ବିଲୁପ୍ତ ପଥରେ ଥିବା ପ୍ରାଣୀର ସୁରକ୍ଷା ପାଇଁ ଅଭିନବ ପ୍ରୟାସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚାଲିଛି ଖରା ଛୁଟି । ସ୍କୁଲ ବନ୍ଦ । ସାଧାରଣତଃ ଖରା ଛୁଟି କଟାଇବା ପାଇଁ ଅନେକ ଛାତ୍ର, ଛାତ୍ରୀ ନିଜ ପିତାମାତାଙ୍କ ସହ ବନ୍ଧୁବାନ୍ଧବ ଅଥବା ମାମୁ ଘରକୁ ବୁଲିବା ପାଇଁ ହେଉ କି ରାଜ୍ୟ ବାହାରେ ଥିବା ଥଣ୍ଡା ସ୍ଥାନକୁ କିମ୍ବା ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣରେ ଯାଇଥାନ୍ତି । ଚଳିତବର୍ଷ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଇଆଡେ ସିଆଡେ ନ ବୁଲି ଜଣେ ଛାତ୍ର ଛୁଟିରେ ଘରେ ରହି ପାଠ ପଢ଼ିବା ସହ ସୁପର କ୍ଲେ ରେ ଗଢ଼ି ଚାଲିଛନ୍ତି ନାନା ପ୍ରକାରର ଆକର୍ଷଣୀୟ ସୁପର ଟଏଜ୍ । ସୂଚନାଯୋଗ୍ୟ, ଭୁବନେଶ୍ୱର ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ ଫେଜ୍‌-୨ ଅଞ୍ଚଳର ୮ ବର୍ଷ ବୟସର ଛାତ୍ର ଜଣକ ହେଉଛନ୍ତି ଶାନ୍ତନୁ ଶାନ୍ତିସ୍ୱରୂପ । ଅନ୍‌ଲାଇନ୍‌ରେ ସୁପର କ୍ଲେ ଅର୍ଡ଼ର କରି ଭିନ୍ନ ଭିନ୍ନ ରଙ୍ଗର କ୍ଲେ କୁ ବ୍ୟବହାର କରି ଭଳିକି ଭଳି ମନଛୁଆଁ ଟଏଜ୍ ମାନ ତିଆରି କରିଚାଲିଛନ୍ତି । ଶାନ୍ତନୁ ଙ୍କୁ ପଚାରିଲେ କୁହନ୍ତି ସଂପ୍ରତି ବିଭିନ୍ନ ପ୍ରଜାତିର ପ୍ରାଣୀ ଓ ପକ୍ଷୀ ଏବେ ବିଲୁପ୍ତ ପଥରେ । ଆଉ କିଛି ବର୍ଷ ପରେ ଏମାନେ ଆଉ ଦୃଶ୍ୟମାନ ହେବେ ନାହିଁ । ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ପରିବେଶ ଅବକ୍ଷୟ ଏହାର ମୁଖ୍ୟ କାରଣ । ଜନସଚେତନତା ଉଦ୍ଦେଶ୍ୟ ନେଇ ଏସବୁ କୁ ମୁଁ ଗଢ଼ୁଛି । ସଙ୍କଟ ପଥରେ ଥିବା ପ୍ରାଣୀ ଯଥା – ସିମ୍ପାଜି, ଜିରାଫ, ଜେବ୍ରା, ଚିତା ବାଘ, ଜଳହସ୍ତୀ, ଅକ୍ଟୋପସ୍‌, କୋକିଶିଆଳି, ଧଳାଭାଲୁ, ଡଲ୍‌ଫିନ୍‌, ବଲ୍‌ଗାହରିଣ, ତାରାମାଛ, ସିଲ୍ ମାଛ, ପାଣ୍ଡା, ହେଟାବାଘ ଇତ୍ୟାଦି ଜୀବଙ୍କ ପ୍ରତିକୃତି ନିଖୁଣ ଭାବେ ସେ ଗଢ଼ି ଚାଲିଛନ୍ତି । ଏତଦ୍ ସହ ହିନ୍ଦୁ ଦେବାଦେବୀ ପ୍ରତିମୂର୍ତ୍ତି ସହ ବିଭିନ୍ନ କାର୍ଟୁନ ର ଟଏଜ୍ ମାନ ତିଆରି କରିଚାଲିଛନ୍ତି । ବଳକା ସମୟରେ ଏସବୁକୁ ମୁଁ ଗଢ଼ିଥାଏ । ଏସବୁ କରିବା ପାଇଁ ମୋର ପାପା ଓ ମାମା ମୋତେ ସାହାଯ୍ୟ କରିବା ସହ ଉତ୍ସାହିତ କରିଥାନ୍ତି ବୋଲି ସେ କୁହନ୍ତି । ସଂପ୍ରତି ଶାନ୍ତନୁ ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୪ର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି । କଅଁଳ ବୟସରେ ଶାନ୍ତନୁଙ୍କ ଏହି ଚିନ୍ତାଧାରାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଥିବାର ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ