ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ବେତନଟୀ ମିଡ଼ିଆ ଏସୋସିଏସନ
ବେତନଟୀ,(ଉଦିତ କୁମାର ପରିଡା):ଦୀର୍ଘ ଦିନଧରି ବେତନଟୀ ଅଞ୍ଚଳର ବିଭିନ୍ନ ସମସ୍ୟା ରହିଥିବା ବେଳେ ଏହାର ସମାଧାନ ପାଇଁ ସୋମବାର ଦିନ ବେତନଟୀ ବ୍ଲକ ମିଡ଼ିଆ ଏସୋସିଏସନ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ସାକ୍ଷାତ କରିଛନ୍ତି। ଜିଲ୍ଲାପାଳ ମଧ୍ୟ ପ୍ରତ୍ୟେକ ସମସ୍ୟାକୁ ଶୁଣିବା ପରେ ତାର କିଭଳି ସମାଧାନ ହୋଇପାରିବ ଓ ପରବର୍ତ୍ତୀ ସମୟରେ କିପରି ଉନ୍ନତିକରଣ ହୋଇପାରିବ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ବିଭିନ୍ନ ଅଭିଯୋଗ ମଧ୍ୟରୁ ମିଡ଼ିଆ ଏସୋସିଏସନ ପ୍ରଥମ ଅଭିଯୋଗ ରହିଥିଲା ଯେ ବେତନଟୀ ବ୍ଲକର ତିନି ବର୍ଷ ମଧ୍ୟରେ ପାଞ୍ଚ ବିଡ଼ିଓଙ୍କ ବଦଳି ହୋଇଥିବା ବେଳେ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ତିନି ବର୍ଷ ପୂରଣ ହୋଇଥିଲେ ମଧ୍ୟ ତାଙ୍କର ବଦଳି ଆଦେଶ ହୋଇନଥିବାରୁ ବଦଳି ପାଇଁ ଦାବି କରାଯାଇଥିଲା । ଏହି ଯନ୍ତ୍ରୀଙ୍କ ନାମରେ ୨୪ ପଞ୍ଚାୟତର ବିଭିନ୍ନ ଅଭିଯୋଗ ଥିବା ସହିତ ଗଡ଼ଦେଉଳିଆ ପଞ୍ଚାୟତରେ କାମ କରାନଯାଇ ବିଲ କରାଯାଇଥିବାର ଘଟଣାରେ ଟଙ୍କା ଫେରସ୍ତ ପାଇଁ ସହକାରୀ ଯନ୍ତ୍ରୀଙ୍କୁ ଆଦେଶ ହୋଇଛି। ଏହି ଘଟଣାରେ ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ଅବମାନନା କରାଯାଇ ଏହି ଟଙ୍କା ଫେରସ୍ତ କରିନଥିବା ଅଭିଯୋଗ ରହିଛି। ସେହିଭଳି ବ୍ଲକର ୨୪ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ପାଇଁ ସ୍ଥାନୀୟ ଲୋକଙ୍କ ଡହଳ ବିକଳର ସମସ୍ୟା ରହିଥିବା ବେଳେ ବେତନଟୀ ପଞ୍ଚାୟତ, ସଠିଲୋ ପଞ୍ଚାୟତ ତଥା ବେତନଟୀ ବ୍ଲକ ହେଡ଼ କ୍ୱାଟରରେ ମହୁଲିଆ ଗ୍ରାମ, ଆମ୍ଭଯୋଡ଼ା, ଭୁଡୁରୁ ବଣି, ଗରୁଡ଼ବସା ଗ୍ରାମରେ ପାନୀୟଜଳ ସମସ୍ୟା ରହିଛି। ଏଠାରେ ନିର୍ମାଣଧୀନ ନୂତନ ପ୍ରକଳ୍ପ ନିର୍ମାଣ ସାରିବା ପରେ ଠିକାଦାରଙ୍କ ଦ୍ୱାରା ପଞ୍ଚାୟତକୁ ହସ୍ତାନ୍ତର ସରିଛି। ହସ୍ତାନ୍ତର ସରିବାର ୧୦ମାସ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପରୁ ପାଣି ବାହାରୁ ନଥିବାର ଗ୍ରାମବାସୀଙ୍କ ଅଭିଯୋଗ ରହିଛି। ମିଡ଼ିଆ ଆସୋସିଏସନ ପକ୍ଷରୁ ଗ୍ରାମପଂଚାୟତ ଅଧିକାରୀ କନିଷ୍ଠ ଯନ୍ତ୍ରୀ ଓ ବିଡ଼ିଓକୁ ଅଭିଯୋଗ କରିବା ପରେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି। ଅନ୍ୟ ପକ୍ଷରେ ବେତନଟୀ ବ୍ଲକର ବୁଢାବଳଙ୍ଗ ଓ ବାଉଁଶ ନଦୀର ପ୍ରତି ବର୍ଷ ପର୍ଯ୍ୟପ୍ତ ବାଲି ରହୁଥିବା ବେଳେ ଚୋରି ରୋକିବା ପାଇଁ ନିଲାମ ଘାଟ ସଂଖ୍ୟା ବଢାଇବା ଓ ଯେଉଁ ସମୟରେ ନିଲାମ ବାଲି ଖାଦାନ ବନ୍ଦ ରହୁଛି ସେହି ସମୟରେ ବେତନଟୀ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସଗୃହ ଓ ବ୍ୟକ୍ତିଗତ ଭାବେ ନିଜସ୍ୱ ଗୃହ ନିର୍ମାଣ ଲାଗି ବାଲି ଉଠାଣ ପାଇଁ ପ୍ରଶାସନ ବିକଳ୍ପ ରାସ୍ତା ଆଣିବାପାଇଁ ଜିଲ୍ଲାପାଳଙ୍କ ଠାରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅନ୍ୟ ପକ୍ଷରେ ଏହି ବ୍ଲକ ଅଧୀନ ପାଟୁଳିପୁରା ପଞ୍ଚାୟତରେ ଅନୁମତି ନଥିବା ପାଞ୍ଚଟି ନାଲି ଇଟା ଭାଟି ଚାଲିଥିବାର ସ୍ଥାନୀୟ ବସ୍ତି ବାସିନ୍ଦାଙ୍କ ଅଭିଯୋଗ ରହିଛି। ଏହି ଇଟା ଭାଟି ଗୁଡିକ ଜନ ବସତି ନିକଟବର୍ତ୍ତୀ ଓ ରାସ୍ତା ପାର୍ଶ୍ୱରେ ଥିବାରୁ ପରିବେଶକୁ ପ୍ରଦୂଷଣ କରୁଥିବାରୁ ଏହାର ନିରାକରଣ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ସେହିଭଳି ବେତନଟୀ ବ୍ଲକର ଧାନ ମଣ୍ଡି ଗୁଡିକରେ ଧାନର ମାନ ଠିକ ନଥିବା ଦର୍ଶାଇ କୁଇଣ୍ଟାଲ ପ୍ରତି ୫କିଲୋରୁ ୧୫କିଲୋ ପର୍ଯ୍ୟନ୍ତ ଧାନ କଟାଯାଇଥିବାରୁ ଚାଷୀଙ୍କ ଅସନ୍ତୋଷ ରହିଛି। ଏହି ଚାଷୀମାନଙ୍କୁ ମଣ୍ଡିରେ ଥିବା ବିଭିନ୍ନ କର୍ମଚାରୀ ଓ ଦଲାଲମାନେ ଭୟଭୀତ କରାଇ ଧାନ କାଟୁଥିବାର ଜଣାପଡିଛି, ଏହାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବେତନଟୀ ବ୍ଲକ ମେଡ଼ିଆ ଆସୋସିଏସନ ଦାବି ଉପସ୍ଥାପନା କରିଛି। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ବେତନଟୀ ମିଡ଼ିଆ ଏସୋସିଏସନର ସାମ୍ବାଦିକ ଧରଣୀଧର ମହାନ୍ତି, ରାଜେଶ ଖଣ୍ଡେଲୱାଲ, ଭବାନୀ ଶଙ୍କର ପରିଡା, ମନରଞ୍ଜନ ବେହେରା, ହରିଶଚନ୍ଦ୍ର ସାମଲ, ଉଦିତ କୁମାର ପରିଡା ଉପସ୍ଥିତ ରହିଥିଲେ।