ବିଶ୍ବ ହକିକପ୍ କୁ ଗଞ୍ଜାମ ଜିଲ୍ଲାରେ ଭବ୍ୟ ସ୍ବାଗତ କରାଯିବା ନେଇ ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାକୁ ଚଳିତ ମାସ ୨୮ ତାରିଖରେ କନ୍ଧମାଳ ଜିଲ୍ଲାରୁ ଆସୁଥିବା ବିଶ୍ବ ହକିକପ୍ ର ସମ୍ମାନାର୍ଥେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାର ଦୂର୍ଗାପ୍ରସାଦ ଠାରେ ଉକ୍ତ ବିଶ୍ବ ହକିକପ୍ କୁ ସାଦରରେ ଜିଲ୍ଲା ପ୍ରଶାସନ ଦ୍ବାରା ମହା ଆଡମ୍ବର ସହକାରେ ସ୍ବାଗତ କରାଯିବ । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜୁମ୍ ଆଭାସୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବଗତ କରାଇଥିଲେଯେ ହକି ବିଶ୍ବକପ୍ ଆମ ଗର୍ବ ଓ ଗୌରବ । ଏଣୁ ଏହି କପ୍ ଜିଲ୍ଲା ମଧ୍ୟଦେଇ ଗତି କରିବା ସମୟରେ ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷାବିତ୍, ଜନ ପ୍ରତିନିଧି ଓ ଜନ ସାଧାରଣଙ୍କ ମିଳିତ ଉଦ୍ୟମରେ ଏହାକୁ ସ୍ବାଗତ କରାଯିବ । ସେଥିନେଇ ଯୋଜନା ପ୍ରସ୍ତୁତ କରିବାକୁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ଦୂର୍ଗା ପ୍ରସାଦ ଠାରେ ଏହି ଟ୍ରଫିକୁ ସ୍ବାଗତ ଜଣାଇ ଭଞ୍ଜନଗର ମଧ୍ୟ ଦେଇ ଆସ୍କା ଠାରେ ପହଞ୍ଚିବା ପରେ ସ୍ବାଗତ କରିବା ସହ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ । ପରେ ପରେ ହିଞ୍ଜିଳି ମିନି ଷ୍ଟାଡିୟମ୍ ଠାରେ କପ୍ ଟିକୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମ୍ବର୍ଦ୍ଧନା ଦିଆଯିବ । ସ୍ଥାନୀୟ କ୍ରୀଡାବିତ୍ ମାନଙ୍କୁ ସମ୍ମାନୀତ କରାଯିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିଠାରୁ ତାରାତାରିଣୀ ପୀଠରେ ପହଞ୍ଚିବ । ମା ତାରା ତାରିଣୀଙ୍କ ଆଶୀର୍ବାଦ ଲାଭ କରି ପୁନର୍ବାର ଏହା ଛତ୍ରପୁର ଖେଳ ପଡିଆ ଠାରେ ପହଞ୍ଚିବ । ଛତ୍ରପୁର ଖେଳ ପଡିଆ ଠାରେ ହକି ଓ ଭଲିବଲ୍ ମ୍ୟାଚ୍ କ୍ରୀଡାବିତ୍ ମାନଙ୍କ ଦ୍ବାରା ଆୟୋଜିତ ହେବ ଓ ସେମାନଙ୍କୁ ସମ୍ମାନୀତ କରାଯିବ । ସେହି ଠାରୁ ବ୍ରହ୍ମପୁର ଗସ୍ତରେ ଆସି ରାତ୍ର ରହଣୀ ହେବ । ୨୯ ତାରିଖ ପୂର୍ବାହ୍ନରେ ଏକ ବିଶାଳ ରାଲି ମଧ୍ୟରେ ବ୍ରହ୍ମପୁର ସହର ପରିକ୍ରମା ପୂର୍ବକ ରାମ ଲିଙ୍ଗମ୍ ପୋଖରୀ ଠାରେ ପହଞ୍ଚିବ । ରାମ ଲିଙ୍ଗମ୍ ପୋଖରୀ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହିତ କ୍ରୀଡାବିତ୍ ମାନଙ୍କୁ ସମ୍ମାନୀତ କରାଯିବ ଏବଂ ସେହି ଠାରୁ ତପ୍ତପାଣି ଗସ୍ତକରି ଗଜପତି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକରେ ଜନ ସାଧାରଣ କିଭଳି ବିପୁଳ ପରିମାଣରେ ଅନ୍ତର୍ଭୁକ୍ତ ହେବେ ତାର ପ୍ରସ୍ତୁତି କରିବାକୁ କୁହାଯାଇଛି । ନିରାପତ୍ତାର ସହିତ ବିଶ୍ବ ହକିକପ୍ ଟି ଯେପରି ଜିଲ୍ଲାରେ ପରିଭ୍ରମଣ କରିପାରିବ ସେଥି ସକାଶେ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ କୁହାଯାଇଛି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମସ୍ତ କାର୍ଯ୍ୟକ୍ରମର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଞ୍ଜାମ କିର୍ତ୍ତୀଭାସନ୍ ଭି ଏହାକୁ କିପରି ବ୍ୟାପକ ଭାବେ ପ୍ରଚାର ପ୍ରସାର, ସାଂସ୍କୃତିକ ଦଳଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିବେଷଣ ଇତ୍ୟାଦି ସମ୍ପର୍କରେ ଜଣାଇଥିଲେ। ବ୍ରହ୍ମପୁର ମନହାନଗର ନିଗମ କମିଶନର୍ ଜେ ସୋନାଲ୍ ରାମଲିଙ୍ଗମ୍ ଟ୍ୟାଙ୍କ ଠାରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚାଇଥିଲେ । ଜୁମ୍ ଆଭାସୀ ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ