ବିଶ୍ୱପାଇଁ ଖାଦ୍ୟ ଚିନ୍ତା

ବିପିନ ବିହାରୀ ମହାନ୍ତି
ବଂଚିବା ପାଇଁ ତିନୋଟି ସମୂଳର ଆବଶ୍ୟକତା ଅଛି : ଶାନ୍ତି, ନିରାପତ୍ତା ଓ ସ୍ଥିରତା । ନିରାପତ୍ତା କହିଲେ ବର୍ହିଶତ୍ରୁ ଆକ୍ରମଣ, ଅନ୍ତଃବିପ୍ଲବ ଏବଂ ବିଭିନ୍ନ ଶୋଷଣରୁ ମୁକ୍ତିକୁ ବୁଝାଏ । ଏ ଶାନ୍ତି କହିଲେ କ୍ଷୁଧା ଜନିତ ପେଟପୁରା ମୁଠାଏ ଖାଦ୍ୟ ପିଠିକୁ ଆବଶ୍ୟକୀୟ କନାଖଣ୍ଡେ ଏବଂ ମୁଣ୍ଡ ଗୁଞ୍ଜିବାକୁ ଟିକିଏ ଆଶ୍ରୟକୁ ବୁଝାଏ । ଏହାକୁ ଆମେ ମୌଳିକ ଅଧିକାର କହୁ । ଉପର କାରକଗୁଡ଼ିକ ସ୍ଥିରତାର ପରିଚାୟକ । ଏମାନେ ବଂଚିବାର ଅଧିକାର ଓ ସମ୍ବଳ । ଏଇଟା ସତ୍ୟ ଯେ ମରିବାର ଅଧିକାର କାହାର ନାହିଁ । ଜନ୍ମପରି ମୃତ୍ୟ ଈଶ୍ୱର ଦତ୍ତ ।ା
ସବୁରି ମୂଳେ ପେଟଚିନ୍ତା ଚମତ୍‌କାର । ଏହାର ଅଭାବରେ ସବୁକିଛି ବ୍ୟତିକ୍ରମ । କଥାରେ ଅଛି :
ଅନ୍ନ ବିହୁନେ ହଂସହାନୀ
ଯୋଗ ସାଧିବୁ କାହାଘେନି ।ା
ପ୍ରାଣୀର ବିଶେଷକରି ମଣିଷର ସାମଗ୍ରିକ ବିକାଶ : ଶାରୀରିକ, ବୌଦ୍ଧିକ, ଆ୍ମାତ୍ମିକ, ମାନସିକ, ତଥା ଭାବଗତ ଅଭିବୃଦ୍ଧି ପାଇଁ ଖାଦ୍ୟର ଆବଶ୍ୟକତା ଅଛି । ଖାଲି ଯାହା ବୋଇଲେ ତାହାରେ ପେଟ ଭରିଦେଲେ ହେବ ନାହିଁ, ମଣିଷ ପାଇଁ ଖାଦ୍ୟର ପରିମାଣ ଓ ଗୁଣବତ୍ତା ଗୁରୁତ୍ୱପୂର୍ଣ୍ଣ । ଖାଦ୍ୟର ଅଭାବରେ ଅନାହାର ଓ ଅପପୁଷ୍ଟି ଜନିତ ରୋଗ ଯଥା : ମାରସମସ୍ କ୍ୱାସି ଅରକର, ରକ୍ତହୀନତା, ଅଷ୍ଟିଓପୋରୋସିସ୍‌, ଅନ୍ଧାରକଣା ଏବଂ ଏହି ପ୍ରକାର ଖାଦ୍ୟଭାବ ଜନିତ ରୋଗ ହୁଏ ।
ଏପରିସ୍ଥଳେ ଖାଦ୍ୟ ପ୍ରତିଟି ଲୋକ ପାଖରେ ପହଞ୍ôଚବା ଜରୁରୀ । ବିଶ୍ୱରେ ପ୍ରଚୁର ଖାଦ୍ୟ ଉତ୍ପନ୍ନ ହୁଏ । ଅଥଚ ଖାଉଟି ପାଖରେ ପହଞ୍ôଚପାରେ ନାହିଁ । କିଏବି ଖାଦ୍ୟ ବିନା ମରୁଛି । ଏମିତି ବିଶ୍ୱରେ ୩୦୦ ନିୟୁତ ଲୋକ ପ୍ରତିଦିନ ଭୋକିଲା ରହୁଛନ୍ତି । ଅଥଚ ଏପଟେ ପର୍ଯ୍ୟାପ୍ତ ଖାଦ୍ୟ ନଷ୍ଟ ହେଉଛି । ଭାରତ କଥା ଚିନ୍ତା କଲେ ଦେଖାଯାଏ ଯେ ଭାରତୀୟ ଖାଦ୍ୟ ନିଗମ ରକ୍ଷଣା ବେକ୍ଷଣ ଅଭାବରୁ ୫୮୦ ନିୟୁତ ଟନ୍ ଖାଦ୍ୟ ନଷ୍ଟ କରୁଛିି । ଏପଟେ ଆଦିିବାସୀମାନେ ଖାଦ୍ୟ ନପାଇ ବିଷାକ୍ତ ଛତୁ, ଆମ୍ବ ଟାକୁଆ, ଚେର, ମୂଳ ଓ ପତ୍ର ଇତ୍ୟାଦି ଖାଇ ବିଷ ସଂକ୍ରମଣରେ ମରୁଛନ୍ତି । ଅନ୍ୟ ଅଞ୍ଚଳରେ ଗରିବ ଗୁରୁବାମାନେ ହାଅନ୍ନ ଚିତ୍‌କାରରେ ପେଟରେ ଓଦାକନା ପକାଇ କାନ୍ଦୁଛନ୍ତି । ଏହି ନଷ୍ଟ ହୋଇଯାଉଥିବା ଖାଦ୍ୟକୁ କିଛି ବିକଳ୍ପ ପନ୍ଥାରେ ସେମାନଙ୍କ ପାଖରେ ପହଞ୍ଚାଇ ପାରିଲେ ଅନ୍ତତଃ ସେମାନେ ବଂଚି ଯାଆନ୍ତେ ।
ପୁନଶ୍ଚ ସାମଗ୍ରିକ ବିକାଶ ପାଇଁ ସୁଷମ ବା ସନ୍ତୁଳିତ ଖାଦ୍ୟର ଜରୁରତ ଅଛି । ଖାଦ୍ୟ କହିଲେ ଶ୍ୱେତସାର, ସ୍ନେହସାର, ପୃଷ୍ଟିସାର, ଖାଦ୍ୟସାର, ଧାତବ ଲବଣ ଏବଂ ଜଳକୁ ବୁଝାଏ । ଖାଦ୍ୟସାର ପୁଣି ‘କ’, ‘ଖ’, ‘ଗ’, ‘ଘ’ ଓ ‘ଙ’ ଇତ୍ୟାଦିରେ ବିଭକ୍ତ । ଧାତବ ଲବଣ କହିଲେ ଲୌହ, ପଟାସିୟମ, ସୋଡ଼ିୟମ, ମଲବଡ଼ିୟମ, ଫସ୍‌ଫରସ ଏବଂ କ୍ୟାଲ୍‌ସିୟମକୁ ବୁଝାଏ । ଶରୀରକୁ ସୁସ୍ଥ, ନୀରୋଗ ଓ ଦୀର୍ଘସ୍ଥାୟୀ ପାଇଁ ଏକ ସନ୍ତୁଳିତ ବ୍ୟବସ୍ଥାର ଖାଦ୍ୟକୁ ବୁଝାଏ । ଯାହାର ନାମ ସୁଷମଖାଦ୍ୟ ।
ଖାଦ୍ୟର ଏକକକୁ କ୍ୟାଲୋରୀରେ ହିସାବ କରାଯାଏ । ବିଭିନ୍ନ ଶ୍ରେଣୀର ବ୍ୟକ୍ତି, ଶିଶୁ, ଶ୍ରମିକ, ଗର୍ଭବତୀ ସ୍ତ୍ରୀ, ବୃଦ୍ଧମାନଙ୍କ ପାଇଁ ସମାନ କ୍ୟାଲୋରୀ ଶକ୍ତି ଅବଶ୍ୟକ ନୁହେଁ । ଜଣେ ମ୍ମମ ପରିଶ୍ରମୀ ପାଇଁ ୧୪୦୦ – ୨୮୦୦ କ୍ୟାଲୋରୀ ଦରକାର; ଷାଠିଏ କି.ଗ୍ରା , କଠିନ ପରିଶ୍ରମୀ ପୁରୁଷକୁ ୩୮୦୦ କ୍ୟାଲୋରୀ, ହାଲ୍‌କା ପରିଶ୍ରମ ପାଇଁ ୨୪୭୫ କ୍ୟାଲୋରୀ ଇତ୍ୟାଦି ବୟସ ଦେଖି, ପରିଶ୍ରମ ଅନୁଯାୟୀ ଅନୁମୋଦିତ ଖାଦ୍ୟ ବ୍ୟବସ୍ଥାର ତାଲିକା ଅଛି । ଏହାର ଅଭାବରେ ବ୍ୟତିକ୍ରମ ଆବଶ୍ୟମ୍ଭାବୀ ।
ପ୍ରତିବର୍ଷ ୧୬ ଅକ୍ଟୋବରରେ “ବିଶ୍ୱ ଖାଦ୍ୟ ଦିବସ” ପାଳିତ ହୁଏ ।ଏହା ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ଖାଦ୍ୟ ନିରାପତ୍ତା କମିଟି ଦ୍ୱାରା ୧୯୮୩ ମସିହାର ପ୍ରସ୍ତାବ କ୍ରମେ ପାଳିତ ହେଉଛି । ଏହାର ଉଦ୍ଦେଶ୍ୟ ସମସ୍ତଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇ ଦେବା । ସମସ୍ତେ ଖାଦ୍ୟ ପାଆନ୍ତୁ; ବଂଚନ୍ତୁ; ନୀରୋଗ ହୁଅନ୍ତୁ ଓ ଦୀର୍ଘଜୀବୀ ହୁଅନ୍ତୁ ।
ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ୧୯୭୪ ମସିହାରେ ରୋମଠାରେ ଆୟୋଜିତ ବିଶ୍ୱ ଖାଦ୍ୟ ସମ୍ମିଳନୀ ଘୋଷଣାନାମାରେ କୁହାଯାଇଥିଲା ଯେ : ପୃଥିବୀର କୌଣସି ଦେଶର ପିଲା, ବୟସ୍କ, ପୁରୁଷ ବା ମହିଳା ଭୋକ ଉପାସରେ ରହିବା ଅନୁଚିତ୍ । ଅଖାଦ୍ୟ ବା ଅପପୁଷ୍ଟି ଯୋଗୁଁ ମନୁଷ୍ୟର ଶାରୀରିକ ଓ ମାନସିକ ଦକ୍ଷତା ଯେପରି ହ୍ରାସ ନପାଏ, ସେଥିପ୍ରତି ୍ମାନ ଦିଆଯିବା ଉଚିତ୍ ।
ଏନେଇ ଜାତିସଂଘ ଅଧୀନରେ ବିଶ୍ୱ ସ୍ତରରେ ଖାଦ୍ୟ ଉତ୍ପାଦକ ଓ ବଣ୍ଟନ ମ୍ମରେ ସମନ୍ୱୟ ପାଇଁ ବିଶ୍ୱ ଖାଦ୍ୟ ପରିଷଦ ଗଠିତ ହେଲା ।
ଖାଦ୍ୟ ଓ କୃଷି ସଂଗଠନର ବିଶ୍ୱଖାଦ୍ୟ ନିରାପତ୍ତା କମିଟି ୧୯୮୩ ମସିହାରେ ଖାଦ୍ୟ ନିରାପତ୍ତାର ସଂଜ୍ଞା ସୃଷ୍ଟି କରିଥିଲେ । ଏଥିରେ ଖାଦ୍ୟ ନିରାପତ୍ତାର ତିନୋଟି ଲକ୍ଷ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । (କ) ପର୍ଯ୍ୟାପ୍ତ ପରିମାଣର ଖାଦ୍ୟର ଯୋଗାଣ ଓ ଉପଲବ୍‌ଧତାକୁ ସୁନିଶ୍ଚିତ କରିବା । (ଖ) ଖାଦ୍ୟ ଯୋଗାଣ ବା ଉପ୍‌ଲବ୍‌ଧତାରେ ସ୍ଥିରତା ବଜାୟ ରଖିବା ଏବଂ (ଗ) ସମସ୍ତ ଲୋକଙ୍କ ପାଇଁ ଉପଲବ୍ଧ ଖାଦ୍ୟର ସହଜ ପ୍ରାପ୍ତିକୁ ସୁନଶ୍ଚିତ କରିବା । ତେଣୁ ସର୍ବଦା ସମସ୍ତ ନାଗରିକଙ୍କ ସୁସ୍ଥ ଜୀବନ ପାଇଁ ଆବଶ୍ୟକ ଖାଦ୍ୟର ସହଜ ପ୍ରାପ୍ତିକୁ ସୁନିଶ୍ଚିତ କରିବାକୁ ଖାଦ୍ୟ ନିରାପତ୍ତା କୁହାଯାଏ । ୧୯୮୬ ମସିହାରେ ବିଶ୍ୱ ବ୍ୟାଙ୍କର ‘ଦାରିଦ୍ର‌୍ୟ ଓ କ୍ଷୁଧା’ ସନ୍ଦର୍ଭରେ ଖାଦ୍ୟ ନିରାପତ୍ତା ସଂଜ୍ଞାରେ କ୍ରିୟାଶୀଳତାସ୍ତରକୁ ଯୋଡ଼ା ଯାଇଥିଲା ।
ସର୍ବଦା ସମସ୍ତ ଜନସାଧାରଣଙ୍କ ସୁସ୍ଥ ଓ କ୍ରିୟାଶୀଳ ଜୀବନ ପାଇଁ ପର୍ଯ୍ୟାପ୍ତ ପରିମାଣ ଖାଦ୍ୟର ସହଜ ପ୍ରାପ୍ତିକୁ ଖାଦ୍ୟ ନିରାପତ୍ତା କୁହାଯାଏ ।
ଏକଥା କହିବାକୁ ଉଚିତ୍ ମନେ କରୁ ଯେ ଖାଦ୍ୟ ଯୋଗାଇ ଦେବା ଏବଂ ସହଜ ପ୍ରାପ୍ତି କରାଇବା ସହଜ ହୋଇପାରେ । ତେବେ ଯେଉଁଠି ଭୋକ୍ତାର କ୍ରୟ କରିବା ସାମର୍ଥ୍ୟ ନଥିବ ସେଠି କରାଯିବ କ’ଣ? ଯାହାର ଶ୍ରମ ବିନିମୟରେ ପାଇବାର ସାମର୍ଥ୍ୟ ନଥିବ, ସେ କରିବ କ’ଣ? ତା’ ହେଲେ ଆମେ କ’ଣ କ୍ଷୁଧାମୁକ୍ତ ବିଶ୍ୱଟିଏ ଗଢ଼ି ପାରିବା?
ଖାଦ୍ୟ ନିରାପତ୍ତା ପରିବାରରୁ ଆରମ୍ଭ କରି ବିଶ୍ୱପାଇଁ ଲମ୍ବିଯାଇଛି । ଜଣେ ବ୍ୟକ୍ତି ବି ଯଦି ଭୋକିଲା ରୁହେ ଆମ ପ୍ରଚେଷ୍ଟା ଅସ‘ଳ ବୋଲି ନିଶ୍ଚିତ କୁହାଯିବ ।
ଏଥିପାଇଁ କୃଷି, ଉତ୍ପାଦନ, ବଣ୍ଟନ ଏବଂ ପ୍ରାପ୍ତିର ସହଜୀକରଣ ପ୍ରଗତୀକରଣର ଜରୁରୀ ହୋଇ ପଡ଼ିଛି । ଏହାହିଁ ଦେଖିବା କଥା ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ