ବିଶିଷ୍ଟ ସମାଜସେବୀ କୃତ୍ତିବାସ ଆଚାର୍ଯ୍ୟଙ୍କ ଦେହାନ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ସମାଜସେବୀ କୃତ୍ତିବାସ ଆଚାର୍ଯ୍ୟଙ୍କର ପୋଲିସ୍ ଲାଇନ୍ ନିକଟସ୍ଥ ପଢ଼ୁଆଁପଦା ବାସଭବନରେ ଗତକାଲି ରାତି ୨ଟା ସମୟରେ ୯୦ ବର୍ଷର୍ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ମଧ୍ୟମପୁତ୍ର ଶ୍ରୀବତ୍ସ ଆଚାର୍ଯ୍ୟ ଓ ପରିଚାରିକା ସୁନୀତା ଉପସ୍ଥିତ ଥିଲେ । ଆଜି ସକାଳେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ, ବାଲେଶ୍ୱରର ସଭାପତି ବନମାଳୀ ନାୟକ, ସଂପାଦକ ବସନ୍ତ କୁମାର ନାୟକ, ଅର୍ଥ ସଂପାଦକ ଦାମୋଦର ନାୟକ, ସଂଗଠନ ସମ୍ପାଦକ ସୁଜିତ୍ କୁମାର ଜେନା, ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ, ଲୋକନାଥ ଆଚାର୍ଯ୍ୟ ତାଙ୍କ ବାସଗୃହକୁ ଯାଇ ତାଙ୍କର ଶେଷଦର୍ଶନ କରିବା ସଂଗେସଂଗେ ମର ଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ସମାଜସେବୀ ପ୍ରଫୁଲ୍ଲ କୁମାର ଦାସ, ପୃଥ୍ୱୀରାଜ ପଣ୍ଡା, ବିଶ୍ୱଦର୍ଶୀ ପଣ୍ଡା, ସରୋଜିନୀ ପଣ୍ଡା, ଲିଙ୍ଗରାଜ ପଣ୍ଡା, ପ୍ରିୟବ୍ରତ ନାୟକ, ଶୋବେନ୍ଦ୍ରନାଥ ଘୋଷ, ବ୍ରଜେନ୍ଦ୍ର ନାଥ ମହାପାତ୍ର, ଭାଗବତ ପ୍ରସାଦ ମହାନ୍ତି, ସ୍ୱର୍ଗତ ଆଚାର୍ଯ୍ୟଙ୍କର ପରିବାରର ପୀତବାସ ଆଚାର୍ଯ୍ୟ, ଶ୍ରୀନିବାସ ଆଚାର୍ଯ୍ୟ, ପ୍ରସନ୍ନ, ଶିଶିର, ରବୀନ୍ଦ୍ର, ଗଜେନ୍ଦ୍ର, ତାଙ୍କର ସଢ଼ୁ ବଳରାମ ପଣ୍ଡା, ବୈଦ୍ୟନାଥ ପଣ୍ଡା, ତାଙ୍କର ଶାଳକ, ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ ଅନୁପ ଘୋଷ, ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ, ବାଙ୍ଗରାର ଅଧ୍ୟକ୍ଷ ଶଶିଭୂଷଣ କର, ପ୍ରମୋଦ ଦାସ ପ୍ରମୁଖ ଶେଷଦର୍ଶନ କରିଥିଲେ ।ସ୍ୱର୍ଗତ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କର ଅର୍ଥବିଭାଗରେ ଡେପୁଟି ସେକ୍ରେଟାରୀ ଭାବେ ୧୯୯୨ ମସିହାରେ ଅବସର ଗ୍ରହଣ କରିବାପରେ ଆମ ଜିଲ୍ଲାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ସମସ୍ୟାର ନିରାକରଣ ନିମନ୍ତେ ବାଲେଶ୍ୱର ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ୧୯୯୬ରେ ଉପସଭାପତି ଓ ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ସଭାପତି ଓ ମୃତ୍ୟୁ ପର୍ଯ୍ୟନ୍ତ ଉପଦେଷ୍ଟା ଭାବେ ସୁପରାମର୍ଶ ଦେଇ ସଂଘ ପରିଚାଳନାରେ ସହାୟତା କରୁଥିଲେ । ଏତଦ୍ବ୍ୟତୀତ କୁରୁଡ଼ା ନିକଟବର୍ତ୍ତୀ ବାଙ୍ଗରା ଠାରେ ‘ନୀଳ କଣ୍ଠେଶ୍ୱର ମହାବିଦ୍ୟାଳୟ’ ପ୍ରତିଷ୍ଠା ଓ ଅନେକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାରେ ଆର୍ଥିକ, ଶାରୀରିକ ଅବଦାନ ରଖି ଶିକ୍ଷାର ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ବାଲେଶ୍ୱରରେ ଥିବା ଅନ୍ୟ ସାମାଜିକ ସଂଗଠନରେ ମଧ୍ୟ ସେ ସଂଶ୍ଳିଷ୍ଟ ଥିଲେ ।ଅନ୍ତିମ ସଂସ୍କାର ନିମନ୍ତେ ତାଙ୍କର ମର ଶରୀରକୁ ପୁରୀସ୍ଥିତ ସ୍ୱର୍ଗଦ୍ୱାର ନିଆଯାଇଛି । ସେଠାରେ ମୁମ୍ବାଇରେ ରହୁଥିବା ବଡ଼ପୁଅ ଓ ରାଉରକେଲାରେ ରହୁଥିବା ସାନପୁଅ ଶେଷକୃତ୍ୟରେ ସାମିଲ ହେବେ ବୋଲି ଜଣାଯାଇଛି ।


