ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଉଦ୍ଯାପିତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତି ଆନୁକୂଲ୍ୟରେ ତଥା ସୀମାନ୍ତ ବ୍ରାହ୍ମଣ ସଂଗଠନ ସହଯୋଗରେ ସୁଗୋ ହାଟପଡ଼ିଆଠାରେ ଅନୁଷ୍ଠିତ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଚଳିତ ମାର୍ଚ୍ଚ ମାସ ୬ ତାରିଖ ବୁଧବାର ଶୁଭାରମ୍ଭ ହୋଇ ଗତ ରବିବାର ଦିନ ଉଦ୍ଯାପିତ ହୋଇଯାଇଛି । ଅଂଚଳବାସୀଙ୍କ ଆର୍ଥିକ ସହାୟତା ଓ ସହଯୋଗକ୍ରମେ ଉକ୍ତ ଯଜ୍ଞାନୁଷ୍ଠାନ ଅନୁଷ୍ଠିତ ହୋଇଥିଲା । ଉକ୍ତ ମହାଯଜ୍ଞର କାର୍ଯ୍ୟ ଜିଲ୍ଲା ବ୍ରାହ୍ମଣ ସମିତିର ଅନ୍ୟତମ ଉପଦେଷ୍ଟା ପଣ୍ଡିତ ପ୍ରବର କମଳାକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍ ତଥା ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଇଲାକାରୁ ଆସିଥିବା ବିଜ୍ଞପଣ୍ଡିତ ମଣ୍ଡଳୀଙ୍କ ଦ୍ୱାରା ସଂପାଦିତ ହୋଇଥିଲା । ମାର୍ଚ୍ଚ ୮ ଓ ୯ ତାରିଖ ଦୁଇଦିନ ସନ୍ଧ୍ୟାରେ ବୃନ୍ଦାବନ ଧାମରୁ ଆସିଥିବା ମୁକୁନ୍ଦ ନନ୍ଦନ ମହାରାଜଜୀଙ୍କ ଧର୍ମୀୟ ପ୍ରବଚନ ଶୁଣି ଉପସ୍ଥିତ ସହସ୍ରାଧିକ ଭକ୍ତଗଣ ଆତ୍ମସନ୍ତୋଷ ଲାଭ କରିଥିଲେ । ଉକ୍ତ ଯଜ୍ଞକର୍ମର ଉଦ୍ଯାପନ ଦିବସରେ ଜିଲ୍ଲା ବ୍ରାହ୍ମଣ ସମିତିର ସଭାପତି ଡାକ୍ତର ଶ୍ରୀଶ କୁମାର ଦାଶ ଓ ସଂପାଦକ ଗୌର ଚନ୍ଦ୍ର ଦାଶଙ୍କ ସମେତ ଭୃଗୁରାମ କର, ସରୋଜ ନାରାୟଣ ଷଡ଼ଙ୍ଗୀ ଓ ବୈଦ୍ୟନାଥ ଆଚାର୍ଯ୍ୟ ପ୍ରମୁଖ ଏବଂ ସୀମାନ୍ତ ବ୍ରାହ୍ମଣ ସଂଗଠନର ସଦସ୍ୟଗଣ ସ୍ଥାନୀୟ ଅଧିବାସୀମାନଙ୍କ ଉପସ୍ଥିତିରେ ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ଅନୁଷ୍ଠିତ ମହାଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ପଣ୍ଡିତ୍ ସତୀଶ ଚନ୍ଦ୍ର କର ଓ ସରୋଜ ନାରାୟଣ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯଜ୍ଞକର୍ମ ସଫଳତାର ସହିତ ଅନୁଷ୍ଠିତ ହୋଇ ଉଦ୍ଯାପିତ ହୋଇଥିବାରୁ ଜିଲ୍ଲା ସଂଗଠନ ତରଫରୁ ତାଙ୍କୁ ସାଧୁବାଦ୍ ଦିଆଯାଇଥିଲା । ଏତଦ୍ ବ୍ୟତୀତ ଜୟ କୁମାର ପତି, ଦୀନକୃଷ୍ଣ କର, ତାରାକାନ୍ତ ପତି, ଅମଳେନ୍ଦୁ ଦୀକ୍ଷିତ, ମିହିର ନାରାୟଣ ଦାଶ, ରବିନାରାୟଣ ଆଚାର୍ଯ୍ୟ, ବିଷ୍ଣୁପଦ ପଣ୍ଡା, ପ୍ରଶାନ୍ତ ଦାଶ, ସୂର୍ଯ୍ୟକାନ୍ତ ପତି, ବିପୁ ପତି, ମଦନ କର, ମନୋରଞ୍ଜନ ତ୍ରିପାଠୀ, ଚନ୍ଦ୍ରଶେଖର ପାଢ଼ୀ, ଗଣେଶ ଚନ୍ଦ୍ର ପଣ୍ଡା, ଈଶ୍ୱର କୁମାର କର ଓ ସେମାନଙ୍କ ପରିବାରବର୍ଗ ସକ୍ରିୟ ସହଯୋଗ କରିଥିଲେ । ସୀମାନ୍ତ ବ୍ରାହ୍ମଣ ସଂଗଠନର ଭୂମିକାକୁ ଅଂଚଳବାସୀଙ୍କ ତରଫରୁ ପ୍ରଶଂସା କରାଯାଇଥିଲା । ଜିଲ୍ଲା ସଂଗଠନ ତରଫରୁ ସତୀଶ ଚନ୍ଦ୍ର କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ