ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ
ଚଳିତ ଅକ୍ଟୋବର ମାସରେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ଜିଏଚଆଇ) ପକ୍ଷରୁ ପ୍ରକାଶିତ କ୍ଷୁଧା ସୂଚକାଙ୍କ ରିପୋର୍ଟରେ ଭାରତ ୧୧୧ତମ ସ୍ଥାନରେ ରହିଛି । ଗତ ୨୦୨୨ରେ ଭାରତ ୧୦୭ ତମ ସ୍ଥାନରେ ରହିଥିଲା । ଏହାର ଆଉ ଚାରୋଟି ସ୍ଥାନ ନିମ୍ନଗାମୀ ହୋଇଛି । ଚଳିତ ବର୍ଷ ୧୨୫ଟି ରାଷ୍ଟ୍ରଙ୍କୁ ନେଇ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟରେ ଭାରତ ତାଲିକାରେ ୧୫୧ତମ ସ୍ଥାନରେ ରହିଥିବାବେଳେ ଗତ ବର୍ଷ ୧୨୧ଟି ନେଇ ସର୍ଭେ କରାଯାଇଥିଲା । ଏହି ରିପୋର୍ଟ ଅନୁଯାୟୀ ଭାରତରେ ଭୋକିଲା ବା କ୍ଷୁଧା କେତେ ଯେ ଉତ୍କଟ ତାହା ଅନୁମାନ କରାଯାଇପାରେ । କହିବା ବାହୁଲ୍ୟ ଯେ, ଭାରତ ଠାରୁ ନିମ୍ନରେ ଯେଉଁ ରାଷ୍ଟ୍ରଗୁଡିକ ସ୍ଥାନ ପାଇଛନ୍ତି । ସେହି ଦେଶଗୁଡିକ ମଧ୍ୟ ବହୁ ଆଫ୍ରିକୀୟ ରାଷ୍ଟ୍ର ଅଛନ୍ତି । କିନ୍ତୁ ଭାରତ ଠାରୁ ଉତମ ସ୍ଥିତିରେ ରହିଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ପଡୋଶୀ ପାକିସ୍ଥାନ, ଶ୍ରୀଲଙ୍କା, ବାଙ୍ଗଲାଦେଶ ଓ ନେପାଳ ଆଦି ରାଷ୍ଟ୍ର ଅଛନ୍ତି । ସୂଚକାଙ୍କରେ ପାକିସ୍ଥାନ ୧୦୨ ର୍ୟାଙ୍କରେ ରହିଥିବାବେଳେ ବଙ୍ଗଳାଦେଶ ୮୧, ନେପାଳ ୬୯ ଏବଂ ଶ୍ରୀଲଙ୍କା ୬୦ତମ ସ୍ଥାନରେ ରହିଛି । ଭୋକିଲା କ୍ଷେତ୍ରରେ ଭାରତ ଠାରୁ ପଡୋଶୀ ରାଷ୍ଟ୍ରଗୁଡିକ ଉନ୍ନତ ସ୍ଥିତିରେ ଥିବା ରିପୋର୍ଟ କହୁଛି । ଚଳିତ ୨୦୨୩ ବର୍ଷର ରିପୋର୍ଟରେ ଭାରତ ୨୮.୭ ସ୍କୋର ସହ ୧୧୧ତମ ସ୍ଥାନରେ ରହିଛି, ଯେଉଁଥିରେ ଦେଶରେ ୧୬.୬ ପ୍ରତିଶତ ଅଧାପେଟରେ ରହୁଥିବା କୁହାଯାଇଛି । ସେହିପରି ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ଶିଶୁ ଅପପୁଷ୍ଟି ହାର ସର୍ବାଧିକ ୧୮.୭ ପ୍ରତିଶତ ରହିଥିବାବେଳେ ପାଂଚ ବର୍ଷରୁ କମ୍ ଶିଶୁ ମୃତ୍ୟୁହାର ୩.୧ ପ୍ରତିଶତ ଏବଂ ୧୫ରୁ ୨୪ବର୍ଷ ବୟସ ବର୍ଗର ମହିଳାମାନଙ୍କଠାରେ ରକ୍ତହୀନତା ହାର ୫.୧ ପ୍ରତିଶତ ରହିଥିବା ଉଲ୍ଲେଖ ରହିଛି । ଭାରତ ସରକାର(ଏଚଆଇ)ର ଏହି ରିପୋର୍ଟକୁ ଗତବର୍ଷ ପରି ଏଥର ମଧ୍ୟ ଅଗ୍ରାହ୍ୟ କରିଛନ୍ତି । ରିପୋର୍ଟ ଉପରେ କେନ୍ଦ୍ର ମହିଳା ଓ ଶିଶୁ ମନ୍ତ୍ରଣାଳୟ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ, ସୂଚକାଙ୍କ ନିମନ୍ତେ ଉପଯୋଗ କରାଯାଇଥିବା ଚାରୋଟି ସୂଚକ ମଧ୍ୟରୁ ତିନୋଟି ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏବଂ ତାହା ସମଗ୍ର ଜନସଂଖ୍ୟାର ପ୍ରତିନିଧିତ୍ୱ କରିପାରିବ ନାହିଁ । ଆହୁରି ମଧ୍ୟ ଚତୁର୍ଥ ଏବଂ ଗୁରୁତ୍ୱପୂର୍ଣ୍ଣ ସୂଚକର ଗଣନା ମାତ୍ର ୩୦୦୦ ନମୂନା ଉପରେ ଆଧାରିତ । କେତେକ ବିଶେଷଜ୍ଞ ମତରେ କ୍ଷୁଧା ମାପିବା ପାଇଁ ଯେଉଁ ସର୍ତଗୁଡିକ ବ୍ୟବହାର ବା ଉପଯୋଗ କରାଯାଇଛି, ତାହା ଅତ୍ୟନ୍ତ ଦୁର୍ବଳ । ଏଭଳି ସମାଲୋଚନା କିମ୍ବା ଭାରତର ମତକୁ ଅଗ୍ରାହ୍ୟ କରାଯାଇପାରିବ ନାହିଁ । କିନ୍ତୁ ଗତ ୨୦୦୬ ମସିହାଠାରୁ ପ୍ରତିବର୍ଷ ଡିଏଚଆଇ ପ୍ରକାଶ କରି ଆସୁଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟରୁ ବିଶ୍ୱର ପ୍ରାୟ ପ୍ରତ୍ୟେକ ରାଷ୍ଟ୍ର ଗ୍ରହଣ କରି ଆସୁଛନ୍ତି । ଏହାର କାରଣ ହେଉଛି, ଜିଏଚଆର ତା’ର ବିଶ୍ୱ କ୍ଷୁଧା ସୂଚକାଙ୍କରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ, ୟୁନିସେଫ ଏବଂ କୃଷି ବିକାଶ ପାଇଁ ଆନ୍ତର୍ଜାତିକ ପାଣ୍ଠ ବା ଆଇଫାଡର ମିଳିତ ଉଦ୍ୟମରେ ପ୍ରସ୍ତୁତ ଷ୍ଟେଟ ଅଫ ଫୁଡ ସିକ୍ୟୁରିଟି ଆଣ୍ଡ ନ୍ୟୁଟ୍ରିସନ ଇନ୍ ଦି ୱାର୍ଲଡ (ସୋଫି) ରିପୋର୍ଟର ଅପପୁଷ୍ଟି ତଥ୍ୟକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ଜିଏଚଆଇ ତାର ରିପୋର୍ଟକୁ ସର୍ବଦା ନିର୍ଭୁଲ ଏବଂ ସଠିକ୍ ବୋଲି କହି ଆସିଛି । ଉଲ୍ଲେଖଯୋଗ୍ୟ ଯେ, ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ଡିଏଚଆଇ) ର ଚଳିତ ବର୍ଷର ରିପୋର୍ଟ ଅନୁଯାୟୀ ଦେଶରେ ପ୍ରାୟ ୨୪କୋଟି ଲୋକ ଅପପୁଷ୍ଟିର ଶିକାର, ଯାହାକି ମୋଟ ଜନସଂଖ୍ୟାର ଏକ ଷଷ୍ଟାଂଶ । ଜଣେ ବ୍ୟକ୍ତି ଆବଶ୍ୟକ ପରିମାଣର ଖାଦ୍ୟ ଓ ଖାଦ୍ୟସାର ନପାଇବା ହେଉଛି ଅପପୁଷ୍ଟି । ଏହା ସତ୍ୟ ଯେ, ଖାଦ୍ୟ ଭାବ ଯୋଗୁଁ ଦେଶରେ ପୁଷ୍ଟିହୀନତା ଓ ଅପପୁଷ୍ଟି ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ(ଏନଏଫଏଚଏସ)-୫ର ତଥ୍ୟ ମଧ୍ୟ ଏହି ତଥ୍ୟ ସ୍ପଷ୍ଟ କରିଛି । ଏନଏଫଏଚଏସ-୫ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ୬ରୁ ୨୩ ମାସର ଶିଶୁଙ୍କ ମଧ୍ୟରୁ ୮୯ ପ୍ରତିଶତ ସର୍ବନିମ୍ନ ଗ୍ରହଣଯୋଗ୍ୟ ଖାଦ୍ୟରୁ ବଂଚିତ । ଏନଏଫଏଚଏସ-୪ ଏହି ସଂଖ୍ୟା ଥିଲା ୯୦.୪ ପ୍ରତିଶତ । ଏଥିରେ ସୁଧାର ଅତି ନଗଣ୍ୟ । କେବଳ ଏତିକି ନୁହେଁ, ସର୍ଭେ ରିପୋର୍ଟରେ ୬ବର୍ଷରୁ କମ ଶିଶୁ, କିଶୋର କିଶୋରୀ ଗର୍ଭବତୀ ଏବଂ ୧୫ରୁ ୪୯ବର୍ଷର ମହିଳାଙ୍କ ମଧ୍ୟରେ ରକ୍ତହୀନତା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଉଦବେଗଜନକ ସ୍ଥିତିରେ ରହିଛି । ଉଲ୍ଲେଖ କରାଯାଇପାରେ ଯେ, ଭାରତ ଏବେ ବିଶ୍ୱର ବୃହତ ପଂଚମ ଅଥନୈତିକ ଶକ୍ତି ଭାବେ ମାନ୍ୟତା ହାସଲ କରିଛି । ଆଗାମୀ ପାଂଚବର୍ଷରେ ବିଶ୍ୱର ତୃତୀୟ ବୃହତ ଶକ୍ତି ହେବା ନେଇ ଏବେ ପ୍ରଧାନମନ୍ତ୍ରୀ ବିଭିନ୍ନ ସଭା, ସମିତିରେ ଡିଣ୍ଡିମ ପିଟୁଛନ୍ତି । ପଡୋଶୀ ପାକିସ୍ଥାନ, ଶ୍ରୀଲଙ୍କାରେ ଅର୍ଥନୀତି ଦେବାଳିଆ ହୋଇପଡିଥିବା ବେଳେ କ୍ଷୁଧା ସୂଚକାଙ୍କରେ ଭାରତ ଠାରୁ ବହୁତ ଭଲ ସ୍ଥିତିରେ ନାହିଁ । ମୁଣ୍ଡ ପିଛା ଆୟ କ୍ଷେତ୍ରରେ ମଧ୍ୟ ବହୁତ ଉଚ୍ଚ ସ୍ଥିତିରେ ରହିଛି । ଦେଶରେ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଖାଦ୍ୟ ଯୋଜନାରେ ରିହାତିରେ ଏବଂ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦେଉଥିବାବେଳେ ଦେଶରୁ ଭୋକିଲାଙ୍କ ସଂଖ୍ୟା କମିବା ପରିବର୍ତେ ବଢୁଛି । ଏଥିରୁ ଦେଶରେ ଦାରିଦ୍ର୍ୟ କେତେ ଯେ, ଉତ୍କଟ, ତାହା ସ୍ପଷ୍ଟ ବୁଝାପଡେ । ସରକାର ରିପୋର୍ଟକୁ ଅଗ୍ରାହ୍ୟ କରିବା ଆତ୍ମବଡିମାର ପରିଚୟ ଦିଏ ବୋଲି କହିଲେ ହୁଏତ ଅତିରଂଜିତ ହୋଇନପାରେ । ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବାର ସମୟ ଏବେ ଆସିଛି । ଯୋଜନା କେବଳ ଆତ୍ମପ୍ରଚାର ସର୍ବସ୍ୱ ନହୋଇ ବାସ୍ତବ ହେବା ଜରୁରୀ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯


