ବିଶ୍ୱକପ ପାଇଁ ଚୂୂଡାନ୍ତ ହେଲା ନ୍ୟୁଜିଲ୍ୟାଣ୍ଡ ଟିମ
ଗୋଟିଏ ପଟେ ଆଇପିଏଲର ନିଶା କ୍ରିକେଟ ଫ୍ୟାନଙ୍କୁ ମତୁଆଲା କରିଥିବା ବେଳେ ଅନ୍ୟପଟେ ବିଶ୍ୱକପର ରଙ୍ଗ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି। ଆସନ୍ତାମାସରେ ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟିମ୍ ଭାବେ ୧୫ଜଣିଆ ଦଳର ଘୋଷଣା କରିଛି।
ଏହି ଟିମର ନେତୃତ୍ୱ ନେବେ କେନ୍ ୱିଲିୟମସନ୍। ତେବେ ସବୁଠାରୁ ସରପ୍ରାଇଜ୍ କଥା ହେଉଛି ଟିମରେ ଅନକ୍ୟାପଡ ୱିକେଟକିପର ଟମ୍ ବ୍ଲଣ୍ଡେଲଙ୍କୁ ସାମିଲ କରାଯାଇଛି। ଯଦି ବ୍ଲଣ୍ଡେଲ ବିଶ୍ୱକପର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି, ତାହେଲେ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ସେ ନିୟମିତ ୱିକେଟକିପର ଟମ୍ ଲାଥମଙ୍କ ବ୍ୟାକଅପ୍ ଭାବେ ରହିବେ।
ଏହା ପୂର୍ବରୁ ଟିମ୍ ସିଫର୍ଟ ୱିକେଟକିପର ଭାବେ ଟିମରେ ସାମିଲ ଥିଲେ। କିନ୍ତୁ ଅଙ୍ଗୁଳିରେ ଆଘାତ କାରଣରୁ ସିଫର୍ଟ ଟିମରୁ ବାହାରେ ଅଛନ୍ତି। ଟିମର ବ୍ୟାଟିଂ ବିଭାଗ ବେଶ ମଜଭୁତ। ଓପ୍ନର ଭାବେ ମାର୍ଟିନ୍ ଗପ୍ଟିଲ ଓ ହେନରୀ ନିକୋଲ୍ସ ନିଜ ନିଜର ସ୍ଥାନ ବଜାୟ ରଖିଛନ୍ତି। ଏହା ପରେ ୱିଲିୟମସନ୍, କଲିନ୍ ମୁନରୋ, ଲାଥମ, ଭେଟେରାନ୍ ରସ ଟେଲର ମଧ୍ୟକ୍ରମ ସମ୍ଭାଳିବେ।ଅଧିନାୟକ ଭାବେ ୧୦୦ତମ ମ୍ୟାଚରେ ବିରାଟ୍ ଫେଲ୍
ୱିଲିୟମସନ୍ ଓ ଟେଲରଙ୍କ ପାଖରେ ୫୨୬ ଦିନିକିଆ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି। ଏହି ଦୁହିଁଙ୍କ ଯୋଡ଼ି ଦଳ ପାଇଁ ବିଶ୍ୱକପରେ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରେ। ଟେଲର ସପ୍ତମ କିୱି ଖେଳାଳି ଭାବେ ଚତୁର୍ଥଥର ବିଶ୍ୱକପ୍ ଖେଳିବେ।
ଅଲରାଉଣ୍ଡର ଭୂମିକା ତୁଲାଇବେ କଲିନ୍ ଡି’ଗ୍ରାଣ୍ଡହୋମ୍ ଓ ଜେମ୍ସ ନିଶାମ। ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ, ମ୍ୟାଟ୍ ହେନରୀ ଓ ଲକି ଫର୍ଗୁସନ୍ ପେସ୍ ବ୍ୟାଟେରୀ ସମ୍ଭାଳିବେ। ସ୍ପିନର ଭୂମିକା ତୁଲାଇବେ ମିଚେଲ ସାଣ୍ଟନର ଓ ଇଶ ସୋଢୀ। ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ତା’ର ଅଭିଯାନ ଜୁନ୍ ୧ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ କରିବ।
ନ୍ୟୁଜିଲ୍ୟାଣ୍ଡ ଦଳ: କେନ୍ ୱିଲିୟମସନ୍ (ଅଧିନାୟକ), ଟମ୍ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, କଲିନ୍ ଡି’ଗ୍ରାଣ୍ଡହୋମ, ଲକି ଫର୍ଗୁସନ୍, ମାର୍ଟିନ୍ ଗପ୍ଟିଲ, ମ୍ୟାଟ୍ ହେନରୀ, ଟମ୍ ଲାଥମ, କଲିନ୍ ମୁନରୋ, ଜେମ୍ସ ନିଶାମ, ହେନରୀ ନିକୋଲ୍ସ, ମିଚେଲ ସାଣ୍ଟନର, ଇଶ ସୋଢୀ, ଟିମ୍ ସାଉଦି, ରସ ଟେଲର ।


