ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ରେଷ୍ଟୁରାଣ୍ଟ
ମଣିଷ ଭଳି ଶ୍ରେଷ୍ଠ ଜୀବଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ ବ୍ୟବସ୍ଥା । ହେଲେ ବିଲୁପ୍ତପ୍ରାୟ ପକ୍ଷୀ ଶାଗୁଣ ଓ ଚିଲଙ୍କ ପାଇଁ ରହି ଥିବା ରେଷ୍ଟୁରାଣ୍ଟ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଆମ ଦେଶରେ ହିଁ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ । କାନପୁର ଜୁଲୋଜିକାଲ ପାର୍କରେ ଖୋଲିଛି ଏହି ରେଷ୍ଟୁରାଣ୍ଟ । ଏଠି କେବଳ ଏହି ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ଖୋଲାଯାଇଛି ଏହି ନିଆରା ରେଷ୍ଟୁରାଷ୍ଟ । ତେବେ ୨ଟି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଏହା ଖୋଲାଯାଇଥିବା କୁହାଯାଉଛି । ଗୋଟିଏ ହେଉଛି ମୃତ ପଶୁପକ୍ଷୀଙ୍କୁ ଏଣେତେଣେ ଫୋପାଡି ପରିବେଶ ଦୂଷିତ କରିବା ପ୍ରକ୍ରିୟାକୁ ରୋକିବା ଓ ଅନ୍ୟଟି ହେଉଛି ବିଲୁପ୍ତପ୍ରାୟ ପକ୍ଷୀ ଶାଗୁଣା ଓ ଚିଲଙ୍କ ସଂରକ୍ଷଣ କରିବା । ଏହାର ଆଉ ଏକ ଉଦ୍ଦେଶ୍ୟ ହେଉଛି ଏକା ସଙ୍ଗେ ବହୁସଂଖ୍ୟାରେ ଚିଲ ଓ ଶାଗୁଣାଙ୍କୁ ଚିଡିଆ ଘରକୁ ନିମନ୍ତ୍ରଣ ଦେବା । ବିଶେଷଜ୍ଞଙ୍କ କହିବା କଥା ହେଲା ଏବେ ଦେଶରେ ଏହି ପକ୍ଷୀଙ୍କ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି । ତେଣୁ ଏବେ ଏମାନଙ୍କର ସଂରକ୍ଷଣ କରିବା ଜରୁରୀ େହୋଇପଡିଛି । ଯଦି ଏକା ସହ ବହୁ ପରିମାଣରେ ଶାଗୁଣା ଏକାଠି ହେବେ ତେବେ ସେମାନେ ପ୍ରଥମେ ବସା ବାନ୍ଧିବା ଆରମ୍ଭ କରିବେ । ପରେ ସେମାନଙ୍କ ବଂଶବୃଦ୍ଧି ମଧ୍ୟ ହେବ । ସବୁଠାରୁ ବଡ଼ କଥା ହେଲା ଏହା ହେଉଛି ଏକ ଓପନ୍ ରେଷ୍ଟୁରାଣ୍ଟ । ଚାରିପଟରେ ଗଛ ଲଗାଇ ମଝିରେ ମଝିରେ କାଠର ବାଡା ଲଗାଇ ଖୋଲା ଆକାଶ ତଳେ ଏହି ରେଷ୍ଟୁରାଣ୍ଟ ତିଆରି କରାଯାଇଛି । ତେବେ ଚିଲ, ଶାଗୁଣାଙ୍କ ପରି ଅନ୍ୟ ଶିକାରି ପକ୍ଷୀମାନେ ମଧ୍ୟ ଏଠାକୁ ଆସିପାରିବେ । ମଝିରେ ମଝିରେ ଲଗାଯାଇଥିବା କାଠର ମୋଟା ମୋଟା ବାଡା ଉପରେ ବସି ଏମାନେ ଆରାମରେ ଖାଦ୍ୟ ଖାଇବା ସହ ନିକଟରେ ତିଆରି କରାଯାଇଥିବା ଏକ ପୋଖରୀରୁ ପାଣି ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଠାରେ ଥିବା ପ୍ରାଣୀ ଚିକିତ୍ସକଙ୍କ ମତରେ ପୂର୍ବରୁ ମୃତ ପଶୁପକ୍ଷୀଙ୍କ ଶରୀରକୁ ଚାରୋଟି ସ୍ଥାନରେ ପକାଯାଉଥିଲା । ବର୍ଷା ସମୟରେ ଏଥିରୁ ଖୁବ୍ ଦୁର୍ଗନ୍ଧ ହେବା ସହ ପରିବେଶ ଦୂଷିତ ହେଉଥିଲା । ଏବେ ଏହି ରେଷ୍ଟୁରାଣ୍ଟ ଖୋଲିବା ଫଳରେ ଦୁର୍ଗନ୍ଧ କମିବା ସହ ପରିବେଶ ମଧ୍ୟ ଦୂଷିତ ହେଉନାହିଁ । ଅନ୍ୟପଟେ ବିଲୁପ୍ତପ୍ରାୟ ପକ୍ଷୀମାନଙ୍କର ସଂରକ୍ଷଣ ବି ହୋଇପାରୁଛି ।