ବିଶ୍ଵଶାନ୍ତି ମହାଯଜ୍ଞ ଓ ଗୋ – ଶାଳା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଡ଼ବୁରୁଡ଼ା ଗ୍ରାମ ଶବରୀ ମାତା ଆଶ୍ରମ ଆନୁକୁଲ୍ୟରେ ରବିବାର ପବିତ୍ର ଶ୍ରୀରାମ ନବମୀ ଅବସରରେ ୧୦୮ କୁଣ୍ଡିୟ ବିଶ୍ଵଶାନ୍ତି ବୈଦିକ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରାଜ୍ୟ ବାଣିଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା କରିବାସହ ସେଠାରେ ପ୍ରତିଷ୍ଠା ହେବାକୁ ଥିବା କାମଧେନୁ ଗୋ – ଶାଳା ନିମନ୍ତେ ଭିତ୍ତିପ୍ରସ୍ତର କରିଥିଲେ।ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର, ବଂଶଧାରା ନାଗାବଳୀ ଜଳସମ୍ପଦ ବିଭାଗ ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ.ନଗେନ୍ଦ୍ର ମହାରଣା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀକାନ୍ତ ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗ୍ରାମର ପ୍ରସ୍ତାବିତ ଶ୍ରୀରାମ ମନ୍ଦିର ସ୍ଥଳରେ ଆୟୋଜିତ ୧୦୮ କୁଣ୍ଡୀୟ ବିଶ୍ଵଶାନ୍ତି ବୈଦିକ ମହାଯଜ୍ଞ କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ ସଂଖ୍ୟକ ପଣ୍ଡିତ,ପୁରୋହିତ ଙ୍କ ବେଦମନ୍ତ୍ର ଧ୍ଵନି ରେ ମହାଯଜ୍ଞ ସ୍ଥଳ ପ୍ରକମ୍ପିତ ହୋଇଥିଲା।ବ୍ରହ୍ମପୁର ଆର୍ଯ୍ୟ ସମାଜ ର କାର୍ଯ୍ୟକର୍ତ୍ତା,ଗ୍ରାମର କୁଇ ସମାଜ ବନବାସୀ ବୃନ୍ଦ ଏବଂ ଆଖପାଖର ଗ୍ରାମବାସୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ମହାଯଜ୍ଞ ଏବଂ ଗୋ – ଶାଳା ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ବ୍ରହ୍ମପୁର, ଦିଗପହଣ୍ଡି ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।