ବିଶ୍ୱକବିଙ୍କ ପ୍ରେମିକା

ନାରୀର ପ୍ରେମ ମନ ଓ ହୃଦୟରେ ଫୁଟେଇଦିଏ ଫୁଲ । ଯେଉଁ ଫୁଲ ମଉଳିଗଲେ ବି ତା’ର ମଧୁର ମହକରେ ମତୁଆଲା କରି ରଖିଥାଏ ତମାମ୍ ଜୀବନ । ନାରୀର ପ୍ରେମ ନେଇ ଏ କଥା କହିଥିଲେ ସାହିତ୍ୟ ପାଇଁ ନୋବେଲ ବିଜେତା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର । ଯାହାର ପ୍ରମାଣ ଫୁଟିଉଠିଛି, ବିଶ୍ୱକବିଙ୍କ ଜୀବନର ପ୍ରତିଟି ପାହାଚରେ ।
କାଦମ୍ବରୀ ହିଁ ପ୍ରଥମ ପ୍ରେମ
ରବୀନ୍ଦ୍ରନାଥଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ୧୦ ମାସ, ଯେତେବେଳେ ତାଙ୍କ ଭିତରେ ଖପ୍‌ଖାପ୍ ଡେଉଁଥିଲା ଗୋଟିଏ କିଶୋର ହୃଦୟ, ଯେତେବେଳେ ତାଙ୍କୁ ଜଣା ନ ଥିଲା କ’ଣ ହୋଇପାରେ ଫୁଲ ଆଉ ପ୍ରଜାପତିର ସମ୍ପର୍କ, ସେତେବେଳେ ତାଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ମା’ ଶାରଦା ଦେବୀ । ଉଦାସ ହୋଇ ଦିନେ ସେ ବଗିଚାରେ ବସିଥିବାବେଳେ କାହାର କଅଁଳ ହାତ ଥାପି ହୋଇଗଲା ତାଙ୍କ କାନ୍ଧରେ । ବୁଲି ଦେଖିଲେ, ପାଖରେ ଅଛନ୍ତି ତାଙ୍କ ସାନ ଭାଉଜ କାଦମ୍ବରୀ ଦେବୀ । ରବୀନ୍ଦ୍ରଙ୍କ ସବୁକଥା ବୁଝୁଥିଲେ କାଦମ୍ବରୀ । କାଦମ୍ବରୀ ହିଁ ଥିଲେ ରବୀନ୍ଦ୍ରଙ୍କ ଅଝଟ କୈଶୋର, ଆଦ୍ୟ ଯୌବନର ଖେଳସାଥୀ, ମା’, ପ୍ରେମିକା ମଧ୍ୟ । କିନ୍ତୁ ରବୀନ୍ଦ୍ର ଓ କାଦମ୍ବରୀଙ୍କ ସମ୍ପର୍କକୁ ନେଇ ଠାକୁର ପରିବାରରେ ଉଠିଲା ଝଡ଼ । ମାନସିକ ଭାରସାମ୍ୟ ହରାଇ ୨୫ ବର୍ଷର ଉଛୁଳା ଯୌବନ ଢେଉକୁ ଆଡ଼େଇ ଆତ୍ମହତ୍ୟା କଲେ କାଦମ୍ବରୀ । ଏଇଠି ଶେଷ ହେଲା ୨୩ ବର୍ଷ ବୟସ୍କ ରବୀନ୍ଦ୍ରଙ୍କ ଜୀବନର ପ୍ରଥମ ପ୍ରେମ ।
ଅନ୍ନପୂର୍ଣ୍ଣା ହିଁ ନଳିନୀ
୧୮୭୮ ମସିହାରେ ଇଂଲଣ୍ଡ ଯିବା ଆଗରୁ ରବୀନ୍ଦ୍ରଙ୍କ ଜୀବନରେ ଆସିଥିଲେ ଜଣେ ବିଦେଶିନୀ, ଯାହାଙ୍କ ନାଁ ଅନ୍ନପୂର୍ଣ୍ଣା । ସେ ଦୁଇ ମାସ ପାଇଁ ଅତିଥି ଥିଲେ ଅନ୍ନପୂର୍ଣ୍ଣାଙ୍କ ଘରେ ଏବଂ ଅନ୍ନପୂର୍ଣ୍ଣାଙ୍କୁ ଦେଖିବା ମାତ୍ରେ ତାଙ୍କୁ ପାଇବା ପାଇଁ ଏକ ରକମ ପାଗଳ ହୋଇଯାଇଥିଲେ ରବୀନ୍ଦ୍ର । ଅନ୍ନପୂର୍ଣ୍ଣାଙ୍କୁ ପ୍ରେମରେ ଆନ୍ନା ବୋଲି ଡାକୁଥିଲେ ରବୀନ୍ଦ୍ର । ଥରେ ଆନ୍ନା କହିଲେ – ମୋତେ ଆଉ ଗୋଟିଏ ନୂଆ ନାଁରେ କେବେ ଡାକିବ ଯେ! ପ୍ଲିଜ୍‌… ମୋର ଗୋଟିଏ ନୂଆ ନାଁ ଦିଅନା…! ରବୀନ୍ଦ୍ର “ଆନ୍ନା’ଙ୍କ ନାଁ ଦେଇଥିଲେ ନଳିନୀ । ଏଇ ନଳିନୀଙ୍କୁ ନେଇ ଅନେକ ଗୀତି-କବିତା ଲେଖିଥିଲେ ସେ । ନଳିନୀଙ୍କ ନାଁରେ ଲେଖିଥିଲେ “ନଳିନୀ’ ଗୀତି କବିତା, ଯାହା ବିଶ୍ୱକବିଙ୍କ ବହୁଚର୍ଚ୍ଚିତ ସଫଳ ସୃଷ୍ଟି ।
ପରିଣତ ବୟସରେ ଭିକ୍ଟୋରିଆ
ପରିଣତ ବୟସରେ ତାଙ୍କ ଜୀବନରେ ଆସିଥିଲେ ଆଉ ଜଣେ ବିଦେଶିନୀ ୧୯୨୪ ମସିହାରେ । ଯାହାଙ୍କ ନାଁ ଭିକ୍ଟୋରିଆ ଓକାମ୍ପୋ । ସେ ଥିଲେ କବିଗୁରୁଙ୍କ ଶେଷ ପ୍ରେମିକା । ତାଙ୍କୁ ରବୀନ୍ଦ୍ର ସ୍ନେହରେ ଡାକୁଥିଲେ, ବିଜୟା । ରବୀନ୍ଦ୍ର ରହୁଥିଲେ “ସାନ୍ ଇଜ୍‌ହେ’ରେ । ଏ କଥା ଜାଣି ଖୁବ୍ ବୟସ୍କ କବି ରବୀନ୍ଦ୍ରଙ୍କ ପାଖକୁ ଧାଇଁ ଆସିଥିଲେ କିଶୋରୀ ବିଜୟା । ଭରି ଦେଇଥିଲେ ତାଙ୍କ ପ୍ରୀତିର ପିଆଲା । ଥରେ ନୁହଁ, ବାରମ୍ବାର । ବିଜୟାଙ୍କୁ ପାଇ ରବୀନ୍ଦ୍ରଙ୍କ ପରିଣତ ବୟସରେ ମଧ୍ୟ ଯୌବନର ଫୁଲ ଫୁଟିଥିଲା । ବିଜୟାଙ୍କ ମନ ଓ ଦେହ ଛଡ଼ା ରବୀନ୍ଦ୍ର ଅନେକ କିଛି ପାଇଥିଲେ । ଭିକ୍ଟୋରିଆ ଓକାମ୍ପୋ ବା ବିଜୟା ରବୀନ୍ଦ୍ରଙ୍କ କଳା ଓ ସାହିତ୍ୟକୁ ପରିପୂର୍ଣ୍ଣ କରିଥିଲେ । ସେମାନଙ୍କ ସମ୍ପର୍କକୁ ନେଇ ସାରା ପ୍ୟାରିସ୍ ସହରରେ ଚହଳ ପଡ଼ିଯାଇଥିଲା ।
ମୃଣାଳିନୀଙ୍କୁ ଠକିଥିଲେ ସାରା ଜୀବନ
ତଥାପି ରବୀନ୍ଦ୍ରଙ୍କ କବି ହୃଦୟର ପ୍ରେମ ଅତୃପ୍ତ, ଅପୂର୍ଣ୍ଣ ରହି ଯାଇଥାଆନ୍ତା, ଯଦି ତାଙ୍କ ପ୍ରେମର ପରିଧିକୁ ଆସି ପାରି ନ ଥାଆନ୍ତେ, ଭବ ତାରିଣୀ, ଯାହାଙ୍କୁ ସମସ୍ତେ ଜାଣିଥିଲେ କବି ପତ୍ନୀ ମୃଣାଳିନୀ ନାଁରେ । ଠିକ୍ କାଦମ୍ବରୀ ଦେବୀଙ୍କ ମୃତ୍ୟୁ ପରେ ଉଭୟଙ୍କ ବିବାହ ହୋଇଥିଲା । ରବୀନ୍ଦ୍ରଙ୍କୁ ୨୩ ଆଉ ମୃଣାଳିନୀଙ୍କୁ ମାତ୍ର ଏଗାର ବର୍ଷ । ବାହାଘର ପରେ ମୃଣାଳିନୀ ଶ୍ୱଶୁର ଘରେ ପାଠପଢ଼ିଲେ । ଅନେକ ସମୟରେ ମୃଣାଳିନୀଙ୍କୁ କୋଳରେ ଆଉଜାଇ ରବୀନ୍ଦ୍ର ତାଙ୍କୁ ଶୁଣାଉଥିଲେ ବିଭିନ୍ନ ଭାଷାର ଗପ ଓ କବିତା । ମୃଣାଳିନୀ ଖୁବ୍ ସରଳ । ଆନ୍ନା, ଭିକ୍ଟୋରିଆଙ୍କ ସହିତ ସ୍ୱାମୀ ରବୀନ୍ଦ୍ରଙ୍କ ପ୍ରେମ ସମ୍ପର୍କ ତାଙ୍କ ନରମ ହୃଦୟରେ ଛୁରିଟିଏ ହୋଇ କାଟି ଦେଇଥିଲା । କ୍ଷତ ପରେ କ୍ଷତ । ବିରହ ତାଙ୍କୁ ଉଜାଗର ରଖୁଥିଲା ରାତି ପରେ ରାତି । ଦେହ ଖୋଜୁଥିଲା ସ୍ୱାମୀଙ୍କ ଦେହ । ମନ ଖୋଜୁଥିଲା ସ୍ୱାମୀଙ୍କ ମନ । ମାତ୍ର ତାଙ୍କୁ କିଛି ବି ମିଳି ନ ଥିଲା । ସେ କେବଳ କାନ୍ଦିଥିଲେ ଗୁମୁରିଗୁମୁରି । ଛଳନା କରିବାରେ ରବୀନ୍ଦ୍ର ଥିଲେ ଧୂରନ୍ଧର । ବିଦେଶରୁ ଗଦାଗଦା ଚିଠି ମୃଣାଳିନୀଙ୍କ ପାଖକୁ ଲେଖୁଥିଲେ । ସେଥିରେ ନା ଥିଲା ପ୍ରେମ, ନା ସ୍ନେହ ନା ଭଲପାଇବା । କେବଳ ଛଳନା ଆଉ ପ୍ରତାରଣା । ଆଉ ସହି ପାରିଲେନି ମୃଣାଳିନୀ । ଶେଷରେ ସବୁ ଗହଣାଗାଣ୍ଠି “ବ୍ରହ୍ମଚର୍ଯ୍ୟ ଆଶ୍ରମ ପାଣ୍ଠି’କୁ ଦାନ କରିଦେଲେ । ପରେ ପରେ ମାଟିଘଟ ଛାଡ଼ିଦେଲା ସ୍ୱାମୀ ଥାଇ ବି ସ୍ୱାମୀହରା ମୃଣାଳିନୀଙ୍କ ଅତୃପ୍ତ ଆତ୍ମାପକ୍ଷୀ । ଏ ସବୁକୁ ସେ ଅନୁଭବ କରିପାରିଥିଲେ କି ନା ତାହା କେବଳ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ହିଁ ଜାଣିଥିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ