ବିଲୁପ୍ତ ହେଲେଣି କୃଷକର ବନ୍ଧୁ ଘରଚଟିଆ
ଅତୀତରେ ଗାଁ ଠୁଁ ସହର ସବୁ ଠାରେ ଚାଳଛପର ଘର ଥିଲା। ଏହି ଚାଳଛପର ଘର ମାନଙ୍କରେ ବହୁ ପରିମାଣରେ କୁନି କୁନି ଚଢ଼େଇ ବସା ବାନ୍ଧି ଖୁସିରେ ରହୁ ଥିଲେ। ଏହି ଚଢ଼େଇ ଙ୍କ ନାମ ଘରଚଟିଆ। ସେମାନଙ୍କ କିଚିରି ମିଚିରି ଶଦ୍ଦ ମନକୁ ଆନନ୍ଦିତ କରି ଦେଉଥିଲା। ମାଟି ଘରେ ଥିବା ସନ୍ଧି, କୌଣସି ଖୋପ,ବିଦ୍ୟୁତ ଖୁଣ୍ଟ ମାନଙ୍କ ରେ ଥିବା କେବୁଲ ବାକ୍ସ ମାନଙ୍କ ରେ ଏହି ଘର ଚଟିଆ ବସା ବାନ୍ଧିଥାନ୍ତି।୮ ରୁ ୧୦ ସେଣ୍ଟିମିଟର ଲମ୍ବର ଏହି କୁନି ଚଢ଼େଇ ଘରଚଟିଆ ମାନେ ଥିଲେ ପ୍ରକୃତରେ କୃଷକ ମାନଙ୍କ ବନ୍ଧୁ।ଧାନ ଫସଲ ଆଉ ପନିପରିବା ଫସଲ କୁ ନଷ୍ଟ କରୁଥିବା ପୋକ, କୀଟ ମାନଙ୍କୁ ଏହି ଚଢ଼େଇ ଖାଦ୍ୟ ଭାବେ ଗ୍ରହଣ କରୁଥିବାରୁ ଏମାନଙ୍କୁ କୃଷକ ମାନଙ୍କ ବନ୍ଧୁ ବୋଲି କୁହାଯାଇଥାଏ। ଏମାନେ ମଣିଷ ର ପାଖେପାଖେ ଚଳପ୍ରଚଳ କରୁଥିବାରୁ ପିଲା ଙ୍କ ଠାରୁ ବୁଢ଼ା ସମସ୍ତେ ଏହି କୁନି ପକ୍ଷୀ କୁ ଭଲ ପାଇଥାନ୍ତି। ୧୯୯୯ ମସିହା ର ମହା ବାତ୍ୟା ପରେ ରାଜ୍ୟ ର ଗାଁ ଗୁଡ଼ିକ ରୁ ଚାଳ ଛପର ଘର ଦିନକୁ ଦିନ କମିବାରେ ଲାଗିଲା। ବିଭିନ୍ନ ସ୍ଥାନ ରେ ମୋବାଇଲ ଟାୱାର ବୃଦ୍ଧି ପାଇବାରେ ଲାଗିବାରୁ ବାୟୁମଣ୍ଡଳ ରେ ଅଦୃଶ୍ୟ ଭାବେ ଚୁମ୍ବକୀୟ ଶକ୍ତି ପ୍ରବାହିତ ହେବାରେ ଲାଗିଲା। ବିଶ୍ଵ ତାପମାନ ବୃଦ୍ଧି ପାଉଥିବାରୁ ଜଳବାୟୁ ପ୍ରବାହ ରେ ଅସନ୍ତୁଳନ ଦେଖାଦେଇଛି। ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି।ଚାଷୀ ମାନେ ବିଭିନ୍ନ ଫସଲ ରେ ବହୁଳ ଭାବେ କେମିକାଲ ଯୁକ୍ତ ରାସାୟନିକ ଔଷଧ ଓ କୀଟନାଶକ ବ୍ୟବହାର କରୁଛନ୍ତି।ଉପୋରକ୍ତ କାରଣ ପାଇଁ ଏହି କୁନି ଚଢ଼େଇ ଘରଚଟିଆ ଆଜି ବିଲୁପ୍ତ ର ଦ୍ଵାରଦେଶ ରେ ପହଞ୍ଚି ଯାଇଛି। ଏହି କୁନି ଚଢ଼େଇ ର ସୁରକ୍ଷା ପାଇଁ ଇଣ୍ଟରନ୍ୟାସନାଲ ୟୁନିଅନ ଫର କନଭେନସନ ଅଫ ନେଚର ଆଣ୍ଡ ନେଚୁରାଲ ରିସୋର୍ସ ପକ୍ଷରୁ ୨୦୧୦ ମସିହା ଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖ ବିଶ୍ଵ ଘରଚଟିଆ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସ ପାଳନ କରାଯିବା ର ଉଦ୍ଦେଶ୍ୟ ହେଉଛି ଯେ, ଚାଷୀ ମାନେ ରାସାୟନିକ ଔଷଧ ଓ କୀଟ ନାଶକ ବ୍ୟବହାର ନ କରି ଜୈବିକ ପଦ୍ଧତିରେ ଚାଷ କରନ୍ତୁ। ଆଉ ଏହି କୁନି ଚଢ଼େଇ ଘରଚଟିଆ ର ବଂଶ ବୃଦ୍ଧି ନିମନ୍ତେ ସମସ୍ତେ ପ୍ରୟାସ କରନ୍ତୁ। ଘରଚଟିଆ ର ସୁରକ୍ଷା ପାଇଁ ଲୋକ ମାନଙ୍କୁ ସଚେତନ କରାଇବା ଏହି ଦିବସ ପାଳନ ର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଓଡ଼ିଶା ବାଇ ଚଢ଼େଇ ସୁରକ୍ଷା ଅଭିଯାନ ର ସଂଯୋଜକ ପକ୍ଷୀ ପ୍ରେମୀ ପିତାମ୍ବର ରାଉତ। ପୁରୁଷ ଘରଚଟିଆ ର ବେକ ପାଖ ସାମାନ୍ୟ କଳା ରଙ୍ଗ ଓ ବେକ ତଳ ଧଳା ହୋଇଥାଏ। ଗୋଟିଏ ପ୍ରାପ୍ତ ବୟସ୍କ ଘରଚଟିଆ ଚଢ଼େଇ ର ଓଜନ ପ୍ରାୟ ୩୦/୩୫ ଗ୍ରାମ ହୋଇଥାଏ। ମାଈ ଚଢ଼େଇ ଥରକେ ୮/୧୦ ଟି ଅଣ୍ଡା ଦେଇଥାଏ।
ଅଣ୍ଡା ଦେବାର ୧୦/୧୨ ଦିନ ରେ ଅଣ୍ଡାରୁ ଛୁଆ ଫୁଟିଥାନ୍ତି। ବାଡି ବୁଦା ରୁ କୁଟା, କାଠି ସଂଗ୍ରହ କରି ସେମାନେ ଲୋକ ଚଳପ୍ରଚଳ ହେଉଥିବା ସ୍ଥାନ ମାନଙ୍କ ରେ ବସା ବାନ୍ଧି ରହିବାକୁ ପସନ୍ଦ କରିଥାନ୍ତି।ବିଶ୍ବ ଘରଚଟିଆ ଦିବସ ପାଳନ କରାଯିବା ପରେ ଅନେକ ସ୍ଥାନ ରେ ଲୋକମାନେ ଏମାନଙ୍କ ବଂଶ ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। କିଛି ଲୋକ କୂତ୍ରିମ ଚାଳ ଘର ନିର୍ମାଣ କରୁଥିବା ବେଳେ କିଛି ବ୍ୟକ୍ତି ଉଚ୍ଚ ସ୍ଥାନ ରେ ବଡ଼ ମାଟି ହାଣ୍ଡି କୁ କଣା କରି ଟଙ୍ଗାଇବା କାର୍ଯ୍ୟ କରୁଛନ୍ତି। କିଛି ବ୍ୟକ୍ତି କାଡବୋଡ ରେ କୂତ୍ରିମ ବସା ନିର୍ମାଣ କରି ମଧ୍ୟ ଟଙ୍ଗାଉଛନ୍ତି। ଏହି ସବୁ କାର୍ଯ୍ୟ ପକ୍ଷୀ ପ୍ରେମୀ ମାନଙ୍କୁ ଆନନ୍ଦିତ କରୁଛି। ଯଦି ଏହି କୁନି ଚଢ଼େଇ ଘରଚଟିଆ ଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ନିମନ୍ତେ ଦୃଷ୍ଟି ନ ଦିଆଯାଏ ତେବେ ଖୁବ୍ କମ ଦିନ ମଧ୍ୟ ରେ ଏମିତି ଏକ ସୁନ୍ଦର ଓ ଉପକାର କରୁଥିବା ପକ୍ଷୀ ବିଲୁପ୍ତ ହୋଇଯିବେ ଏଥିରେ ସନ୍ଦେହ ନାହିଁ।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।