ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞଙ୍କ ପରଲୋକ
ଜଗତସିଂହପୁର, (ଅନସୂୟା ରାଉତ) :-ବାଲିକୁଦାପବାଲିକୁଦା ବ୍ଲକ ଅନ୍ତର୍ଗତ ତହସିଲ ଛକରେ ଥିବା ବେହେରା ନର୍ସିଂ ହୋମ ମୁଖ୍ୟ ଡା ନରହରି ବେହେରାଙ୍କ ଗତ ମଧ୍ୟ ରାତ୍ରିରେ ପରଲୋକ ଘଟିଛି । ଡା ବେହେରା ଜଣେ ସୁନାମ ଧନ୍ୟ ଶିଶୁ ରୋଗ ବିଶେଷଜ୍ଞ ଭାବେ ପ୍ରସିଦ୍ଧିଲାଭ କରିଥିଲେ । ବାଲିକୁଦା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ଓ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଦକ୍ଷତାର ସହିତ କାର୍ଯ୍ୟ କରି ସମସ୍ତଙ୍କ ହୃଦୟକୁ ଜୟ କରିଥିଲେ । ସେବା ମନୋଭାବ ରଖି ନିଜ ବାସଭବନରେ ଶିଶୁମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ଡା ବେହେରା ଜଗତସିଂହପୁର ଜିଲ୍ଲାର ମାନବ ରୂପରେ ଭଗବାନ ଥିଲେ । ଆଜି ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ତଥା ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି, ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପ୍ରଧାନ, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସକମଣ୍ଡଳୀ, ସାମ୍ବାଦିକ ବିପିନ୍ ବିହାରୀ ସେଠୀ, ଶିକ୍ଷକ ମହେନ୍ଦ୍ର ରାଉତ, ହରେକୃଷ୍ଣ ଦାସ, ବାଲିକୁଦାର ସମସ୍ତ ନର୍ସ, ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଡାକ୍ତର ବେହେରାଙ୍କ ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ ।


