ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ ରାଉତରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବିକାଶ ମଞ୍ଚ ସୌଜନ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ଦିବଂଗତ ପ୍ରଫୁଲ୍ଲ କୁମାର ରାଉତରାୟଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗୋପାଳପୁର ଯୁବକ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ୍ ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମହାକାଳପଡା ବିକାଶ ମଞ୍ଚ, ରାଜଶ୍ରୀ ତଥା ବେଳାଭୁମି ସାହିତ୍ୟ ସଂସ୍କୃତି ପରିଷଦର ସଭାପତି କାଶିନାଥ ରାଉତରାୟ, ରାଜ୍ୟ ଓଷ୍ଟାର କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ଆଶୁକବି ହେମନ୍ତ ଜେନା, ପୂର୍ବତନ ଶିକ୍ଷାଧିକାରୀ ବିଦ୍ୟୁତ କୁମାର ଖୁଣ୍ଟିଆ, ଅଜୟ କୁମାର ପରିଡା ଭାଗୀରଥି ନନ୍ଦ, ବିଜୟ କୁମାର ନାଥ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ନାରାୟଣ ପଣ୍ଡା, ନରୋତ୍ତମ ପାଇକରାୟ, ବ୍ୟଙ୍ଗକବି ଅପର୍ତ୍ତି ସେଠୀ, ଶିବପ୍ରସାଦ ସ୍ୱାଇଁ ପ୍ରମୁଖ ସ୍ୱର୍ଗତ ରାଉତରାୟଙ୍କ ଦୀର୍ଘ ୪୦ବର୍ଷର ନିର୍ମଳ ଶିକ୍ଷା ସେବା ଉପରେ ସ୍ମୃତି ଚାରଣ କରି ଶ୍ରଦ୍ଧା ନିବେଦନ କରିଥିଲେ । ଗୋପାଳପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ, ମହାକାଳପଡା ଜଗନ୍ନାଥ କମିଟି ସଭାପତି, ମହାକାଳପଡାର ଅନୁଶିକ୍ଷା ନିରୀକ୍ଷକ, ଶିକ୍ଷକ ସଂଘର ଅଗ୍ରଦୁତ ଓ ଅଞ୍ଚଳର ମୂରବୀ ଭାବେ ତାଙ୍କର ବେଶ୍ ସୁନାମ ଥିଲା ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ସର୍ବପ୍ରଥମେ ବେଦ ପାଠ ମଧ୍ୟରେ ଦିବଂଗତ ରାଉତରାୟଙ୍କ ତୈଳ ଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରାଯିବା ସହ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ କ୍ଷେତ୍ରମଣି ଦେଇ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ ସହିତ ସ୍ମୃତି ଚାରଣ କରି ଧନ୍ୟବାଦ ଅର୍ପଣ କରିଥିଲେ । ତାଙ୍କ ଆତ୍ମାର ସନ୍ତୁଷ୍ଟି ଉଦ୍ଦେଶ୍ୟରେ ମଞ୍ଚ ପକ୍ଷରୁ ସଭାପତି କାଶିନାଥ ରାଉତରାୟ ବିଭିନ୍ନ ବିଭାଗରେ କୃତୀତ୍ୱ ଅର୍ଜ୍ଜନ କରିଥିବା ପୂର୍ବ ଶିକ୍ଷାଧିକାରୀ ଅଜୟ କୁମାର ପରିଡା, ବୈକୁଣ୍ଠନାଥ ପ୍ରଧାନ, କେଶବ ଚନ୍ଦ୍ର ପରମାଣିକ, ବ୍ୟଙ୍ଗକବି ଆପର୍ତ୍ତିଚରଣ ସେଠୀ ଓ ଯୁଗରୂପା ବିଦ୍ୟାଭବନର କୃତୀ ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଏବଂ ସାବିତ୍ରୀ କୁଅଁରଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ କର୍ମସାରଥି ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ