ବିଶାଳ ଆଇନ ସଚେତନତା ସେବା ଶିବିର ଅନୁଷ୍ଠିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ସମାଜର ଉପେକ୍ଷିତ ବର୍ଗଙ୍କ ଦାରିଦ୍ର‌୍ୟ ଦୂରୀକରଣ ଓ ଆଦିବାସୀଙ୍କ ଅଧିକାର ସୁରକ୍ଷା ପାଇଁ ସେବା ପ୍ରଦାନ ମୂଳକ ବିଶାଳ ଆଇନ ସଚେତନତା ଓ ସେବା ଶିବିର ରାଜ୍ୟ ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଅନସ୍ଲୋ ହାଇସ୍କୁଲର ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଆଇନ ସହାୟତାର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ମାମଲା ଗୁଡିକ ଦାୟର ପୂର୍ବରୁ ତାର ଆପୋଷ ବୁଝାମଣା ଉପରେ ଗୁରୁତ୍ୱଆରୋପ କରିଥିଲେ । ୧୯୮୭ମସିହାରୁ ଆଇନ ସେବା ପ୍ରାଧିକରଣ କାର୍ଯ୍ୟକାରୀ ହେଉଥିବା ସ୍ଥଳେ ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କହିଥିଲେ । ଅଦ୍ୟାବିଧୀ ଓଡିଶାରେ ୧୭ଗୋଟି ଏହିପରି ଶିବିର ଆୟୋଜନ କରାଯାଇ ୩୭ହଜାର ଲୋକଙ୍କୁ ଆଇନସେବା ସହାୟତା ପ୍ରଦାନ କରାଯାଇଛି । ପ୍ରାକ୍ ଆଇନ ସେବା ସ୍ୱେଚ୍ଛାସେବୀ ରୂପେ କାର୍ଯ୍ୟ କରିବାପାଇଁ ଜନ ସାଧାରଣ ସହଯୋଗ କରିବାକୁ ଜଷ୍ଟିସ୍ ପଣ୍ଡା ଆହ୍ୱାନ ଦେଇଥିଲୋ ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ଗଂଜାମ ଜିଲ୍ଲାର ନୋଡାଲ ଜଜ୍ ଜଷ୍ଟିସ ଡଃ. ଅକ୍ଷୟ କୁମାର ରଥ ନ୍ୟାୟରୁ ବଞ୍ଚିତ ହେଉଥିବା ବ୍ୟକ୍ତି ସେମାନଙ୍କର ସମସ୍ୟା ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ଆଇନ ସେବା ପ୍ରାଧିକରଣକୁ ପତ୍ର ମାଧ୍ୟମରେ ଜଣାଇଲେ ତତକ୍ଷଣାତ୍ ତାଙ୍କୁ ଆଇନ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏହି ଅବସରରେ ଗଂଜାମ ଜିଲ୍ଲା ଜଜ୍ ଜଷ୍ଟିସ ବିଭୂ ପ୍ରସାଦ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟ ଆଇନ ସେବା ପ୍ରଧିକରଣ ସଦସ୍ୟ ସଚ୍ଚିବ ଜଷ୍ଟିସ୍ ଦେବାଶିଷ ନାୟକ ଏହାର ତାତ୍ପର୍ଯ୍ୟ ବିଷୟରେ ବିବରଣୀ ଦେଇଥିଲେ । ସିଭିଲ୍ କୋର୍ଟର ରେଜିଷ୍ଟ୍ରାର ଜଷ୍ଟିସ ଅମିତ କୁମାର ସ୍ୱରୂପସେଠ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚ୍ଚିବ ଜଷ୍ଟିସ ବିଜୟ କୁମାର ଦାଶ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲାର ବିଭିନ୍ନ ଅଂଚଳରେ କାର୍ଯ୍ୟ କରୁଥିବା ୧୬ଗୋଟି ନ୍ୟାୟାଳୟର ବିଚାରପତି ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଅନୁଷ୍ଠିତ ବିଶାଳ ଆଇନ ସହାୟତା ଓ ସେବା ଶିବିର ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେଉଥିବାରୁ ପ୍ରଥମେ ଧନ୍ୟବାଦ ଦେବା ସହ ସ୍ୱାଗତ ଜଣାଇଥିଲେ ଏବଂ ଆଇନ ସେବାକୁ ତୃଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ ।ଗଞ୍ଜାମ ଏସପି ବ୍ରିିଜେଶ କୁମାର ରାଏ ଯୋଗ ଦେଇ ଆଇନର ବିଭିନ୍ନ ଦିଗ ଉପରେ କହିବା ସହ ପୁଲିସ କିପରି ଜନସାଧାରଣଙ୍କୁ ସହଯୋଗ କରୁଛନ୍ତି, ତାଉପରେ ମତ ରଖିଥିଲେ । ଏହି ଅବସରରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ୨୬ଟି ଷ୍ଟଲ ଖୋଲାଯାଇ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ସଚେତନତା କରାଇଥିଲା । ସର୍ବଶିକ୍ଷା ଅଭିଯାନ, ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା କୃଷି ବିଭାଗ, ଜିଲ୍ଲା ସମାଜ ସୂରକ୍ଷା ବିଭାଗ ତରଫରୁ ବିଭିନ୍ନ ସହାୟତା ଅତିଥୀ ମାନଙ୍କ ଦ୍ୱାରା ହିତାଧିକାରୀ ମାନଙ୍କୁ ବଂଟନ କରାଯାଇଥିଲ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ଏସପି ପିନାକ ମିଶ୍ର, ଗଞ୍ଜାମ ଅତିିରିକ୍ତ ଜିଲ୍ଲାପାଳ (ସାଧାରଣ)କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ବିଚାରପତି, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱୟଂସହାୟିକା ଗୋଷ୍ଠୀର ମା’ମାନେ ଓ ଗଞ୍ଜାମ ଜିଲ୍ଲାରୁ ଆସିଥିବା ହଜାର ହଜାର ପୁରୁଷ ଓ ମହିଳାମାନେ ଯୋଗ ଦେଇଥିଲେ । ଶେଷରେ ଜଷ୍ଟିସ ବିଜୟ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ