ପ୍ରାର୍ଥନା ଦିବସ ପାଳନକୁ ଜିଲ୍ଲାପାଳଙ୍କୁ ନିବେଦନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ବର୍ତ୍ତମାନ ସମାଜର ଅବକ୍ଷୟ ଯୋଗୁ ଚାରିଆଡେ ଅଶାନ୍ତିର ଝଡ ସୃଷ୍ଟି ହୋଇଛି । ଅନ୍ୟାୟ,ହିଂସାକାଣ୍ଡ,ଦୁର୍ନିତୀ, ଚୋରି ,ବ୍ୟଭିଚାର,ନାରୀ ନିର୍ଯ୍ୟାତନା ପ୍ରଭୃତି ଯୋଗୁ ପରିବେଶ ଦୂଷିତ ହୋଇଗଲାଣି । ଆମଭିତରୁ ମାନବିକତା ଲୋପ ହେବା ସହିତ କୁସଂସ୍କାର ବ୍ୟାପି ଗଲାଣି । ଏଥିରୁ ରକ୍ଷା ପାଇବାକୁ ବ୍ୟକ୍ତିଗତ ଭାବେ,ସାମାଜିକ ଭାବେ, କି ଜାତୀୟ ବା ଆନ୍ତର୍ଜାତୀୟ ସ୍ତରରେ ସକଳ ସମସ୍ୟାର ସମାଧାନର ସୁତ୍ର ହେଉଛି ଈଶ୍ୱରଙ୍କୁ ପ୍ରାର୍ଥନା କରିବା । ଯଦି ଦେଶରେ ଶାନ୍ତି ଓ ସମୃଦ୍ଧି ଆମେ ଚାହୁଁଛେ ତେବେ ପ୍ରତ୍ୟେକ ବ୍ୟକ୍ତି,ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ଗ୍ରାମରେ ନିଃଶ୍ୱାର୍ଥ ଭାବରେ ଆନ୍ତରିକତା ସହ ଶୁଦ୍ଧ ହୃଦୟରେ ପ୍ରାର୍ଥନା କରିବା ଉଚିତ । କଥିତ ଅଛି “ସକଳେ ହୋଇ ଏକ ମୁଖ ,ଡାକିଲେ ନାରାୟଣ ରଖ”ଶୁଦ୍ଧ ହୃଦୟରେ ସମବେତ ହୋଇ ପ୍ରାର୍ଥନା କଲେ ସେଥିରୁ ଏକ ଆଧ୍ୟାତ୍ମିକ ମହାଶକ୍ତି ଉତ୍ପନ୍ନ ହୋଇଥାଏ । ସେହି ମହାଶକ୍ତି ସମସ୍ତ ବାୟୁମଣ୍ଡଳରୁ ଦୂଷିତ ବାୟୁକୁ ନଷ୍ଟ କରିଦିଏ । ଏହି ସମବେତ ପ୍ରାର୍ଥନାରୁ ଯେଉଁ ଆଧ୍ୟାତ୍ମିକ ସ୍ପନ୍ଦନ ସୃଷ୍ଟି ହୁଏ ତାହା ବହୁଦୁର ଦୂରାନ୍ତରେ ପ୍ରସାରିତ ହୋଇ ସମସ୍ତଙ୍କୁ ଶାନ୍ତି,ଶକ୍ତି,ସୈାହାଦ୍ର୍ଧ୍ୟ ପ୍ରଦାନ କରିଥାଏ । ବର୍ତ୍ତମାନ ଦେଶର ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ମିଶି ସମବେତ ହୋଇ ସବୁଧର୍ମ,ସବୁ ସମ୍ପ୍ରଦାୟ,ସବୁମତ ପ୍ରତିବର୍ଷ ଜାନୁଆରିମାସ ଏକ ତାରିଖକୁ ବିଶ୍ୱ ପ୍ରାର୍ଥନା ଦିବସ ରୂପେ ପାଳନ କରିବାକୁ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ଗରାପୁର ପକ୍ଷରୁ ଶ୍ରୀ ମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ନିବେଦନ କରିଛନ୍ତି । ଏକା ଦିନରେ ଏକ ସମୟରେ ବିଶ୍ୱଶାନ୍ତି ପାଇଁ ସମସ୍ତେ ପ୍ରାର୍ଥନା କରିବା ଉଚିତ । ମନ୍ଦିର,ମସଜିଦ,ଗୀର୍ଜା,ଗୁରୁଦ୍ୱାର ସମେତ ଯେକୈାଣସି ଧର୍ମାନୁଷ୍ଠାନ,ଶିକ୍ଷାନୁଷ୍ଠାନରେ ନିଜ ନିଜର ଇଷ୍ଟଦେବଙ୍କ ପାଖରେ ପ୍ରାର୍ଥନା କରିବାକୁ ସେ ବିନମ୍ର ନିବେଦନ କରିଛନ୍ତି । ଜାନୁଆରୀମାସ ୧ତାରିଖ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ସମୂହ ପ୍ରାର୍ଥନା କରିବାକୁ ନିବେଦନ ସହ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଦୈନିକ ପ୍ରାର୍ଥନା ସମୟରେ ବିଶ୍ୱଶାନ୍ତି ପାଇଁ ୨ମିନିଟ ପ୍ରାର୍ଥନା କରିବାକୁ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ନିବେଦନ କରିଛନ୍ତି । ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ଦିବ୍ୟ ଜୀବନ ସଙ୍ଘ ପକ୍ଷରୁ ଆଇନଜୀବି ପ୍ରଦିପ କୁମାର ଦାଶ, ଶ୍ରୀଧର ମହାନ୍ତି, କରୁଣାକର ଦାସ, ଆଶ୍ରମର ନୃସିଂହ ବାବା ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଗରାପୁର ଦିବ୍ୟ ଜୀବନ ସଙ୍ଘ ଆଶ୍ରମର ଶ୍ରୀ ମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦଜୀ ସ୍ୱାକ୍ଷର କରିଥିବା ନିବେଦନ ପତ୍ରଟିକୁ ପ୍ରଦାନ କରିଥିଲେ ।