ବିଶ୍ୱର କେତେକ ଅଦ୍ଭୁତ ଫୁଲ

ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ । ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା ଦେଖିବାକୁ ବଡ଼ ବିଚିତ୍ର । କିଏ ଦେଖିବାକୁ ମାଙ୍କଡ଼ ଭଳି ତ ଆଉ କିଏ ଏଲିଅନ୍ ଭଳି । ଏମିତି କିଛି ଫୁଲକୁ ନେଇ ଏହି ଉପସ୍ଥାପନା ।
ଶୁଆ ପରି ଦେଖାଯାଉଥିବା ଫୁଲ(ପ୍ୟାରଟ୍ ଫ୍ଲାୱାର୍):
ବିଶେଷ କରି ଥାଇଲାଣ୍ଡ ଏବଂ ଭାରତର ପୂର୍ବ ଭାଗରେ ଏହି ପ୍ରକାର ଫୁଲ ଦେଖିବାକୁ ମିଳିଥାଏ । ପ୍ରତି ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଏହା ଫୁଟିଥାଏ । ପୂରା ଫୁଟିଲେ ଫୁଲଟି ଲାଲ ଏବଂ ବାଇଗଣୀ ରଙ୍ଗର ଦେଖାଯିବା ସହ ଆକାର ଶୁଆ ଭଳି ହୋଇଯାଏ । ଥାଇଲାଣ୍ଡର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଏହା ଦେଖାଯାଏ । ବର୍ତ୍ତମାନ ଏହା ବିଲୁପ୍ତ ପ୍ରାୟ ।
ଲାଫିଙ୍ଗ୍ ବମ୍ବଲ ବି’ ଅର୍ଚିଡ୍ (ହସୁଥିବା ମାଈ ମହୁମାଛି ଭଳି):
ପର୍ତ୍ତୁଗାଲ, ତୁର୍କୀ, ଲେବାନନ୍ ଆଦି ଅଞ୍ଚଳରେ ଏ ପ୍ରକାର ଫୁଲ ଦେଖିବାକୁ ମିଳିଥାଏ । ପ୍ରତିଟି ଫୁଲରେ ତିନୋଟି ପାଖୁଡ଼ା ଥାଏ । ମଝି ପାଖୁଡ଼ାଟି ଠିକ୍ ମାଈ ମହୁମାଛି ସଦୃଶ  ।ଫ୍ଲାଇଂ ଡକ୍ ଅର୍ଚିଡ୍ (ଉଡୁଥିବା ବତକ ସଦୃଶ):
ପୂର୍ବ ଓ ଦକ୍ଷିଣ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ ଏହି ଫୁଲ । ବାଇଗଣୀ ରଙ୍ଗର ବତକ ଭଳି ଏହା ଦେଖାଯାଏ ।
ସ୍ୱାଡେଲ୍ଡ ବେବିଜ୍ (ଆଙ୍ଗୁଲା ୟୁନିଫ୍ଲୋରା):
ଏହା ଦେଖିବାକୁ ଛୋଟ ଶିଶୁଙ୍କୁ କପଡ଼ାରେ ଗୁଡ଼ାଇବା ଭଳି । କଲମ୍ବିଆ, ଇକ୍ୟୁଆଡର୍ ଏବଂ ଭେନ୍ଜୁଏଲାରେ ବିଶେଷକରି ଦେଖିବାକୁ ମିଳିଥାଏ । ଫୁଲଟି ଦେଖିବାକୁ ଧଳା ଏବଂ କ୍ରିମ୍ ରଙ୍ଗର । ଏହାର ବୃକ୍ଷଗୁଡ଼ିକ ୪୫ରୁ ୬୦ସେ.ମି ଲମ୍ବ । ବିଶ୍ୱରେ ଦେଖାଯାଉଥିବା ଅର୍କିଡ୍ ଫୁଲ ପ୍ରଜାତିର ଏହା ସବୁଠାରୁ ଅଧିକ ମିଳୁଥିବା ଫୁଲ ।
ହାପି ଏଲିଅନ୍ (ଡାରୱିନ୍ସ ସ୍ଲିପର୍):
ଏହି ଫୁଲ ଦେଖିବାକୁ ଠିକ୍ ଏଲିଅନ୍ ଭଳି । ଆମେରିକାର ଦକ୍ଷିଣ ଭାଗରେ ଫୁଟୁଥିବା ଉକ୍ତ ଫୁଲ ୧୩ ସେ.ମି ଉଚ୍ଚତା ପର୍ଯ୍ୟନ୍ତ ବଢ଼ିଥାଏ । ଏହାର ରଙ୍ଗ ନାରଙ୍ଗୀ ଏବଂ ଲାଲ । ଏଥିରେ ଥିବା ଦୁଇଟି ଧଳା ଆଖି ଆକୃତି ଏହାକୁ ହସୁଥିବା ଏଲିଅନ୍ ପରି କରିଥାଏ ।
ମଙ୍କି ଫେସ୍ ଅର୍ଚିଡ୍(ଡ୍ରାକୁଲା ସିମିଆ):
ଠିକ୍ ମାଙ୍କଡ଼ ମୁହଁ ପରି ଦେଖାଯାଉଥିବା ଏହି ଫୁଲ କମଳା ପରି ବାସ୍ନା ହୋଇଥାଏ । ପେରୁ ଏବଂ ଦକ୍ଷିଣପୂର୍ବ ଇକ୍ୱାଡରରେ ଏ ପ୍ରକାର ଫୁଲ ଦେଖିବାକୁ ମିଳିଥାଏ । ମୁଖ୍ୟତଃ ଏହାର ପାଖୁଡାଗୁଡ଼ିକ ଏହାକୁ ମାଙ୍କଡ ଭଳି ଆକୃତି ଦେଇଥାଏ ।
ଡ୍ୟାନ୍ସିଂ ଗର୍ଲସ (ନୃତ୍ୟରତା ଝିଅ ଭଳି):
ପୂର୍ବ ଆଫ୍ରିକାର ବର୍ଷା ପ୍ରଭାବିତ ଅଞ୍ଚଳରେ ଉକ୍ତ ଫୁଲ ଦେଖାଯାଏ । ଏହା ଦେଖିବାକୁ ଠିକ୍ ନୃତ୍ୟ କରୁଥିବା ଝିଅ ଭଳି । ହାଲୁକା ଗୋଲାପୀ ଓ ଧଳା ରଙ୍ଗର ଏହି ଫୁଲକୁ ଯେ କେହି ଦେଖିଲେ ଘଡିଏ ଅନାଇ ରହିବ । ଭୂମିଠାରୁ ମାତ୍ର ୩୦ ସେ.ମି ଉଚ୍ଚ ଗଛରେ ଏହା ହୋଇଥାଏ । ଫୁଲଗୁଡ଼ିକ ୨ ସେ.ମି ଲମ୍ବ ।
ବ୍ଲିଡିଂ ହାର୍ଟସ୍ (ରକ୍ତ ଝରୁଥିବା ହୃଦୟ ଭଳି):
ନାମ ଯେପରି, ଫୁଲଟି ଦେଖିବାକୁ ସେପରି । ହୃଦୟରୁ ଟୋପାଏ ଲୁହ ଝରିବା ଭଳି ଏହା ଦେଖାଯାଏ । ସାଇବେରିଆ, ଉତ୍ତର ଚାଇନା, କୋରିଆ ଏବଂ ଜାପାନରେ ବିଶେଷ ଭାବେ ମିଳିଥାଏ । ତେବେ ଏହା ପଛରେ ଏକ ରୋମାଞ୍ଚକର ପ୍ରେମ କାହାଣୀ ରହିଥିବା ଶୁଣିବାକୁ ମିଳେ । ଯାହାକୁ ଆପଣ ସୋସିଆଲ ମିଡିଆରୁ ପଢ଼ିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ