ବିଶ୍ୱକୁ ବିପଦ!

ବିଶ୍ୱ ଓଜୋନ୍ ଦିବସ

ଭୁବନେଶ୍ୱର, ଆଜି ବିଶ୍ୱ ଓଜୋନ୍ ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖଟିକୁ ସମଗ୍ର ବିଶ୍ୱ ଓଜୋନ୍ ଦିବସ ରୂପେ ପାଳନ କରିଥାଏ । ସମ୍ପ୍ରତି ପୃଥିବୀ ପୃଷ୍ଠରେ ବୃଦ୍ଧି ପାଉଥିବା ବିଷାକ୍ତ ଗ୍ୟାସ୍ ଯୋଗୁଁ ଧୀରେ ଧୀରେ ଓଜୋନ୍‌ସ୍ତର ପତଳା ହେବାରେ ଲାଗିିଛି । ଯଦ୍ୱାରା ସୂର୍ଯ୍ୟଙ୍କ କିରଣରୁ ନିର୍ଗତ ହାନିକାରକ ଅତି ବାଇଗଣି ରଶ୍ମୀ ପୃଥିବୀ ପୃଷ୍ଠରେ ବସବାସ କରୁଥିବା ପ୍ରାଣୀ ଓ ଉଦ୍ଭିଦଙ୍କ ପ୍ରତି ବିପଦ ସୃଷ୍ଟି କରିଛି । ଏଣୁ ଓଜୋନ୍‌ସ୍ତରର ସୁରକ୍ଷା ପାଇଁ ପଦକ୍ଷେପ ଓ ଜନ ସଚେତନତା ନିତାନ୍ତ ଜରୁରୀ ହୋଇପଡ଼ିଛି । ଏହି ପରିପ୍ରେକ୍ଷୀରେ ଓଜୋନ୍‌ସ୍ତରର କ୍ଷୟ ରୋକିବା ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ କୁମାର ସାହୁ ରଙ୍ଗ, ବେରଙ୍ଗ ମୁରୁଜରେ ତିଆରିଛନ୍ତି ଓଜୋନ୍ ଛତା । ଏଥିରେ ଇଂରାଜୀ ଭାଷାରେ ଏକ ମନଛୁଆଁ ସ୍ଲୋଗାନ୍ ‘ସେଭ୍ ଓଜୋନ୍‌, ସେଭ ଆର୍ଥ’ ଲେଖି ଏକ ବଳିଷ୍ଠ ବାର୍ତ୍ତା ସମଗ୍ର ବିଶ୍ୱବାସୀଙ୍କୁ ଦେବା ପାଇଁ ସେ ପ୍ରୟାସ କରିଛନ୍ତି ।
ସୁଶାନ୍ତ ଏ ସମ୍ପର୍କରେ କୁହନ୍ତି ଆଧୁନିକତା ପ୍ରଭାବରେ ମଣିଷ ପ୍ରକୃତି ଠାରୁ ଦୂରେଇ ଯାଉଛି । ସମ୍ପ୍ରତି ମଣିଷ ବହୁଳ ପରିମାଣରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରର ବ୍ୟବହାର ଫଳରେ ସେଥିରୁ ନିର୍ଗତ ହେଉଥିବା କ୍ଲୋରୋଫ୍ଲୋରୋ କାର୍ବନ, ମିଥେନ୍‌, ଇଥେନ୍ ଆଦି ବିଷାକ୍ତ ଗ୍ୟାସ୍ ସହ ବାୟୁମଣ୍ଡଳରେ ଅଙ୍ଗାରକାମ୍ଲ ଗ୍ୟାସ୍‌ର ବୃଦ୍ଧି, ଅବାଧ ଗଛ କଟା ଯୋଗୁଁ ଧୀରେ ଧୀରେ ଓଜୋନ୍‌ସ୍ତର ଦୁର୍ବଳ ହେବାରେ ଲାଗିଛି । ଫଳରେ ଜୈବ ବିବିଧତା ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି । ମାରାତ୍ମକ ଚର୍ମ କ୍ୟାନ୍‌ସର ପରି କର୍କଟ ରୋଗରେ ଲୋକେ ଶିକାର ହେଉଛନ୍ତି । ଏ ନେଇ ପରିବେଶବିତ୍ ତଥା ବୈଜ୍ଞାନିକମାନଙ୍କ ଚିନ୍ତା ବଢାଇଛି । ଯଦି ଏବେଠାରୁ ଓଜୋନ୍‌ସ୍ତରର ସୁରକ୍ଷା ପ୍ରତି ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ବିଶ୍ୱର ପରିସ୍ଥିତି ଭୟଙ୍କର ହେବ ବୋଲି ପରିବେଶବିତ୍ ଓ ବୈଜ୍ଞାନିକମାନେ ଚେତାବନୀ ଦେଇସାରିଲେଣି । ଏଣୁ ପରିବେଶର ସୁରକ୍ଷା ପାଇଁ ଗୁରୁତ୍ୱର ସହ ଚିନ୍ତା କରାଯିବା ସହ ପ୍ରତ୍ୟେକସ୍ତରରେ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି ବୋଲି ଶ୍ରୀ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ