ବିରଳ ଓ ଲୁପ୍ତପ୍ରାୟ ଔଷଧୀୟ ଉଦ୍ଭିଦର ରୋପଣ ଉପରେ ଗୁରୁତ୍ୱରୋପ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କେଉଁ ଆବହମାନ କାଳରୁ ମଣିଷ ଜୀବନ ସହ ଉଦ୍ଭିଦର ସମ୍ପର୍କ ଅଙ୍ଗାଙ୍ଗୀଭାବେ ଜଡ଼ିତ । ବୃକ୍ଷଲତାରୁ ସଂଗୃହିତ ବିଭିନ୍ନ ଔଷଧୀୟ ପଦାର୍ଥ ଅଦ୍ୟାବଧି ଆମର ସ୍ୱାସ୍ଥ୍ୟସେବାରେ ଉପଚାର ହୋଇଆସୁଛି । କିନ୍ତୁ ବର୍ତ୍ତମାନ ଦୃତ ଜନସଂଖ୍ୟା ବୃଦ୍ଧି ସହିତ ସହରୀକରଣର ବ୍ୟାପକତା ଦୃଷ୍ଟିରୁ ଏହିସବୁ ବିରଳ ଉଦ୍ଭିଦ ସବୁ ଆସ୍ତେ ଆସ୍ତେ ଲୋପ ପାଇ ବସିଲାଣି । ଏହାକୁ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ସାମାଜିକ ଅନୁଷ୍ଠାନ ଦିବ୍ୟଦିଗନ୍ତ ତରଫରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନର, ପ୍ରଦର୍ଶନୀ କକ୍ଷ ଠାରେ ଦିବା ୧୦.୩୦ ମିନିଟ୍ ସମୟରେ ‘ବିରଳ ତଥା ଲୁପ୍ତପ୍ରାୟ ଔଷଧୀୟ ଉଦ୍ଭିଦର ପ୍ରଦର୍ଶନୀ ତଥା ଦୈନନ୍ଦିନ ଜୀବନରେ ଏହାର ଉପଯୋଗିତାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଦୀପ ନାୟକ, ଭା.ବ.ସେ ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ, ବୃକ୍ଷର ପ୍ରଚାର ପ୍ରସାର ସହ ଏହାର ଚାଷକୁ ଅଧିକ ବ୍ୟାପକ ଉପରେ ସରକାରଙ୍କ ପ୍ରୋତ୍ସାହନ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ଦିବ୍ୟ ଦିଗନ୍ତ ସାମାଜିକ ଅନୁଷ୍ଠାନ ସହ ମିଳିତ ଭାବରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅଜିତ କୁମାର ଶତପଥୀ, ଓ.ବ.ସେ, ବନଖଣ୍ଡ ଅଧିକାରୀ, ନଗର ବନଖଣ୍ଡ ବିଭାଗ, ଭୁବନେଶ୍ୱର ଯୋଗଦେଇ କହିଲେ ଯେ, ବ୍ୟାପକ ବନୀକରଣ ସହ ଔଷଧୀୟ ବୃକ୍ଷର ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ରୋଟାରିୟାନ ପ୍ରଭୁଦତ୍ତ ସୁବୁଦ୍ଧି, ଡିଷ୍ଟ୍ର୍ରିକ୍ଟ ଗଭର୍ଣ୍ଣର (୨୦୨୨-୨୩) ଆର.ଆଇ.ଡିଷ୍ଟ୍ରିକ୍ଟ-୩୨୬୨ ଯୋଗ ଦେଇ ରୋଟାରୀ କ୍ଲବର ବିଭିନ୍ନ କାର୍ଯ୍ୟକ୍ରମ ସହ ଔଷଧୀୟ ବୃକ୍ଷର ପ୍ରଚାର ପ୍ରସାର ପାଇଁ ଦିବ୍ୟଦିଗନ୍ତ ସହ ଅନୁବନ୍ଧିିତ ହୋଇ କାର୍ଯ୍ୟ କରିବାର ପ୍ରତିଶ୍ରୁତି ଦେଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ ଯୋଗଦେଇ କିହଲେ ଯେ, ପର୍ଯ୍ୟାବରଣର ସନ୍ତୁଳନ ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । କାର୍ଯ୍ୟକ୍ରମକୁ ଜୟପ୍ରକାଶ ମିଶ୍ର ଓ ଶ୍ରୀମତୀ ମମତା ବିଶ୍ୱାଳ ପରିଚାଳନା କରିଥିବା ବେଳେ ସନ୍ତୋଷ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ରୋଟାରୀ କ୍ଲବ ଭୁବନେଶ୍ୱର ନର୍ଥର ସଭ୍ୟସଭ୍ୟା, ପରିବେଶବିତ୍, ବୃକ୍ଷପ୍ରେମୀ ତଥା ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ସେମାନଙ୍କର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଯୋଗଦାନ କରିଥିଲେ ।


