ବିଶ୍ୱଶାନ୍ତି ଓ ବୁଝାମଣା ଦିବସ ଓଁ ଶାନ୍ତି ମନ୍ତ୍ର ଧ୍ୱନିରେ ମୁଖରିତ ହେଲା ଆଦିବାସୀପଲ୍ଲୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ଫେବୃୟାରୀ ୨୩ ତାରିଖଟିକୁ ବିଶ୍ୱଶାନ୍ତି ଓ ବୁଝାମଣା ଦିବସ ରୂପେ ପାଳନ କରାଯାଇଥାଏ । ବିଶ୍ୱରେ ଶାନ୍ତି, ପ୍ରେମ, ଭାଇଚାରା ପ୍ରତିଷ୍ଠା ରଖିବା ହେଉଛି ଏହାର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଆଦିବାସୀ ପଲ୍ଲୀ କନ୍ଦଳେଇର ବନବାସିନୀମାନେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକତ୍ରିତ ହୋଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ବନବାସିନୀଙ୍କ ଓଁ ଶାନ୍ତି ମନ୍ତ୍ର ଧ୍ୱନିରେ ମୁଖରିତ ହୋଇଯାଇଥିଲା ଆଦିବାସୀ ପଲ୍ଲୀ । ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲୁ ରହିଥିବା ଯୁଦ୍ଧକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଯୁଦ୍ଧ ନୁହେଁ, ଆମେ ଶାନ୍ତି ଚାହୁଁ ବୋଲି ମତ ରଖିଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବି.କେ ସବିତା, ମୋନାଲିସା, ପୁଷ୍କକ, ସାମାଜିକ କର୍ମୀ ସନ୍ତୋଷୀ ଜୈନ, ତ୍ରିଲୋଚନ ବେଉରା ପ୍ରମୁଖ ଯୋଗଦେଇ କହିଥିଲେ ଯେତେବେଳେ ମଣିଷ ବା ରାଷ୍ଟ୍ର ମନ ଭିତରୁ ଶାନ୍ତି ଚାହିଁବ ସେତିକିବେଳେ ଶାନ୍ତି ପ୍ରତିଷ୍ଠା ହୋଇପାରିବ । ସାମାଜିକ କର୍ମୀ ଶ୍ରୀ ସାହୁ କହିଥିଲେ ଆତଙ୍କବାଦ ଏବଂ ଉଗ୍ରବାଦ ବିଶ୍ୱଶାନ୍ତି ଏବଂ ନିରାପତ୍ତା ପାଇଁ ବଡ଼ ବିପଦ । ଆତଙ୍କବାଦ ନେଟ୍ୱର୍କ ଏବଂ ସେମାନଙ୍କୁ ପାଣ୍ଠି ଯୋଗାଉଥିବା ଚ୍ୟାନେଲ ଗୁଡ଼ିକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲାଗି ବିଶ୍ୱ ସମୁଦାୟ ଏକାଠି ହୋଇ ଆପୋଷ ବୁଝାମଣା ହୋଇ କାର୍ଯ୍ୟ କରିବା ଉଚିତ୍ । ତା’ହେଲେ ହୁଏତ ଶାନ୍ତି ଆସିବ । ଦେଶବାସୀ ଏବଂ ସାରା ପୃଥିବୀବାସୀ ଶାନ୍ତିରେ ରହିପାରିବେ । କାର୍ଯ୍ୟକ୍ରମକୁ କନ୍ଦଳେଇ ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ ।