ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ମୁକାବିଲା ମକଡ୍ରିଲ
ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହାୟତାରେ ପ୍ରତିବର୍ଷ ଭଳି ଜୁନ ୧୯ ତାରିଖରେ ସମଗ୍ର ରାଜ୍ୟରେ ଅନୁଷ୍ଠିତ ହୋଇଛି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମ୍ପର୍କିତ ମକଡ୍ରିଲ । ଅନୁରୂପ ଭାବେ ବାଲେଶ୍ୱର ଜିଲାରେ ଜନସାଧାରଣଙ୍କ ମଧ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ରବିବାର ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ବାଙ୍କେଶ୍ୱର ଗ୍ରାମ ବହୁମୁଖୀ ବାତ୍ୟାଶ୍ରୟ ସ୍ଥଳରେ ଜିଲାସ୍ତରୀୟ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗ ଦେଇଥିଲେ । ଅଗ୍ନିଶମ ଓ ଡଟ୍ରାଫ ବିଭାଗ କର୍ମଚାରୀଙ୍କ ପକ୍ଷରୁ ବିପର୍ଯ୍ୟୟ ମୁକାବିଲାର କଳା କୌଶଳକୁ ସେ ପ୍ରଶଂସା କରିଥିଲେ । ବିପର୍ଯ୍ୟୟ ବେଳେ ନିଜେ ସୁରକ୍ଷିତ ରହିବା ଓ ଅନ୍ୟକୁ ସୁରକ୍ଷିତ ରଖିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲାପାଳ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କବକଅବ, ଜିଲା ପ୍ରକଳ୍ପ ଅଧିକାରୀ ନିମାଇ ଦାସ, ସଂଯୋଜକ ପ୍ରଦୀପ କୁମାର ପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ମକଡ୍ରିଲ ପରିଚାଳନା ଅନୁଧ୍ୟାନ କରିଥିଲେ । ବିଶେଷ କରି ବିପର୍ଯ୍ୟୟ ପୂର୍ବରୁ କିଭଳି ପ୍ରସ୍ତୁତ ରହିବା, ବିପର୍ଯ୍ୟୟ ସମୟରେ କେମିତି ଉଦ୍ଧାର କରାଯାଇ ପାରିବ ଓ ବିପର୍ଯ୍ୟୟ ପରେ ସ୍ୱାଭାବିକ ସ୍ଥିତି ସୃଷ୍ଟି ପାଇଁ ପ୍ରତିବର୍ଷ ଏହିଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି ।