ବିଶ୍ୱ ଘରଚଟିଆ ଦିବସ ଘରଚଟିଆକୁ ରାଜ୍ୟ ପକ୍ଷୀର ମାନ୍ୟତା ମିଳୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ । ମାତ୍ର ଆଜିର ଅସନ୍ତୁଳିତ ପରିବେଶ, ପକ୍କାଘର, ମୋବାଇଲ୍ ଟାୱାରର ବିକିରଣର ପ୍ରଭାବ, ଜଙ୍ଗଲ ହ୍ରାସ, ରାସାୟନିକ ସାର ବ୍ୟବହାର, ପେଟ୍ରୋଲ, ଡ଼ିଜେଲ୍ ଧୂଆଁ ଆଦି ପ୍ରଭାବରେ ଏହି ସରଳ, ସୁନ୍ଦର ପକ୍ଷୀଟି ଏବେ ନିଜର ପରିଚୟ ହରାଇବାକୁ ବସିଲାଣି । ଏହି ଛୋଟ ପକ୍ଷୀଟିକୁ ଏବେ ଦେଖିବା ପ୍ରାୟ ସ୍ୱପ୍ନ । ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ଖୋଜୁଛି ଘର । ସିମେଣ୍ଟ, କଂକ୍ରିଟ ଗାଆଁ ଦାଣ୍ଡରେ ଖୋଜି ପାଉନି ନୁଆଁଣିଆ ଚାଳ ଘରଟିଏ । ଯେଉଁଠି ସେ ବସାଟିଏ ତୋଳିବ, ହେଲେ ସେ ପାଉନି । ଯେଉଁଥିପାଇଁ ଏମାନଙ୍କ ବଂଶ ଲୋପ ପାଇବାକୁ ବସିଲାଣି । ଆଉ ଶୁଭୁନି ସେମାନଙ୍କର ସୁମଧୁର କିିଚିରି ମିଚିରି ଶବ୍ଦ । ଏହି ଘରଚଟିଆଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ଭାବରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଘରଚଟିଆକୁ ରାଜ୍ୟ ପକ୍ଷୀର ମାନ୍ୟତା ଦେବା ଲାଗି ପରିବେଶକର୍ମୀ ସୁଶାନ୍ତ ସାହୁ ଦାବି କରିଛନ୍ତି । ୨୦୧୨ ମସିହାରେ ଦିଲ୍ଲୀ ସରକାର ଏହାକୁ ରାଜ୍ୟ ପକ୍ଷୀର ମାନ୍ୟତା ଦେଇଛନ୍ତି । ସରକାରୀ ଓ ବେସରକାରୀ ସ୍ତରରେ ଏହି କ୍ଷୁଦ୍ର ପକ୍ଷୀର ବଂଶ ବଞ୍ଚାଇବା ପାଇଁ ପ୍ରତ୍ୟେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଛାତରେ କୃତ୍ରିମ ବସା ଲଗାନ୍ତୁ । ତତ୍ସହିତ ଏମାନଙ୍କ ଲାଗି ପାଣି ଓ ଖାଦ୍ୟର ବ୍ୟବସ୍ଥା କଲେ ଏହା ପକ୍ଷୀ ବଂଶ ବୃଦ୍ଧିରେ ବେଶ୍ ସହାୟକ ହୋଇପାରିବ ବୋଲି ସୁଶାନ୍ତ କହିଛନ୍ତି । ପରିବେଶ ଓ ମଣିଷ ସମାଜର ସମୃଦ୍ଧି ପାଇଁ ଘରଚଟିଆଙ୍କ ଉପସ୍ଥିତି ଏକାନ୍ତ ଜରୁରୀ । ଯାହା ପ୍ରକୃତି ଓ ପରିବେଶ ପାଇଁ ଶୁଭଙ୍କର ହେବ ।