ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ଗାରିମାକୁ କ୍ଷୁର୍ଣ୍ଣ କରୁଛି ଏଏସଆଇ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ଐତିହ୍ୟ କୋଣାର୍କର ଗର୍ବ ଓ ଗୌରବ ହେଉଛି ସୂର୍ଯ୍ୟମନ୍ଦିର। ଯାହାର ଐତିହ୍ୟ, ସ୍ଥାପତ୍ୟ, କଳା, ସଂସ୍କୃତି ଓ ସ୍ଥାପତ୍ୟ ବିଶ୍ବରେ ଅନନ୍ୟ ଓ ଅଦ୍ବିତୀୟ। ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଓଡ଼ିଶାର ଅସ୍ମିତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର। କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷ ଐତିହ୍ୟ ସ୍ଥଳୀର ଗାରିମା ଓ କଳାକୃତିର ମର୍ଯ୍ୟାଦା ରଖିବା ପରିବର୍ତ୍ତେ ସୂର୍ଯ୍ୟ ମନ୍ଦିରର ମୁଖଶାଳାରେ ଲଗାଇଥିବା ଲାଇଟ ମନ୍ଦିର ଉପରେ ଗାର ଗାର ହୋଇପଡିବା ଫଳରେ ଏହା ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଗାରିମା ଓ ସଂସ୍କୃତିର ମର୍ଯ୍ୟାଦାହାନି କରୁଛି ବୋଲି କୋଣାର୍କ ପରିଦର୍ଶନରେ ଆସିଥିବା ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପଦ୍ମଶ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଏହି ଲାଇଟ ଦ୍ବାରା ମନ୍ଦିରକୁ ଦୂରରେ ଥାଇ ଦେଖିଲେ ତାହା ପ୍ରାଚୀନ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଏକ ଗେଟ ଭଳି ଲାଗୁଛି ଯାହା ଆମ ଗର୍ବ ଓ ଗୌରବର ଐତିହ୍ୟ ପ୍ରତି କୁଠାରଘାତ ସଦୃଶ ବୋଲି ପ୍ରକାଶ କରିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର ଦାୟିତ୍ବରେ ଥିବା ଏଏସଆଇ କର୍ତୃପକ୍ଷ ୟୁନେସ୍କୋ ଓ ଐତିହ୍ୟ ସୁରକ୍ଷା ଆଇନ ମୁତାବକ ଐତିହ୍ୟର ଗାରିମା ବୃଦ୍ଧି ନିମନ୍ତେ ସୁନ୍ଦର ଆଲୋକ ବ୍ୟବସ୍ଥା କରିବା ପରିବର୍ତ୍ତେ କଳାକୃତିକୁ ବିବର୍ଣ୍ଣ କରିବା ଭଳି ଲାଇଟ ବ୍ୟବହାର କରିବା ଓଡ଼ିଆ ଜାତିର ଅସ୍ମିତା ଓ ସଂସ୍କୃତି ପ୍ରତି ଏଏସଆଇର ବୈମାତୃକ ମନୋଭାବର ପରିଚାୟକ ବୋଲି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୂର୍ଯ୍ୟ ମନ୍ଦିର ଦାୟିତ୍ବରେ ଥିବା କେନ୍ଦ୍ର ସରକାରଙ୍କ ଏଏସଆଇ ମହାନିର୍ଦ୍ଦେଶକ ଙ୍କୁ ଟ୍ୱିଟ଼ କରି ଏହି ଲାଇଟ ହଟାଇ ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିରକୁ କରୁଥିବା ଐତିହ୍ୟ ଆଇନ ମୁତାବକ ଲାଇଟ ଲଗାଇ ଏହାର ଗାରିମା ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି।


