ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ପ୍ରକୃତ ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବାକୁ କଂଗ୍ରେସ ପଛୁଆବର୍ଗ ସେଲର ଦାବୀ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଭାରତୀୟ ଜାତୀୟ କଂଗ୍ରେସ ଜିଲ୍ଲା ପଛୁଆ ବର୍ଗ ସେଲ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଜିଲ୍ଲାର ପ୍ରକୃତ ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତର ସାମିଲ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରାଯାଇଛି । ଜିଲ୍ଲା କଂଗ୍ରେସ ପଛୁଆ ବର୍ଗ ସେଲର ଅଧ୍ୟକ୍ଷ ବିଧୁଭୂଷଣ ମହାପାତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ଯେ ୨୦୧୧ ମସିହା ଜନଗଣନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାରେ ୪୦ହଜାରରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମ ଥିବାବେଳେ ସେଥି ମଧ୍ୟରୁ ବହୁ ଭିନ୍ନକ୍ଷମ ସେମାନଙ୍କ ନାର୍ଯ୍ୟା ଅଧିକାରରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଏଥିସହିତ ଜିଲ୍ଲାର ବହୁ ସୁସ୍ଥସବଳ ଲୋକ ଭିନ୍ନକ୍ଷମ ପ୍ରମାଣପତ୍ର ହାତେଇନେଇ ବିଭିନ୍ନ ସରକାରୀ ପଦପଦବୀରେ ଚାକିରୀ କରିଥିବା ବେଳେ ପ୍ରକୃତରେ ସେମାନେ ଭିନ୍ନକ୍ଷମ ନୁହଁନ୍ତି,ଜିଲ୍ଲାର ବହୁ ଅଙ୍ଗନୱାଡି କେନ୍ଦ୍ରରେ ଚାକିରୀ କରୁଥିବା କର୍ମୀ ଓ ସହାୟୀକାମାନେ ମଧ୍ୟ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା,ଜିଲ୍ଲାର ୪୦ହଜାର ଭିନ୍ନକ୍ଷମଙ୍କ ମଧ୍ୟରୁ ମାତ୍ର ୧୬ହଜାର ଭିନ୍ନକ୍ଷମ ଭତ୍ତା ପାଉଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଭିନ୍ନକ୍ଷମ ନକଲି ଭିନ୍ନକ୍ଷମ ଥିବା ଅଭିଯୋଗ ହୋଇଛି । ଏସବୁ ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ର ପରିପନ୍ଥୀ ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ଏଣୁ ଜିଲ୍ଲାର ପ୍ରକୃତ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ମାସିକ ଭତ୍ତା ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବା,ଏକ ଉଚ୍ଚ ସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ହାତେଇ ନେଇ ସରକାରୀ ସୁବିଧା ସୁଯୋଗ ପାଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା,ଜିଲ୍ଲାର ସମସ୍ତ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବା ସହ ଋଣ,ସରକାରୀ ସହାୟତା ଓ ତିନିଚକିଆ ସାଇକେଲ ଯୋଗାଇ ଦିଆଯିବା,ପ୍ରକୃତ ଭିନ୍ନକ୍ଷମମାନଙ୍କୁ ସେମାନେ ଭିନ୍ନକ୍ଷମ ହେବା ଦିନ ଠାରୁ ସେମାନଙ୍କ ନାର୍ଯ୍ୟ ପ୍ରାପ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏକକାଳୀନ ପ୍ରଦାନ କରାଯିବାକୁ ଜିଲ୍ଲା କଂଗ୍ରେସ ପଛୁଆ ବର୍ଗ ସେଲର ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ