ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ବିଡ଼ିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର. ଉଦୟଗିରି ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଦିଗହରା ହୋଇଯାଇଛି. ସମଗ୍ର ରାଜ୍ୟରେ ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସକାଶେ ସରକାର ବସୁଧା କାର୍ଯ୍ୟକାରୀ କରିଛନ୍ତି. କିନ୍ତୁ ଆର. ଉଦୟଗିରି ଗ୍ରାମରେ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପର ପାଇପରେ ଅଧିକାଂଶ ଦିନ ପାଣି ଆସୁନାହିଁ. ଯାହା ଫଳରେ କି ଗ୍ରାମ ନିକଟରେ ଥିବା ଝରଣାର ଗୋଳିଆ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି. ଯଦ୍ୱାରା କି ଲୋକମାନେ ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହେଉଛନ୍ତି. ଏ ବିଷୟରେ ବିଭାଗୀୟ ଯନ୍ତ୍ରୀଙ୍କ ନିକଟକୁ ଯାଇ ବାରମ୍ବାର ଅଭିଯୋଗ କଲେ ବି କୌଣସି ପ୍ରକାର ସୁଫଳ ମିଳୁନାହିଁ. ଏହି କାରଣରୁ ଗ୍ରାମବାସୀମାନେ ଆର. ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମାନ ଖଶ୍ରେଲଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି. ଏହି ଦାବିପତ୍ରରେ ଅସିତ କୁମାର ସୁନ୍ଦରାୟ ପାତ୍ର, କମଳ କାନ୍ତ ମାଳ ବିଷୋୟୀ, ପ୍ରତାପ ବଡ଼ ନାୟକ,ମନୋଜ ପାଇକ, ବାପିନ ରଣଜିତ ଓ ମନୋଜ ରାଇକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ.


