ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତାରେ କେନ୍ଦ୍ରାପଡା କ୍ରୀଡାବୀତ ଚମ୍ପିୟନ
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): ଆସାମର ଗୈାହାଟୀ ସହରସ୍ଥିତ ଜିଲ୍ଲା ପାଠାଗାର ଅଡିଟୋରିୟମ ହଲରେ ୱାର୍ଲଡ ଫିଟନେସ ଫେଡେରେସନ ଆନୁକୁଲ୍ୟରେ ଗତ ଶନିବାର ଆୟୋଜିତ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତାରେ କେନ୍ଦ୍ରାପଡାର କ୍ରୀଡାବୀତ ଦିବାକର ଗୋଛାୟତ ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରି କେନ୍ଦ୍ରାପଡା ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଗ୍ରାମର ବାବାଜୀ ଗୋଛାୟତ ଓ ରଙ୍ଗଲତା ଗୋଛାୟତଙ୍କ କନିଷ୍ଠ ପୁତ୍ର ଦିବାକର କଟକସ୍ଥିତ ଷ୍ଟାର୍କ ଜିମରେ ବର୍ତ୍ତମାନ ଅଭ୍ୟାସରତ ଅଛନ୍ତି । ୧୭୦ସେମି.ରୁ କର୍ମ ବର୍ଗର ପ୍ରତିଯୋଗୀ ଦିବାକର ଓଡିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ଯୋଗଦେଇ ଭାରତରୁ ପ୍ରୋ-କାର୍ଡ ବିଜେତା ଘୋଷିତ ହୋଇ ଆଗାମୀ ଜୁନ ମାସରେ ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁଥିବା ‘ମିଷ୍ଟର ୱାର୍ଲଡ’ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଚୟନ ହୋଇ ସମଗ୍ର ଦେଶ ପାଇଁ ଗୈାରବ ଆଣିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଦିବାକର ପୂର୍ବରୁ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି “ମିଷ୍ଟର ଏସିଆ”, “ମିଷ୍ଟର ଇଣ୍ଡିଆ”, “କଳିଙ୍ଗ କୁମାର” ପ୍ରଭୃତି ଉପାଧି ପାଇବା ସହ ଜାତୀୟ ସ୍ତରରେ ୫ଟି ସ୍ୱର୍ଣ୍ଣ ଓ ୭ଟି ରୈାପ୍ୟ ପଦକ ପାଇସାରିଛନ୍ତି । ତାଙ୍କର ଏହି ସଫଳତାରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।


