ବିରଳ ଅସ୍ତ୍ରୋପଚାର : ନାସାରନ୍ଧ୍ରରେ ବଢ଼ୁଥିବା ଦାନ୍ତ କାଢ଼ିଲେ ଡାକ୍ତର
ନୂଆଦିଲ୍ଲୀ: ଚୀନର ହାରବିନ ମେଡ଼ିକାଲ ୟୁନିଭର୍ସିଟିରେ ଜଣେ ବ୍ୟକ୍ତିଙ୍କର ନାସାରନ୍ଧ୍ରରେ ବଢ଼ୁଥିବା ଦାନ୍ତକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ କଢ଼ାଯାଇପାରିଛି । ଏଭଳି ଆସ୍ତ୍ରୋପଚାର ବିଶ୍ୱରେ ବିରଳ ବୋଲି ଗବେଷକମାନେ ମତ ଦେଇଛନ୍ତି । ପ୍ରକାଶ ଯେ, ଝାଙ୍ଗ ବିନ ସେଙ୍ଗ ନାମକ ଜଣେ ୩୦ ବର୍ଷୀୟ ଚୀନୀ ଯୁବକ ନିଜର ଦାନ୍ତ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ କିଛିଦିନ ତଳେ ହାରବିନ ମେଡ଼ିକାଲ ୟୁନିଭର୍ସିଟିର ଡାକ୍ତରଙ୍କୁ କହିଥିଲେ । ଡାକ୍ତରଙ୍କ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ବିନ ସେଙ୍ଗଙ୍କ ନାସାରନ୍ଧ୍ରରେ ଏକ ଦାନ୍ତ ବଢ଼ୁଛି । ତେବେ ଉକ୍ତ ଦାନ୍ତଟି ଏକ ସେଣ୍ଟିମିଟରର ବୋଲି ଏକ୍ସ-ରେ ରିପୋର୍ଟରୁ ଜଣାପଡ଼ିଥିଲା । ଉକ୍ତ ଦାନ୍ତଟି ଝାଙ୍ଗ ବିନ ସେଙ୍ଗଙ୍କ ନାସାରନ୍ଧ୍ରରେ ଦୀର୍ଘ କୋଡ଼ିଏ ବର୍ଷ ଧରି ରହିଥିଲା ବୋଲି ବି ଜଣାପଡ଼ିଥିଲା । ଝାଙ୍ଗଙ୍କୁ ଗତ ତିନି ମାସ ହେବ ନିଶ୍ୱାସପ୍ରଶ୍ୱାସରେ ବାଧାସୃଷ୍ଟି ହେବାରୁ ସେ ଡାକ୍ତର ଗୁଓଲାନ ମେଇଙ୍କ ନିକଟକୁ ଯାଇଥିଲେ । ଡାକ୍ତର ଗୁଓଲାନ ମେଇ ଦାନ୍ତଟିକୁ ମାତ୍ର ୩୦ ମିନିଟର ସଫଳତାର ସହ ଅସ୍ତ୍ରୋପଚାର କରି ବାହାର କରିଥିଲେ । ଏବେ ଝାଙ୍ଗ ବିନ ସେଙ୍ଗ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।


