ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ପାଳିତ
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର ):ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଦ୍ୱାଦଶ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ପାଳନ ସହିତ ପରିଷଦର ବାର୍ଷିକ ଉତ୍ସବ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି. ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡ଼ା ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷାର ମହତ୍ୱ ଉପରେ ଆଲୋକପାତ କରିଥିଲେ. ପରିଷଦର ସଭାପତି ପ୍ରଫେସର ବବ୍ରୁବାହନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ପରିଷଦର ସଂପାଦକ ଡ. ବିଚିତ୍ରନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ସହ-ସମ୍ପାଦକ ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ. ଏହି ଅବସରରେ ବିଶିଷ୍ଟ ସାହିତ୍ୟ ପ୍ରତିଭା ଗବେଷକ ଅନୁବାଦକ ଡ. ପ୍ରଣବ ରଞ୍ଜନ ଭୁୟାଁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ, ଇଂରାଜୀ, ସଂସ୍କୃତ, ସାନ୍ତାଳୀ ଭାଷାରେ ପ୍ରବନ୍ଧ ରଚନା, ଓଡ଼ିଆ ଓ ଇଂରାଜୀରେ ତର୍କ, ଓଡ଼ିଆ କବିତା, ଆଧୁନିକ ସଙ୍ଗୀତଗାନ ଓ ଅନୁବାଦ ଆଦି ପ୍ରତିଯୋଗିତାରେ ଏକତିରିଶ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା. ପରିଷଦର ଉପ-ସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା, ସହ-ସଂପାଦକ ଡ. ସ୍ୱରୂପାନନ୍ଦ ବିଷୟୀ, ସ୍ନାତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ରାଜକୁମାର ପାତ୍ର, ହୃଶୀକେଶ ମହାନ୍ତ, ଅଧ୍ୟାପିକା ଡ. ବିନ୍ଧେଶ୍ୱରୀ କଲିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ. ଦ୍ୱିତୀୟ ପର୍ଯ୍ୟାୟରେ ସଂଯୁକ୍ତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ଅଧ୍ୟାପକ ସ୍ନେହାଶିଷ ମହାନ୍ତିଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା. ଏଥିରେ ଅତିଥି ଭାବରେ କବୟତ୍ରୀ ବିରଜା ଦେବୀ, କବି ଶଙ୍କର ଜେନା, ଏବଂ ଅଶୋକ ପଲେଇ ପ୍ରମୁଖ ଯୋଗ ଦେଇଥିଲେ. ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା.