ବିଭୁ ସାହୁ ହତ୍ୟା ଘଟଣାରେ ମୁଖ୍ୟ ଆସାମୀ ସମେତ ୬ ଗିରଫ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ବହୁ ଚର୍ଚ୍ଚିତ ମାର୍ଶାଘାଇ ବିଭୁ ସାହୁ ହତ୍ୟା ମାମଲାର ମୁଖ୍ୟ ଆସାମୀ ସମେତ ୬ଗିରଫ ଓ ସେହି ଘଟଣାରେ ବ୍ୟବହୃତ ୨ଟି କାର, ୩ଟି ବାଇକ, ୫ଟି ମୋବାଇଲ ଫୋନ ଓ ଦୁଇଟି କୋଦାଳ ବେଣ୍ଟ ଜବତ କରିଛି ପୋଲିସ । ସୋମବାର ଅପରାହ୍ନରେ ଏସମ୍ପର୍କରେ ମାର୍ଶାଘାଇ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର ଏସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଗତ ମଇମାସ ୩୧ତାରିଖରେ ମାର୍ଶାଘାଇ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ସ୍ୱର୍ଗତ ଦୁର୍ଯ୍ୟୋଧନ ସାହୁଙ୍କ ପୁଅ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ଓରଫ ପ୍ରତାପ ସାହୁକୁ ଅପହରଣ କରାଯାଇଥରବା ନେଇ ତା’ର ପତ୍ନୀ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ମାର୍ଶାଘାଇ ଥାନା କେଶ ନମ୍ବର- ୩୩୬/୨୦୨୩ରେ ଆଇ.ପି.ସି.ର ୩୬୪,୩୬୫ ଓ ୩୪ ଦଫାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ବିଭୁର ମୃତ ଦେହ ମିଳିବା ପରେ ଓ ତା’ର ପତ୍ନୀ ଶବକୁ ଚିହ୍ନଟ କରିବା ପରେ ଏହି ମାମଲା ଆଇ.ପି.ସି.ର ଧାରା ୧୨୦(କ), ୩୦୨, ୨୦୧ ସମେତ ଆର୍ମସ ଆକ୍ଟର ଧାରା ୨୫ ଓ ୨୭କୁ ବଦଳି ଯାଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଆରକ୍ଷୀ ଅଧିକ୍ଷକ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ସେହି ଟିମ ତଦନ୍ତ ଆରମ୍ଭ କରି ଏହି ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ପୁରୀ ଜିଲ୍ଲାର ଗୋପ ଥାନା ଅନ୍ତର୍ଗତ ବଣଗାଁ ଗ୍ରାମର ସ୍ୱର୍ଗତ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ପୁଅ ମାଷ୍ଟର ଓରଫ ଅମିତ ପ୍ରଧାନ(୩୬)କୁ ଗିରଫ କରି ତାକୁ ପଚରାଉଚୁରା କରିବା ପରେ ମାର୍ଶାଘାଇ ଥାନା ଅନ୍ତର୍ଗତ ବଡକୂଳ ଗ୍ରାମର ସ୍ୱର୍ଗତ ସଚ୍ଚିଦାନନ୍ଦ ଲେଙ୍କାଙ୍କ ପୁଅ ରାଜା ଓରଫ ରାଜକିଶୋର ଲେଙ୍କା(୨୪), ପାଟକୁରା ଥାନା ଅନ୍ତର୍ଗତ ତାଳସଙ୍ଗା ଗ୍ରାମର ଚକ୍ରଧର ବେହେରାଙ୍କ ପୁଅ ବୁବୁ ଓରଫ ଶୁଭକାନ୍ତ ବେହେରା(୩୧), ସେହି ଗ୍ରାମର ସ୍ୱର୍ଗତ ଶଙ୍କର୍ଷଣ ବେହେରାଙ୍କ ପୁଅ କଣ୍ଟା ଓରଫ କମଳାକାନ୍ତ ବେହେରା(୩୬), ଏହି ଘଟଣାରେ ବ୍ୟବହୃତ ଚେଭ୍ରୋଲେଟ କ୍ରୁଜ କାର ନଂ- ଓଆର. ୦୫-ଏଜେ-୬୦୦୧ର ଡ୍ରାଇଭର ମାର୍ଶାଘାଇ ଥାନା ଅନ୍ତର୍ଗତ ଛନ୍ଦା(ପୁରୁଷୋତ୍ତମପୁର) ଗ୍ରାମର ବିପିନ ରାଉତଙ୍କ ପୁଅ ମାନସ ଓରଫ ଚଣ୍ଡିଆ ଓରଫ ହିରଣ୍ୟ ରାଉତ(୨୫), କେ.ଆଇ.ଏ. ସେଲଟସ କାର ନଂ- ଓଡି-୦୨-ବିଏସ-୮୯୧୯ର ଡ୍ରାଇଭର ତଥା ମାର୍ଶାଘାଇ ଥାନା ଅନ୍ତର୍ଗତ ଜଦୁପୁର ଗ୍ରାମର ପ୍ରତାପ ଦାସଙ୍କ ପୁଅ କୁନା ଓରଫ ସୁକାନ୍ତ ଦାସ(୩୧)କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ବିଭୁ ସାହୁ ହତ୍ୟା ଘଟଣାରେ ବ୍ୟବହୃତ ୨ଟି କାର, ୩ଟି ବାଇକ, ୫ଟି ମୋବାଇଲ ଫୋନ ଓ ଦୁଇଟି କୋଦାଳ ବେଣ୍ଟ ଜବତ କରିଥିଲା । ଘଟଣା ଅନୁଯାୟୀ ଗତ ୨୦୨୧ମସିହାରେ ପାଟକୁରା ଥାନା ଅନ୍ତର୍ଗତ ନୁଆପଡା ବଜାରରେ ଦୁର୍ଦ୍ଦାନ୍ତ ଅପରାଧୀ ସାଜନ ଗ୍ୟାଙ୍ଗର ସଦସ୍ୟମାନେ ବିଭୁ ସାହୁକୁ ଆକ୍ରମଣ କରିବାରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା । ବିଭୁ ସାହୁ ଡାକ୍ତରଖାନାରୁ ଫେରିବା ପରେ ସାଜନର ମାଟି ବେପାର ଓ ବାଲି ବେପାରକୁ ବିରୋଧ କରି ବାରେ ସେହି ବେପାର ପ୍ରଭାବିତ ହୋଇଥିଲା । ଫଳରେ ସେବେଠାରୁ ଉଭୟ ଗ୍ୟାଙ୍ଗ ଭିତରେ ଲଢେଇ ଆରମ୍ଭ ହୋଇଯାଇଥିଲା । ଏହା ପରେ ସାଜନ ଗ୍ୟାଙ୍ଗର ପିଲାମାନେ ବିଭୁ ସାହୁକୁ ଏସବୁ ନକରିବା ପାଇଁ ଧମକ ଦେଇ ଯାଇଥିଲେ । କିନ୍ତୁ ବିଭୁ ସାହୁ ସେମାନଙ୍କ କଥା ନଶୁଣିବାରେ ଗତ ମଇମାସ ୩୧ତାରିଖରେ ମାର୍ଶାଘାଇ ଥାନା ଅନ୍ତର୍ଗତ ବାଗଡିଆସ୍ଥିତ ଗୋଜବାୟାଣୀ ମନ୍ଦିର ନିକଟରେ ବିଭୁ ସାହୁକୁ ଉଠାଇନେବାକୁ ପ୍ରଥମେ ଏକ ବୈଠକ କରି ନିଷ୍ପତ୍ତି ନେବା ପରେ ସେହି ଦିନ ତାଳସଙ୍ଗା ଖର୍ଦ୍ଦାସାହି ନିକଟରେ ପ୍ରସ୍ତୁତ ହୋଇ ସନ୍ଧ୍ୟାରେ ଭଗବାନପୁର ଗ୍ରାମରୁ ବିଭୁ ସାହୁକୁ ଏକ କାରରେ ଜୋରଜବରଦସ୍ତ ଉଠାଇନେଇଥିଲେ । ପରେ ସେମାନେ ବିଭୁ ସାହୁକୁ ମହାକାଳପଡା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଏକ ପୁରାତନ ଇଟାଭାଟି ନିକଟକୁ ନେଇଯାଇ ସେଠାରେ କୋଦାଳ ବେଣ୍ଟ ସାହାଯ୍ୟରେ ବିଭୁକୁ ବାଡେଇବା ସହ ତା ବେକରେ ଏକ ରଶୀ ଚାପି ତାକୁ ରାତି ପ୍ରାୟ ୧୦ଟାରେ ମାରିଦେଇଥିଲେ । ସେଠାରୁ ବିଭୁ ସାହୁର ଶବକୁ କାରରେ ଯାଜପୁର ଜିଲ୍ଲାର ଟମକା ଥାନା ଅନ୍ତର୍ଗତ ରଥପଡା ଗ୍ରାମର ଏକ ଜଙ୍ଗଲକୁ ନେଇ ପେଟ୍ରୋଲ ଢାଳି ପୋଡିଦେଇଥିଲେ । ପରଦିନ ଏସମ୍ପର୍କରେ ଜଣାପଡିବା ପରେ ମାର୍ଶାଘାଇ ଥାନା ପୋଲିସ ବିଭୁ ସାହୁର ପତ୍ନୀକୁ ସେଠାକୁ ନେଇ ଶବ ଚିହ୍ନଟ କରିବା ପରେ ଘଟଣାର ମୋଡ ବଦଳି ଯାଇଥିଲା । ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏତଦବ୍ୟତିତ ଏହି ଘଟଣାରେ ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ଅପରାଧୀ ସାମିଲ ଥିବା ସୂଚନା ମିଳିଛି । ତଦନ୍ତ ଚାଲୁ ରହିଥିବା ବେଳେ ସମସ୍ତ ଅପରାଧୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ଶ୍ରୀ ମଡ଼କର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ମାର୍ଶାଘାଇ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ଏସ.ଆଇ. ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


