ବିଶ୍ୱର ୧୦ ପ୍ରଭାବଶାଳୀ ମହିଳା କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ନୀତା

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜର ମାଲିକାଣୀ ନୀତା ଅମ୍ବାନୀ ଚଳିତ ବର୍ଷ ବିଶ୍ୱର ୧୦ ପ୍ରଭାବଶାଳୀ ମହିଳା କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଟେନିସ ସୁପରଷ୍ଟାର ଆମେରିକାର ସେରେନା ୱିଲିୟମ୍ସ ଓ ଜିମ୍ନାଷ୍ଟ ସିମନ ବାଇଲ୍ସ ମଧ୍ୟ ରହିଛି । କ୍ରୀଡ଼ା ବ୍ୟବସାୟ ନେଟୱାର୍କ ଆଇସ୍ପୋର୍ଟକନେକ୍ଟ ଏହି ତାଲିକା ଲାଗି ଆରମ୍ଭରୁ ୨୫ ଜଣଙ୍କ ନାମ ବିଚାରକୁ ନେଇଥିଲେ । ଟେଲି ଷ୍ଟାରର ମୁଖ୍ୟ ଆନ୍ନା ଲକଉଡ, ୱାଇ ସ୍ପୋର୍ଟ ପରିଚାଳନା ସହଯୋଗୀ ସାଲି ହାନନକ, ଆଇସିସି ଗଣମାଧ୍ୟମ ଅଧିକାରର ପୂର୍ବତନ ମୁଖ୍ୟ ଆରତୀ ଦାବସ୍ ଏବଂ ଆଇସ୍ପୋର୍ଟକନେକ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବର୍ମାଙ୍କ ନେତୃତ୍ୱରେ ଗଠିତ ଚୟନ ସମିତି ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ନାଁ ଚୂଡାନ୍ତ କରିଥିଲା । ନୀତାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ସଫଳତା ପାଇଛି । ଏଥିରେ ଭାରତରେ ବହୁ କ୍ରୀଡ଼ାର ବିକାଶରେ ତାଙ୍କର ହାତ ରହିଛି ବୋଲି ଆଇସ୍ପୋର୍ଟକନେକ୍ଟ ପକ୍ଷରୁ କୁହାଯାଇଛି । ନୀତା, ସେରେନା, ସିମନଙ୍କ ସହ ଏହି ତାଲିକାରେ ଜାପାନୀ ଟେନିସ ତାରକା ନାଓମି ଓସକା, ଫର୍ମୁଲା ୱାନ ନିର୍ଦ୍ଦେଶକ (ମାର୍କେଟିଂ ଓ ଯୋଗାଯୋଗ) ଏଲି ନର୍ମାନ, ଡବ୍‌ଲ୍ୟୁଏନବିଏଲ କମିସନର କାଥି ଏଞ୍ଜେଲବର୍ଟ, ଫିଫା ମହାସଚିବ ଫତମା ସମୌରା, ସ୍ପେସାଲ ଅଲିମ୍ପିକ୍ସ ସିଇଓ ମେରି ଡେଭିସ୍ ଓ ଇସିବି ମହିଳା କ୍ରିକେଟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କ୍ଲାରେ କନୋର ରହିଛନ୍ତି । ସୂଚନା ଯୋଗ୍ୟ ଯେ ନୀତା ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ । ତାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ୪ ଥର ଆଇପିଏଲର ବିଜେତା । ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଓ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିତାଲି ରାଜ ମୂଳ ତାଲିକାରେ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ