ବିଶିଷ୍ଟ ସମାଜବାଦୀ ନେତା ପ୍ରଶାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡ଼ିଶା ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପୁରୋଧା ପ୍ରଶାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଓଡ଼ିଶା ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକଙ୍କ ପୌରହିତ୍ୟରେ ଆଜି ଉତ୍କଳ ସାମ୍ବାଦିକ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ କହିଲେ ଯେ, ଜୀବନରେ ପଦବୀ ଆଶା ନରଖି ଜୟପ୍ରକାଶ ନାରାୟଣଙ୍କ ପ୍ରେରଣାରେ ସଦାସର୍ବଦା ସାଧାରଣ ମଣିଷର ଅଭାବ ଅସୁବିଧା ଦୂର କରିବାକୁ ଚିନ୍ତା କରି ଆସିଥିବା ପ୍ରଶାନ୍ତ ମିଶ୍ରଙ୍କ ଭଳି ବିରଳ ବ୍ୟକ୍ତିତ୍ୱ ଖୁବ୍ କମ୍ । ଆଜିର ଯୁବସମାଜ ତାଙ୍କ ଜୀବନୀରୁ ଶିଖିବା ଉଚିତ । ନିର୍ବାଚନ କମିଶନଙ୍କ ଉପଦେଷ୍ଟା ଡଃ ଭଗବାନ ପ୍ରକାଶ, ପ୍ରଶାନ୍ତ ମିଶ୍ରଙ୍କ ନିସ୍ୱାର୍ଥପର ସମାଜସେବା ଓ ଶ୍ରମିକ ଆନ୍ଦୋଳନରେ ତାଙ୍କର ଅବଦାନକୁ ଭୂରି ଭୂରି ପ୍ରଶଂସା କରିଥିଲେ । ବରିଷ୍ଠ ସାମ୍ବାଦିକ ରବି ଦାସ ତାଙ୍କ ସ୍ମୃତି ମନେ ପକାଇ ସ୍ୱାର୍ଥ ପରିତ୍ୟାଗ କରି ସେତେବେଳେ ନନ୍ଦିନୀ ଶତପଥୀଙ୍କୁ ଛାଡ଼ି ମାଳତୀ ଚୌଧୁରୀଙ୍କୁ ନିର୍ବାଚନରେ ସହଯୋଗ କରିବା ଭଳି ମହାନ କାର୍ଯ୍ୟକୁ ଉଦାହରଣ ଦେଇ ତାଙ୍କର ବ୍ୟକ୍ତିତ୍ୱର ଅବତାରଣା କରିଥିଲେ । ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ତାଙ୍କର କୌଣସି ଅଭିଳାଷ ନରଖି ନିସ୍ୱାର୍ଥପର ଜନସେବାକୁ ଆଲୋକପାତ କରିବା ସହ ଆଗାମୀ ସୁବାର୍ତ୍ତା ବାର୍ଷିକୋତ୍ସବରେ ପ୍ରଶାନ୍ତ ମିଶ୍ର ସମ୍ମାନ ପ୍ରଦାନ ପାଇଁ ଘୋଷଣା କରିଥିଲେ । ଜାତୀୟ ମାନବାଧିକାର କମିଶନ ସଦସ୍ୟ ମନୋଜ ଜେନା ସ୍ୱର୍ଗତ ମିଶ୍ର ପ୍ରତ୍ୟେକ ମଣିଷକୁ ତାର ମାନବିକ ଅଧିକାର ପ୍ରଦାନ କରିବାକୁ ସମାଜବାଦୀ ଚେତନା ଜାଗ୍ରତ କରିବା କ୍ଷେତ୍ରରେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସେଥିପାଇଁ ସୁବଦିନ ମନେ ରହିବ ବୋଲି କହିଥିଲେ । ପୂର୍ବତନ ବିଧାୟକ ନିମାଇଁ ସରକାର ପୋଲଭରମ ଆନ୍ଦୋଳନ ପାଇଁ ପ୍ରଶାନ୍ତ ମିଶ୍ରଙ୍କ ସହଯୋଗ ସମ୍ପର୍କରେ କହିବା ସହିତ ଆଗାମୀ ଦିନରେ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତମାନଙ୍କ ସପକ୍ଷରେ ପୁନର୍ବାର ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଥିଲେ । ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସ୍କୁଲ୍ ପାଠ୍ୟକ୍ରମରେ ମହାପୁୁରୁଷ ମାନଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ଅଧିକରୁ ଅଧିକ ରହିଲେ ପିଲାମାନେ ବେଶୀ ଅନୁପ୍ରାଣିତ ହେବା ସହ ଶୃଙ୍ଖଳିତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସାମ୍ବାଦିକ ରମେଶ ମହାନ୍ତି ପ୍ରଶାନ୍ତ ମିଶ୍ରଙ୍କ କାର୍ଯ୍ୟଶୈଳୀକୁ ଆଜିର ନେତାମାନେ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଯୁବନେତା ଲଲାଟେନ୍ଦୁ ଶତପଥୀ ଆଜିର ଯୁବସମାଜ ପ୍ରଶାନ୍ତ ମିଶ୍ରଙ୍କ କାର୍ଯ୍ୟଧାରାରୁ ଅନୁପ୍ରାଣିତ ହେବାକୁ ଗୁରୁତ୍ୱ ଦେଇଥିଲେ । ଓଡ଼ିଶା ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ ପ୍ରଶାନ୍ତ ମିଶ୍ରଙ୍କ ତ୍ୟାଗ ଓ ନିଷ୍ଠା ଖୁବ୍ କମ୍ ବ୍ୟକ୍ତିଙ୍କ ନିକଟରେ ଥାଏ । ତେଣୁ ପ୍ରତ୍ୟେକ ମଣିଷ ପ୍ରଥମେ ଭଲ ମଣିଷ ହେବାକୁ ଚେଷ୍ଟା କରିବାକୁ ମତ ଦେଇଥିଲେ । ପରିଶେଷରେ ଇଂ ପଟ୍ଟନାୟକ କହିଥିଲେ ଯେ, ସମାଜସେବୀ ମାନଙ୍କ ଜୀବନବ୍ୟାପୀ ନିଃସ୍ୱାର୍ଥପର କାର୍ଯ୍ୟକଳାପକୁ ସରକାର ସ୍ୱିକୃତି ନ ଦେଲେ ବି ନାଗରିକ ସମାଜ ଦେବ ଏବଂ ପ୍ରଚାର ପ୍ରସାର ମଧ୍ୟ କରିବ । ସତ୍ୟବ୍ରତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।