ବିଶ୍ୱ ମତ୍ସ୍ୟ ଦିବସ ପାଳିତ
କେନ୍ଦ୍ରାପଡା – ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଗୁରୁବାର ଅପରାହ୍ନରେ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୁଲ୍ୟରେ ଏକ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାର ଅଗ୍ରଣୀ ମତ୍ସ୍ୟ ଚାଷୀ,ମତ୍ସ୍ୟ ଯାଆଁଳ ଉତ୍ପାଦକ ଓ ବିକ୍ରେତା,ମତ୍ସ୍ୟଜୀବି ସମବାୟ ସମିତିର ସଭ୍ୟ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଭ୍ୟମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାର ଜିଲ୍ଲା ନୋଡାଲ ଅଧିକାରୀ ବନ ବିହାରି ଦାସ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ ଚନ୍ଦ୍ର ଦାସ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁନିଲ କୁମାର ପୁରୋହିତ, ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାସ ଚନ୍ଦ୍ର ସେନାପତି, ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ପ୍ରସନ୍ନ କୁମାର ପଟ୍ଟନାୟକ,କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତାପସରଞ୍ଜନ ସାହୁ,ସହକାରୀ ଉଦ୍ୟାନକୃଷି ଅଧିକାରୀ ଶୁଭଶ୍ରୀ କର,ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ,ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର,ରାଜନଗର ସହକାରି ବନ ଅଧିକାରୀ ମନୋରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ମତ୍ସ୍ୟଚାଷର ବିକାଶ ଉପରେ ଆଲୋଚନା କରିଥିଲେ । ଜିଲ୍ଲାରେ ଥିବା ସମସ୍ତ ପୋଖରୀ ଗୁଡିକରେ ବୈଜ୍ଞାନିକ ପଦ୍ଧତିରେ ବ୍ୟାପକ ଭାବେ ମତ୍ସ୍ୟଚାଷ କରାଗଲେ ଆର୍ଥିକ ଅଭିବୃଦ୍ଧି ସହିତ ପୃଷ୍ଟି ଅଭାବ ଦୂର ହେବାରେ ସହାୟକ ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ ସହିତ ଜିଲ୍ଲାରେ ପ୍ରଚଳିତ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ଓ ତତ ସମ୍ପର୍କୀତ ସରକାରୀ ସହାୟତା ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ମତ୍ସ୍ୟ ଦିବସ ଅବସରରେ ଜିଲ୍ଲାର କେତେକ ଅଗ୍ରଣୀ ମତ୍ସ୍ୟ ଚାଷି,ମତ୍ସ୍ୟ ଯାଆଁଳ ଉତ୍ପାଦକ ଓ ବିକ୍ରେତା.ମତ୍ସ୍ୟଜୀବି ସମବାୟ ସମିତିର ସଭ୍ୟ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଭ୍ୟମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଏହି କର୍ମଶାଳାରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ତ କର୍ମଚାରି ଯୋଗଦେଇଥିବା ବେଳେ ଶେଷରେ ସହକାରି ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।


