ବିମୁଦ୍ରାୟନବେଳେ ମାଲାମାଲ୍ ହୋଇଥିଲା ହନୁମାନଙ୍କ ମନ୍ଦିର
ଇତି ମଧ୍ୟରେ ବିମୁଦ୍ରାୟନକୁ ୩ ବର୍ଷ ହୋଇଛି । ବିମୁଦ୍ରାୟନ ସମୟରେ ଆନ୍ଧ୍ରପ୍ରଦେଶର ଦଶଅଞ୍ଜନେ ସ୍ୱାମୀ ମନ୍ଦିରକୁ ଭକ୍ତମାନେ ଯେତେ ପରିମାଣର ଦାନ କରିଥିଲେ ତାହା ବୋଧହୁଏ ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା । ବିମୁଦ୍ରାୟନର ପ୍ରଭାବ ସମସ୍ତଙ୍କୁ ବ୍ୟସ୍ତ କରି ପକାଉଥିବା ବେଳେ ବଜରଙ୍ଗୀ ମହାପ୍ରଭୁଙ୍କର ଏହି ମନ୍ଦିର ୧.୦୫ କୋଟି ରୋଜଗାର କରି ଚର୍ଚ୍ଚାର ପରିସରକୁ ଆସିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ପୂର୍ବରୁ ୨ ମାସ ମଧ୍ୟରେ ମନ୍ଦିର ହୁଣ୍ଡିରୁ ସର୍ବାଧିକ ୨.୫ ଲକ୍ଷରୁ ୩ ଲକ୍ଷ ସଂଗ୍ରହ କରାଯାଇଥାଏ । ମାତ୍ର ବିମୁଦ୍ରାୟନ ପରେ ଏକାଥରକେ ଏତେ ବଡ଼ ରକମର ସଂଗ୍ରହ ସଭିଁଙ୍କୁ ଚକିତ କରି ପକାଇଥିଲା ।ମନ୍ଦିର ହୁଣ୍ଡିରୁ ମାତ୍ରାଧିକ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ମିଳିଥିଲା । ପୂର୍ବରୁ ମନ୍ଦିର ହୁଣ୍ଡିରେ ପ୍ରାୟତଃ ୧୦, ୨୦, ୫୦ ଟଙ୍କିଆ ନୋଟ୍ ବେଶି ପରିମାଣରେ ଦେଖିବାକୁ ମିଳୁଥିବା ବେଳେ ବିମୁଦ୍ରାୟନ ପରେ ଅଧିକାଂଶ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ମିଳିଥିଲା । ୨୦୧୬ ମସିହା ନଭେମ୍ବର ୨୪ ତାରିଖରେ ହୁଣ୍ଡିର ଟଙ୍କା ଗଣା ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଜାଣିବାକୁ ମିଳିଥିଲା ଯେ ହୁଏତ କିଛି ବ୍ୟବସାୟୀ ଓ କଳାଧନ ମହଜୁଦ୍କାରୀ ସେମାନଙ୍କ ଟଙ୍କାକୁ ଏପରି ମନ୍ଦିର ହୁଣ୍ଡିରେ ପକାଇ ଚାଲିଯାଇଛନ୍ତି ।


