଶ୍ୱରସ୍ଥିତ ଡକ୍ଟର ରେଡିଜ୍ ଫାଉଣ୍ଡେସନର ଅମିତ କୁମାର ଦାଶ, ଖୋର୍ଦ୍ଧା ଜିଲ୍ଲା ନେହରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାରଙ୍କ ସମେତ ସ୍ଵେଚ୍ଛାସେବୀମାନେ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲେ। ଶେଷରେ ଅତିରିକ୍ତ ନିର୍ଦ୍ଦେଶକ ସାହୁ ଶିବିରରେ ଯୋଗ ଦେଇଥିବା ସମସ୍ତ ନିଯୁକ୍ତିଦାତାମାନଙ୍କୁ ପ୍ରମାଣପତ୍ର ବାଣ୍ଟିଥିଲେ ଏବଂ ଶିବିରରେ ଅଂଶଗ୍ରହଣ କରିବା ଲାଗି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ