ବିଶ୍ୱ ପରିବେଶ ଦିବସ ଅବସରରେ ସଙ୍ଗରୋଧ କେନ୍ଦ୍ରରେ ଗଛ ଲଗାଇଲେ ପ୍ରବାସୀ
ଛତ୍ରପୁର (ଓ୍ବାଇଏନ୍ଏସ୍) : ମହାମାରୀ କରୋନା ପାଇଁ ସାରା ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀ ଓଡିଆ ମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି ଏବଂ ସେମାନଙ୍କ ଉତ୍ତମ ବ୍ୟବସ୍ଥା କରାଯାଉଛି । ଏନେଇ ଗଂଜାମ ଜିଲ୍ଲା ଛତ୍ରପୁର ଏନଏସି ର ବାଳିକା ଉଚ୍ଚ ବିଦ୍ୟାଳୟ (ସଙ୍ଗରୋଧ କେନ୍ଦ୍ର) ପରିସରରେ ଅନ୍ତେବାସୀ ରହୁଛନ୍ତି । ଜୁନ ୫ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କେନ୍ଦ୍ର ପରିସରରେ ଥିବା ଏହି ଅନ୍ତେବାସୀ ମାନେ ଛତ୍ରପୁର ବିଡିଓ ତଥା ଏପିଡି ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଏବଂ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁଙ୍କ ଉପସ୍ଥିତିରେ ଜଣେ ଜଣେ ଗୋଟିଏ ଗୋଟିଏ ଗଛ ଲଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏନେଇ ଛତ୍ରପୁର ଏନଏସି ପକ୍ଷରୁ ଟୁଇଟ କରି ସୂଚନା ଦେଇଛନ୍ତି । ପ୍ରବାସୀଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରିଛନ୍ତି ।