ବିଶ୍ୱ ଧଳାବାଡ଼ି ସପ୍ତାହ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ଅକ୍ଟୋବର ୧୫ରୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ଧଳାବାଡ଼ି ସପ୍ତାହ ପାଳନ କରାଯାଇଥାଏ । ଦୃଷ୍ଟିବାଧିତ ବ୍ୟକ୍ତି ନିଜେ କିପରି ଆତ୍ମନିର୍ଭରଶୀଳ ହୋଇ ସ୍ୱଚ୍ଛନ୍ଦରେ ଧଳାବାଡ଼ି ସାହାଯ୍ୟରେ ଯାତାୟତ କରିପାରିବେ ଏ ସପ୍ତାହ ପାଳନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଆମ ରାଜ୍ୟରେ ପାଖାପାଖି ୬୦ ପ୍ରତିଶତ ଦୃଷ୍ଟିବାଧିତ ବ୍ୟକ୍ତି ଧଳାବାଡ଼ି ଠାରୁ ବହୁ ଦୂରରେ । ଅର୍ଥାତ୍ ଏହାକୁ ବ୍ୟବହାର କରନ୍ତି ନାହିଁ । ଯଦ୍ୱାରା ଏମାନେ ସଦାସର୍ବଦା ଅନ୍ୟ ଉପରେ ସାହାରା ହୋଇ ନିର୍ଭରଶୀଳ ହୋଇଯାଉଛନ୍ତି । ତତ୍‌ସହିତ ବିଭିନ୍ନ ପ୍ରକାରର ଅଘଟଣ ଓ ଦୁର୍ଘଟଣାର ଏମାନେ ବି ଶିକାର ହୋଇଥାନ୍ତି । ଦିନକୁ ଦିନ ଧଳାବାଡ଼ି ପ୍ରତି ବଢୁଛି ହୀନମନ୍ୟତା । ଧଳାବାଡ଼ି ବ୍ୟବହାର କଲେ କେହି ଆମକୁ ବୃଦ୍ଧ କିମ୍ବା ବୃଦ୍ଧା ଭାବିବେ ଅଥବା ଦୃଷ୍ଟିବାଧିତ ମନେ କରିବେ ବୋଲି ଧଳାବାଡ଼ିକୁ ଅନେକ ଦୃଷ୍ଟିବାଧିତ ବ୍ୟକ୍ତି ବା ବିଦ୍ୟାର୍ଥୀମାନେ ବ୍ୟବହାର କରୁନାହାଁନ୍ତି ବୋଲି ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲ୍‌ଫେୟାର, ଭୁବନେଶ୍ୱର ପକ୍ଷରୁ ବାରଙ୍ଗସ୍ଥିତ କନକଦୁର୍ଗା ମନ୍ଦିର ପରିସର ମଧ୍ୟରେ ଆୟୋଜିତ ବିଶ୍ୱ ଧଳାବାଡ଼ି ସପ୍ତାହ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଟ୍ରଷ୍ଟ ପକ୍ଷରୁ ବାରଙ୍ଗ ଉପକଣ୍ଠରେ ଦାରିଦ୍ର‌୍ୟ ସୀମାରେଖା ତଳେ ରହୁଥିବା ଦୃଷ୍ଟିବାଧିତ ବ୍ୟକ୍ତି ଓ ବିଦ୍ୟାର୍ଥୀଙ୍କୁ ଏହି ଅବସରରେ ମାଗଣାରେ ଧଳାବାଡ଼ି ପ୍ରଦାନ କରାଯାଇଥିଲା । ଧଳାବାଡ଼ିର ବ୍ୟବହାର ନିମନ୍ତେ ଦୃଷ୍ଟିବାଧିତ ମାନଙ୍କୁ ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ । କିନ୍ତୁ ଆମ ରାଜ୍ୟରେ ଏ ନେଇ ଓରିଏଣ୍ଟେସନ୍ ଆଣ୍ଡ୍ ମୋବିଲିଟି ଟ୍ରେନିଂ ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ । ଆକସ୍ମିକ ଭବେ କୌଣସି ଦୃଷ୍ଟିସମ୍ପନ୍ନ ବ୍ୟକ୍ତିଙ୍କର ଯଦି ଦୃଷ୍ଟିଶକ୍ତି ଚାଲିଯାଏ ତେବେ ଏହି ଟ୍ରେନିଂ ନେବା ପାଇଁ ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ (ଏନ୍‌ଏବି) ମୁମ୍ବାଇକୁ ଯିବାକୁ ପଡ଼ିଥାଏ ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ ଓ ଦୃଷ୍ଟିବାଧିତ ଖେଳାଳିଙ୍କ କୋଚ୍ ତ୍ରିଲୋଚନ ବେଉରା ଏହି ଅବସରରେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ସାମାଜିକ କର୍ମୀ ଦୀପକ ରଞ୍ଜନ ସ୍ୱାଇଁ, ମନୋଜ ସ୍ୱାଇଁ, ପ୍ରବୀଣ ପ୍ରଧାନ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କୁ ଧଳାବାଡ଼ି ବଣ୍ଟନ କରିଥିଲେ । ଟ୍ରଷ୍ଟର ଚେୟାରମ୍ୟାନ୍ ପ୍ରକାଶ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବାରଙ୍ଗ ବ୍ଲକର ଇଭି ଚାରୁଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ