ବିଶ୍ୱରେ ଆକ୍ରାନ୍ତ ସଂଖ୍ୟା ୭ ଲକ୍ଷ ଟପିଲା
ୱାଂସିଟନ: ବିଶ୍ୱବ୍ୟାପୀ ଏବେ ୭ ଲକ୍ଷ ୫୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଆମେରିକାରେ ଏହି ସଂଖ୍ୟା ୧ ଲକ୍ଷ ୪୫ ହଜାରରେ ପହଞ୍ଚିଛି । କରୋନା ଭାଇରସ ସଂକ୍ରମଣ ଅତି ଦ୍ରୁତ ଗତିରେ ବ୍ୟାପୁଥିବାରୁ ଆମେରିକାରେ ଅଣାୟତ୍ତ ସ୍ଥିତି ଉପୁଜିଛି । ଆଗାମୀ ୨ ସପ୍ତାହ ମଧ୍ୟରେ ଦେଶରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ପରିସ୍ଥିତି ଗମ୍ଭୀର ରୂପ ନେଉଥିବାରୁ ଆମେରିକାର ସବୁ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ଯୁଦ୍ଧ ସ୍ତରରେ ପ୍ରୟାସ ଜାରି ରଖିଛି । କରୋନା ମୃତ୍ୟୁ ସଂଖ୍ୟା ଏବେ ବିଶ୍ୱରେ ୩୪ ହଜାର ଅତିକ୍ରମ କରିଯାଇଛି । ଆମେରିକାରେ ୨୫ ଶହରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଇଟାଲିରେ ୧୦,୮୦୦, ସ୍ପେନରେ ୭୦୦୦, ଜର୍ମାନୀରେ ୫୯୮, ଇରାନରେ ୨୬୪୦, ଫ୍ରାନ୍ସରେ ୨୬୦୬ ଏବଂ ବ୍ରିଟେନରେ ୧୨୨୮ ଲୋକଙ୍କ ମୃତ୍ୟୁଘଟିଛି । ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୩୪୦ ରହିଥିବା ବେଳେ ଆମେରିକାରେ ଆଉ ଦୁଇ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିବା ଆଶଙ୍କା କରାଯାଉଛି ।
ଆମେରିକା ଏବେ ଏହି ମହାସଙ୍କଟକୁ ଟାଳିବା ପାଇଁ ବ୍ୟାପକ ପ୍ରୟାସ କରୁଥିବା ସତ୍ତ୍ୱେ ବିଶେଷ ସଫଳତା ମିଳିନାହିଁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା କରି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଆମେରିକାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ରୁ ୨ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ବ୍ୟକ୍ତ କରିଛନ୍ତି । ଇଟାଲିରେ ୨୪ ଘଣ୍ଟା ମଧ୍ୟରେ ପୁଣି ୫୦୦ ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଯୋଗୁଁ ଅଣାୟତ୍ତ ସ୍ଥିତି ଲାଗି ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୭୦ଟି ରାଷ୍ଟ୍ରରେ କରୋନା ମୁକାବିଲା ସଂକ୍ରାନ୍ତ ରିପୋର୍ଟ ସଂଗ୍ରହ କରିଛନ୍ତି । ଅନଗ୍ରସର ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କ ଉପରେସତର୍କ ନଜର ରଖାଯାଇଛି । ବ୍ରିଟେନରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଲକଡାଉନ ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି ।


