ବିଶ୍ୱ ବ୍ରେଲ୍ ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଲୁଇସ୍ ବ୍ରେଲ୍ ଥିଲେ ଦୃଷ୍ଟିବାଧିତ ସମାଜର ଆଦ୍ୟ ପଥପ୍ରଦର୍ଶକ । ତାଙ୍କର ଅବଦାନ ଅନନ୍ୟ, ଦୃଷ୍ଟିବାଧିତଙ୍କ ପଢ଼ିବା ଓ ଲେଖିବା ପାଇଁ ଉଦ୍ଦିଷ୍ଟ ବ୍ରେଲ୍ ଲିପିର ସ୍ରଷ୍ଟା ଥିଲେ ଲୁଇସ୍ ବ୍ରେଲ୍ । ବ୍ରେଲ୍ ଲିପି ଦ୍ୱାରା ଦୃଷ୍ଟିବାଧିତଙ୍କ ଜୀବନରେ ଯେଉଁ ଆଲୋକ ଆଣିଛନ୍ତି, ସେ ଚିର ନମସ୍ୟ ଓ ଚିରସ୍ମରଣୀୟ ବୋଲି ବିଶ୍ୱ ବ୍ରେଲ୍ ଦିବସ ପାଳନ ଅବସରରେ ଯୋଗଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ରାଜ୍ୟର ଦୃଷ୍ଟିବାଧିତଙ୍କ ବିକାଶ ଲାଗି କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ‘ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲ୍ଫେୟାର’ ଏବଂ ‘ବୁଲ୍ସଆଇ’ର ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ ତିଳୋତ୍ତମା ମଣ୍ଡପ ପରିସର ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଶାନ୍ତିଧାମ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସୌଭାଗ୍ୟ ରାଉତରାୟ, ସମ୍ମାନିତ ଅତିଥି ରୂପେ ତ୍ରିଷ୍ଟାର ସଫ୍ଟୱେୟାର ଆଣ୍ଡ ସଲ୍ୟୁସନ୍ର ଜ୍ଞାନଭୂଷଣ ଗୁପ୍ତା, ଜେଏସପି ଫାଉଣ୍ଡେସନର ଅଧିକାରୀ ସୁବ୍ରତ ତ୍ରିପାଠୀ, ଅଭିଳାଷ ମୁଦୁଲି, ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲଫେୟାର ଅଧ୍ୟକ୍ଷ ପ୍ରକାଶ କୁମାର ମହାପାତ୍ର, ଦର୍ଶନ ବିଭାଗର ଅଧ୍ୟାପକ ଶେକ୍ ସାମଦ୍ କଳାପାହାଡ, ବୁଲ୍ସଆଇ ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା, ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲର ବାପିନା ନାୟକ, ସାମାଜିକ କର୍ମୀ ନକୁଳ ହରିଚନ୍ଦନ, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଯୋଗଦେଇ ଲୁଇସ୍ ବ୍ରେଲ୍ଙ୍କ ଜୀବନ ସଂଘର୍ଷ ଓ ତାଙ୍କର ସମାଜ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଏକଶତ ଦୃଷ୍ଟିବାଧିତଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ କରାଯାଇଥିଲା । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲଫେୟାର ଅଧ୍ୟକ୍ଷ ପ୍ରକାଶ କୁମାର ମହାପାତ୍ରଙ୍କୁ ‘ବୁଲ୍ସଆଇ’ ପକ୍ଷରୁ ମୋମେଣ୍ଟୋ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ ଅନୁଷ୍ଠାନ ଶାନ୍ତିଧାମ ଫାଉଣ୍ଡେସନ, ୟୁକୋ ବ୍ୟାଙ୍କ ଜୋନାଲ୍ ବ୍ରାଞ୍ଚ, ଜେଏସପି ଫାଉଣ୍ଡେସନ ପ୍ରମୁଖ ସଂସ୍ଥା ସହଯୋଗ କରିଥିଲେ ।