ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ

ହିଞ୍ଜିଳିକାଟୁ, (ୱାଇଏନଏସ): ପ୍ରତିବର୍ଷ ଜୁନ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଶୁକ୍ରବାର ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଇଟିଆଇର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ବିଭିନ୍ନ ପ୍ରଜାତିର ଶତାଧିକ ବୃକ୍ଷ ରୋପଣ କରିବା ସହ ରୋପଣ ବୃକ୍ଷର ଯତ୍ନ ନେବାପାଇଁ ଶପଥ ଗ୍ରହଣ କରିଥିଲେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ସଂକ୍ରଣକୁ ରୋକିବା ଲାଗି ସରକାରଓ ପ୍ରଶାସନିକ ଅଧିକାରୀ ମାନେ ଉଦ୍ୟମ ଜାରୀ ରଖିଛନ୍ତି । ଏହାକୁ ଆଖି ଆଗରେ ରଖି ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ଶିଳ୍ପ ତାଲିମ ଅନୁଷ୍ଠାନରେ ଅଧ୍ୟୟନ କରୁଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ନିଜ ନିଜ ଘର ବାରିପଟେ କିମ୍ବା ନିଜ ପରିବେଶ ମଧ୍ୟରେ ସମସ୍ତ ଶିକ୍ଷାର୍ଥୀ ଅତି କମ୍‌ରେ ଗୋଟାଏ ଲେଖାଏଁ ଚାରା ରୋପଣ କରିବା ସହ ରୋପଣ ଚାରାର ଯତ୍ନ ନେବାକୁ ଶପଥ କରିବା ସକାଶେ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ପଣ୍ଡା କହିଛନ୍ତି । ଏହି ଅବସରରେ ଅଧ୍ୟକ୍ଷ ପଣ୍ଡା ଏକ ସୁନ୍ଦର କାହାଣୀ ମାଧ୍ୟମରେ ବୃକ୍ଷରୋପଣ ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପ ତାଲିମ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ