ବିଶ୍ୱ ରାଜନୀତିରେ ଭାରତର ଭୂମିକା ଅନନ୍ୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶ୍ୱ ରାଜନୀତିରେ ଭାରତର ଭୂମିକା ଅନନ୍ୟ ବୋଲି ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହ “ବିଶ୍ୱ ଏକ ପରିବାର ଓ ଅହିଂସା ଶ୍ରେଷ୍ଠ ଦର୍ଶନ”ରେ ମୁଖ୍ୟ ଅତିଥି ଭାବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଲେ ବର୍ତ୍ତମାନ ୟୁକ୍ରେନ ଆଦି ଦେଶରେ ଯୁଦ୍ଧ ଚାଲିଥିଲା ବେଳେ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଜି-୨୦ ଶିଖର ସମ୍ମିଳନୀର ସଭାପତି ଭାବେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ବାର୍ତ୍ତା ପ୍ରଦାନ କରୁଛନ୍ତି ଯେ, ‘ବିଶ୍ୱ ଏକ ପରିବାର, ଆମେ ଗୋଟିଏ ପୃଥିବୀମାତାର ସନ୍ତାନ’ । ସେହିପରି ଶ୍ରୀ ହରିଚନ୍ଦନ କହିଲେ ଯେ, ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରା ଭାରତୀୟ ସଂସ୍କୃତିର ମହାମନ୍ତ୍ର । ଭାରତର ସନ୍ତାନମାନେ କହିପାରନ୍ତି ଯେ, ନିଜ ସ୍ୱାର୍ଥ ପାଇଁ ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ତାର ପ୍ରତି ରକ୍ତବିନ୍ଦୁ । ତେଣୁ ପରସ୍ପର ଭିତରେ ହିଂସା ଦ୍ୱେଷଭାବ ସୃଷ୍ଟି ନକରି ମହାତ୍ମା ଗାନ୍ଧୀଙ୍କ ଅହିଂସା ମାର୍ଗରେ ଆମେମାନେ ପରିଚାଳିତ ହେଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ।
ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଖୋର୍ଦ୍ଧାର ପ୍ରାକ୍ତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ କହିଲେ ଦେବଭୂମି ଭାରତବର୍ଷରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାରତୀୟ ବୋଲି ଗର୍ବ କଲା ବେଳେ ଆମେ ଗୋଟିଏ ପୃଥିବୀ ମା’ର ସନ୍ତାନ ବୋଲି ଭାବିବା ସହ ଅହିଂସା ମାର୍ଗରେ ପରିଚାଳିତ ହେଲେ ବହୁ ସଫଳତାର ଅଧିକାରୀ ହୋଇପାରିବା । ଏଥିରେ ଅନୁଷ୍ଠାନର ସଭାପତି ଶ୍ରୀ ଚକ୍ରଧର ତ୍ରିପାଠୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ପରାମର୍ଶଦାତା ଡଃ ଭଗବାନ ପ୍ରକାଶ, ଜାତୀୟ ନିଶା ନିବାରଣ ଅଭିଯାନର ଆବାହକ ତଥା ପୂର୍ବତନ ବିଧାୟକ ଶ୍ରୀ ପଦ୍ମଚରଣ ନାୟକ, ବିଶିଷ୍ଟ ସମାଜସେବୀ ଶ୍ରୀ ତାରିଣୀ ପ୍ରସାଦ ମହାନ୍ତି, ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ବଳରାମ ତରାଇ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ବିଶ୍ୱକୁ ଭାରତବର୍ଷର ଶାନ୍ତି ଓ ସୌହାର୍ଦ୍ଦ୍ୟ ସ୍ଥାପନ ପାଇଁ ଅବଦାନ ଓ ଗାନ୍ଧିବାଦୀ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଡଃ ଭଗବାନ ପ୍ରକାଶଙ୍କୁ ମହାତ୍ମା ଗାନ୍ଧୀ ଆଦର୍ଶ ସମ୍ମାନ ଏବଂ ଶ୍ରୀ ପଦ୍ମଚରଣ ନାୟକଙ୍କୁ ଗୋପବନ୍ଧୁ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଏତଦ୍‌ବ୍ୟତୀତ ଏନ୍‌ଏସ୍‌ଏସ୍‌, ସ୍କାଉଟ, ଗାଇଡ୍‌, ରେଡ଼କ୍ରସ, ଏନ୍‌ସିସି, ମହିଳା ଓ ଶିଶୁ ବିକାଶ ଆଦି ଅନୁଷ୍ଠାନର ମୁଖ୍ୟମାନଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ସମ୍ମାନିତ କରାଯାଇଥିଲା । ସେହିପରି ଅନୁଷ୍ଠାନର ମୁଖାପାତ୍ର ଚତୁର୍ଦ୍ଧା ଓ କେତେକ ପ୍ରତିଷ୍ଠିିତ କବିଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା ।ସଭାର ପ୍ରାରମ୍ଭରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହେବା ସହ ବିଭିନ୍ନ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ