ବିଳମ୍ବରେ ପହଞ୍ଚିବା ଯୋଗୁ ୧୦୮ ଆମ୍ବୁଲାନ୍ସକୁ ଅଟକ ରଖିଲେ ଲୋକେ
ବାଲେଶ୍ୱର, (ସରୋଜ ପଣ୍ଡା):୨ଶହ ମିଟର ଦୂର ଦୁର୍ଘଟଣା ସ୍ଥଳର ଆହତଙ୍କୁ ନେବା ପାଇଁ ଦୁଇଘଣ୍ଟା ବିଳମ୍ବରେ ପହଞ୍ଚିଥିବା ୧୦୮ ଆମ୍ବୁଲାନସକୁ ସହରର ମୀର୍ଜାପୋଖରୀ ଅଞ୍ଚଳରେ ଲୋକେ ଦୀର୍ଘ ସମୟ ଧରି ଅଟକ ରଖବା ଭଳି ଅଭାବନୀୟ ଘଟଣା ସୋମବାର ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ସକାଳେ ମିର୍ଜାପୋଖରୀ ପାଶ୍ୱର୍ ଟାଉନ ହାଇସ୍କୁଲ ସମ୍ମୁଖରେ ଏକ ବାଇକ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏଥିରେ ସେରଗଡ଼ ଅଞ୍ଚଳର ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର ସହ ତୁରନ୍ତ ଡାକ୍ତରଖାନାକୁ ନେବା ପାଇଁ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ । ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଲୋକେ ଆହତଙ୍କୁ ଅନ୍ୟ ଏକ ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ୧୦୮ ଆମ୍ବଲାନ୍ସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲା । ଫଳରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ସମ୍ପୃକ୍ତ ଆମ୍ବୁଲାନସକୁ ଅଟକ ରଖିଥିଲେ । ପୁଲିସ ଓ କେତେକ ସ୍ଥାନୀୟ ନେତା ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ସହ ଛାଡ଼ କରିଥିଲେ । ଫୋନ କଲରୁ ଠିକ ଭାବେ ସ୍ଥାନର ନାମ ଶୁଣି ନପାରି ଜିଲା ମୁଖ୍ୟ ଚିକିତ୍ସାଳୟରୁ ମାତ୍ର ୨ଶହ ମିଟର ଦୂର ମିର୍ଜାପୋଖରୀ ପରିବର୍ତ୍ତେ ସେମାନେ ମିତ୍ରପୁର ପଳାଇ ଯାଇଥିଲେ ବୋଲି ଆମ୍ବୁଲାନ୍ସ ଡ୍ରାଇଭର ସଫେଇରେ କହିଥିଲେ ।