ବିଶିଷ୍ଠ ମୃଦଙ୍ଗବାଦକ ତଥା ରାଜବାଟିର ପୂର୍ବତନ ସରଘର ଗୁମସ୍ତାଙ୍କ ପରଲୋକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଅଙ୍କ ସାହି ବାସିନ୍ଦା ତଥା ବିଶିଷ୍ଠ ମୃଦଙ୍ଗବାଦକ ଏବଂ ପାରଳା ରାଜବାଟିର ପୁର୍ବତନ ସରଘର ଗୁମସ୍ତା ଦେବେନ୍ଦ୍ର ନାଥ ପଟ୍ଟନାୟକଙ୍କ ୯୩ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ ଏକ ସପ୍ତାହ ହେବ ଅସୁସ୍ଥ ହୋଇ ନିଜ ବାସଭବନରେ ଚିକିତ୍ସିତ ହେଉଥିଲେ । ସେ ନିତ୍ୟାନନ୍ଦ ପାଠାଗାରର ମୁଖ୍ୟ ଉପଦେଷ୍ଟା ରହିବା ସହ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନ ଓ ମାନପତ୍ର ପାଇଥିଲେ । ସେ ଜଣେ ବିଶିଷ୍ଠ ମୃଦଙ୍ଗ ବାଦକ ଭାବେ ପାରଳାଖେମୁଣ୍ଡି ସହର ଏବଂ ଆଖପାଖ ଅଞ୍ଚଳରେ ବେସ ଜଣା ଶୁଣାଥିଲେ । ସେ ଅଷ୍ଟ ପ୍ରହର ନାମ ଯଜ୍ଞ, ଗୀତା ପାରାୟଣ ଇତ୍ୟାଦି ବିଭିନ୍ନ ଧାର୍ମିକ କାର୍ଯ୍ୟରେ ମୃଦଙ୍ଗ ବଜାଇବା ସହ ନାମସଂକୀର୍ତ୍ତନ କରି ବେସ ପରିଚିତ ଥିଲେ । ଏହା ସହ ସେ ପାରଳାଖେମୁଣ୍ଡି ରାଜ ପରିବାରରେ ୧୯୫୨ ମସିହା ଠାରୁ ପ୍ରାୟ ୨୦୦୦ ମସିହା ପର୍ଯ୍ୟନ୍ତ ଜଣେ ସକ୍ରିୟ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ବିୟୋଗରେ ସହରର ବିଭିନ୍ନ ଧର୍ମାନୁଷ୍ଠାନ ଏବଂ ଅନୁଷ୍ଠାନ ବିଶେଷ କରି ଧାର୍ମିକ ଗୋଷ୍ଠୀ ଗୁଡିକ ଗଭୀର ଶୋକ ପ୍ରକଟ କରିଛନ୍ତି । ସେ ଆଞ୍ଚଳିକ ଲୋକ କଳାକୁ ଉଜ୍ଜୀବିତ ରଖିବାରେ ସକ୍ରିୟ ଭୂମିକା ଗ୍ରହଣ କରିଆସିଥିଲେ । ଏହା ସହ ସେ ସଂକୀର୍ତ୍ତନ ଦଳ ଗଠନ କରି ଲୋକ ମାନଙ୍କ ନିକଟରେ ପ୍ରିୟପାତ୍ର ହୋଇଥିଲେ । ତାଙ୍କ ବିୟୋଗରେ ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ସେକ୍ସୋଫନ୍ ବାଦକ ଆଇ.ମନ୍ମମଥ ରାଓ, ବିଶିଷ୍ଠ ନାଟ୍ୟକାର ଦେବେନ୍ଦ୍ର ଦାସ, ପ୍ରବୀଣ ପଣ୍ଡା, ନୃସିଂହ ଚରଣ ପଟ୍ଟନାୟକ,ସୁର୍ଯ୍ୟନାରାୟଣ ପଟ୍ଟନାୟକ,ବିଚିତ୍ରା ନନ୍ଦ ବ୍ୟବର୍ତ୍ତା,ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର,ଗୌର ଚନ୍ଦ୍ର ପଣ୍ଡା,ଭାରତ ଭଷଣ ମହାନ୍ତି,କୈଳାଶ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।