ବିଳମ୍ବରେ ଆସିବ ମୌସୁମୀ, ସ୍ୱାଭାବିକ ବର୍ଷିବ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ମୌସୁମୀ ଆଗମନ ବିଳମ୍ବ ହୋଇପାରେ । ଏହା ସହ ଜୁନରେ ବର୍ଷା ପରିମାଣ କମ ରହିବା ଆଶଙ୍କା ରହିଛି । ହେଲେ ମୌସୁମୀର ୪ ମାସ ଅବଧି ଭିତରେ ରାଜ୍ୟରେ ମୋଟ ବର୍ଷା ପରିମାଣ ସ୍ୱାଭାବିକ ବର୍ଷା ରହିବ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।
ଡକ୍ଟର ପଶୁପାଳକଙ୍କ କହିବାନୁଯାୟୀ ପାଣିପାଗ ମଡେଲର ଆକଳନ କହୁଛି, ଗତ ମାର୍ଚ୍ଚରୁ ଏଲନିନୋ ପ୍ରଭାବ କମିବାରେ ଲାଗିଛି । ଗତ ମାର୍ଚ୍ଚରେ ଏଲନିନୋ ୩୯ ପ୍ରତିଶତ ଥିବା ବେଳେ ଜୁନ ବେଳକୁ ଏହା ୨୪ ପ୍ରତିଶତ ଖସିଯିବା ଅନୁମାନ କରାଯାଉଛି । ସେପ୍ଟେମ୍ବର ବେଳକୁ ଏହା ୨୦ ପ୍ରତିଶତ ହ୍ରାସ ପାଇବା ସମ୍ଭାବନା ଅଛି । ଅନ୍ୟ ପକ୍ଷରେ ଲାନିନୋ ପ୍ରଭାବ ବଢ଼ିବ । ଜୁଲାଇରେ ୨୪ ପ୍ରତିଶତ ଓ ସେପ୍ଟେମ୍ବରକୁ ୩୫ ପ୍ରତିଶତକୁ ବୃଦ୍ଧି ପାଇବା ସମ୍ଭାବନା ଅଛି । ଏହା ଦକ୍ଷିଣ ପଶ୍ଚିମ ମୌସୁମୀକୁ ସ୍ୱାଭାବିକ ବର୍ଷା କରାଇବାରେ ସହାୟକ ହେବ ।
ଆମେରିକା, ଜାପାନ, ଦକ୍ଷିଣ କୋରିଆର ୪ଟି ପ୍ରମୁଖ ପାଣିପାଗ ମଡେଲର ଆକଳନକୁ ଆଧାର କରି ଡକ୍ଟର ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଏ ବର୍ଷ ଭାରତରେ ସ୍ୱାଭାବିକ ବର୍ଷା ହେବ ମୌସୁମୀ । ଓଡ଼ିଶାରେ ମଧ୍ୟ ବର୍ଷା ସ୍ୱାଭାବିକ ରହିବ । ତେବେ ମୌସୁମୀର ବଙ୍ଗୋପସାଗରୀୟ ଶାଖା ଅଗ୍ରସରରେ ବିଳମ୍ବ ହୋଇପାରେ । ତେଣୁ ରାଜ୍ୟରେ ମୌସୁମି ଆଗମନ ବିଳମ୍ବିତ ହେବା ସମ୍ଭାବନା ରହିଛି । ତେଣୁ ଜୁନ ମାସରେ ଓଡ଼ିଶାରେ ବର୍ଷା ପରିମାଣ କମ୍ ରହିପାରେ । ମାତ୍ର ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବରରେ ଯେତିକି ବର୍ଷା ହେବ, ସେଥିରେ ବର୍ଷାର ଅଭାବ ଭରଣା ହୋଇଯିବ । ତେଣୁ ରାଜ୍ୟରେ ସମୁଦାୟ ମୌସୁମୀ ବର୍ଷା ସ୍ୱାଭାବିକ କିମ୍ବା ସ୍ୱାଭାବିକ ଠାରୁ ଅଧିକ ରହିବ । ସ୍ୱାଭାବିକ ଠାରୁ ବର୍ଷା କମିବ ନାହିଁ । ସୂଚନା ଯୋଗ୍ୟ, ମୌସୁମୀ ଆଗମନ ନ ହେବା ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ମଧ୍ୟ କମିବନି । ଏହା ସହ ରାଜ୍ୟରେ ଚାଷ କାର୍ଯ୍ୟ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ଏଥର ଯଦି ସ୍ୱାଭାବିକ ବର୍ଷା ହୁଏ, ତେବେ ଫସଲ ହେବା ଆଶା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ