ବିଶ୍ୱ ସୁନାମୀ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ବିଶ୍ୱ ସୁନାମୀ ଦିବସ ପାଳନ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୫ ତାରିଖରେ ପାଳିତ ହେବାକୁ ଥିବା ବିଶ୍ୱ ସୁନାମୀ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବତୀଘର ପଞ୍ଚାୟତ କଜଳପାତିଆ, ସୁନିତି ଗ୍ରାମ ପଞ୍ଚାୟତର କଣ୍ଟିଲୋ, ଲାଞ୍ଜୁଡା ଗ୍ରାମ ପଞ୍ଚାୟତର ତନ୍ତିଆପାଳ ଶାସନ ଏବଂ ରାଜନଗର ବ୍ଲକ ଅନ୍ତର୍ଗତ ହାତିନା ଗ୍ରାମ ପଞ୍ଚାୟତର କଇଥା, ଡେରା ଗ୍ରାମ ପଞ୍ଚାୟତର ଚିଞ୍ଚିରି ଗ୍ରାମରେ ସୁନାମୀ ମକ୍ ଏକ୍ସରସାଇଜ୍ କରାଯିବ । କେନ୍ଦ୍ରାପଡା ଜିଲ୍ଲାର ଏ ସବୁ ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମ ଗୁଡିକ ସୁନାମୀ ପ୍ରବଣ ଗ୍ରାମ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ବିବେଚନା କରାଯାଉଥିବାରୁ ସେଠାରେ ଜନସଚେତନତା ସୃଷ୍ଟି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିପର୍ଯ୍ୟୟ ସମୟରେ ସୁନାମୀ ପ୍ରବଣ ଗ୍ରାମ ଗୁଡିକର ପ୍ରଭୃତ କ୍ଷୟକ୍ଷତି ହୋଇଥାଏ । ରାଜ୍ୟ ସରକାରଙ୍କ ଶୂନ୍ୟ ମୃତ୍ୟୁହାର ବାର୍ତ୍ତାକୁ ସଫଳ କରିବା ଓ ଧନ ଜୀବନ ରକ୍ଷା କରିବା ଏବଂ ବିପଦ ସମୟରେ କିଭଳି ବିପର୍ଯ୍ୟୟକୁ ସାମ୍ନା କରିବାକୁ ପଡିବ ସେହି ବିଷୟରେ ଲୋକମାନଙ୍କୁ ସଚେତନ କରିବା ମକ୍ ଏକ୍ସରସାଇଜର ମୂଳ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ରାଜନଗର ଓ ମହାକାଳପଡାର ସମ୍ପୃକ୍ତ ବିଡିଓ ଓ ତହସିଲଦାରମାନେ ମକ ଏକ୍ସରସାଇଜ ସମୟରେ ଉପସ୍ଥିତ ରହିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ପୋଲିସ ପ୍ରଶାସନ, ଅଗ୍ନିଶମ ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ, ଜନ ପ୍ରତିନିଧି, ଗ୍ରାମ ମୁଖିଆ, ଆପଦ ମିତ୍ର, ଅଙ୍ଗନୱାଡି କର୍ମୀ ଓ ସମ୍ପୃକ୍ତ ଅଞ୍ଚଳର ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏ ବୈଠକରେ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନିତା ପଟ୍ଟାନାୟକ, ଡେପୁଟି କଲେକ୍ଟର ଶିବାଶିଷ ପରିଡା, ଜରୁରୀକାଳୀନ ଅଧିକାରୀ ଜୟନ୍ତ କୁମାର ରାଉତରାୟ, ଡିଆଇବି, ଡିଏସପି ଲକ୍ଷ୍ମୀ ନାରାୟଣ ତିୱାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବିଭିନ୍ନ ବ୍ଲକର ବିଡିଓ ଏବଂ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।