ବିଶ୍ୱହିନ୍ଦୁ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :-ସମ୍ପ୍ରତି ଦେଶରେ ବଢ଼ି ଚାଲିଥିବା ସାମ୍ପ୍ରଦାୟିକ ବିଶୃଙ୍ଖଳା ସହିତ ହିନ୍ଦୁଙ୍କ ଉପରେ ଅଣହିନ୍ଦୁଙ୍କ ଆକ୍ରମଣ ଓ ହତ୍ୟା ଭଳି ଘଟଣା ବିରୋଧରେ ସ୍ୱର ଉଠାଇଛିି ବିଶ୍ୱହିନ୍ଦୁ ପରିଷଦ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହରର ରେଣୁକା କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ଜିଲା ସଭାପତି ଡାକ୍ତର ସୁଧାଂଶୁ ପରିଡା, ସମ୍ପାଦକ ଦେବବ୍ରତ କର, ଉପ-ସଭାପତି କସ୍ତୁରବା ସରକାର ଓ କୋଷାଧ୍ୟକ୍ଷ ବିଜୟ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅଣହିନ୍ଦୁଙ୍କ ଦ୍ୱାରା ରଚାଯାଉଥିବା ସାମ୍ପ୍ରଦାୟିକ ବିଶୃଙ୍ଖଳାକୁ ତୀବ୍ର ନିନ୍ଦା କରିଥିଲେ । ବିଭିନ୍ନ ପ୍ରକାର ଆଳ ଦେଖାଇ ସମାଜରେ ଆତଙ୍କ ସୃଷ୍ଟି କରିବା, ସାମ୍ପ୍ରଦାୟିକ ଦଙ୍ଗା ଭିଆଇବା, ଆନ୍ଦୋଳନ ନାମରେ ସାଧାରଣ ଜନତା ଓ ପୋଲିସ ଉପରକୁ ଢେଲା ପଥର ମାଡ଼ କରିବା ପ୍ରଭୃତି ପରେ ହିନ୍ଦୁଙ୍କୁ ହତ୍ୟା କରିବା ଭଳି ଘଟଣା ସାମନାକୁ ଆସିଛି । ବାଲେଶ୍ୱର ଜିଲ୍ଲାର ରେମୁଣାରେ ମଧ୍ୟ ଗୋଚାଲାଣକୁ ନେଇ ଗୋ- ରକ୍ଷକ ଓ ପୋଲିସ ଉପରେ ଆକ୍ରମଣ ଦ୍ୱାରା ଆତଙ୍କରାଜ ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି ।ଏହି ଭଳି କାର୍ଯ୍ୟକଳାପକୁ ସରକାର ଦୃଢ଼ ହସ୍ତରେ ଦମନ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ କର୍ମକର୍ତ୍ତାମାନେ ଦାବି କରିଛନ୍ତି । ଏହା ସହିତ ଦେଶରେ ଏକତା ବଜାୟ ରଖିବାକୁ ହିନ୍ଦୁ ମାନଙ୍କୁ ସଂଗଠିତ ହେବାକୁ ପରିଷଦର କର୍ମକର୍ତ୍ତାମାନେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପରିଷଦର ବାଲେଶ୍ୱର ନଗର କମିଟି କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇ ଥିଲା । ରାକେଶ କୁମାର ସିଂହ ନଗର ସଭାପତି, ପ୍ରଶାନ୍ତ କୁମାର ନନ୍ଦ ଉପ-ସଭାପତି, ସୁଶୀଲ ଜାଲାନ ସମ୍ପାଦକ, ସୀତାର ଶତପଥୀ ସହ ସମ୍ପାଦକ ଭାବେ ଚୟନ ହୋଇ ଥିବା ବେଳେ ବଜରଙ୍ଗ ଦଳର ସଂଯୋଜକ ଭାବେ ପ୍ରଦୀପ କୁମାର ଦାଶ ଓ ସହ ସଂଯୋଜକ ଭାବେ ମଳୟ କୁମାର ନାୟକଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବା ସମ୍ପାଦକ ଶ୍ରୀ କର ସୂଚନା ଦେଇଛନ୍ତି । ସେହିପରି ଜଗଦୀଶ ଖଣ୍ଡେଲୱାଲଙ୍କୁ ସତସଙ୍ଗ ପ୍ରମୁଖ ଓ ନୀଲଞ୍ଜନା ଆସଙ୍କୁ ମାତୃଶକ୍ତି ପ୍ରମୁଖ ଭାବେ ଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ