ବିଶ୍ୱ ସ୍ୱଚ୍ଛତା ଦିବସ ଅବସରରେ ସଫେଇ କାର୍ଯ୍ୟକ୍ରମ
ଜାତୀୟ କାର୍ଯ୍ୟାଳୟର ଆହ୍ୱାନ କ୍ରମେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ବିଶ୍ୱ ସ୍ୱଚ୍ଛତା ଦିବସ ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ପୁରୁଷୋତ୍ତମ କ୍ଷେତ୍ରର ମହୋଦଧି କୂଳରୁ ଶୁଭାରାମ୍ଭ କରାଯାଇଥିଲା । କର୍ଣ୍ଣାଟକ ରାଜ୍ୟ ସ୍କାଉଟସ୍ ଗାଇଡସ୍ର ମୁଖ୍ୟ କମିଶନର, ଜାତୀୟ କାର୍ଯ୍ୟାଳୟର ବରିଷ୍ଠ ଉପସଭାପତି ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ମୁଖ୍ୟ କମିଶନର ଶ୍ରୀ କାଳିପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି କର୍ଣ୍ଣାଟକ ରାଜ୍ୟ ସ୍କାଉଟ ଗାଇଡ୍ର ମୁଖ୍ୟ କମିଶନର ଶ୍ରୀ ପି.ଜି.ଆର୍. ସିନ୍ଧିଆ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥିଭାବେ ପୁରୀ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂହ, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ଅଶୋକ ରଥ, ଜାତୀୟ କାର୍ଯ୍ୟାଳୟରୁ ଆସିଥିବା ଶ୍ରୀ ମଧୁସୁଦନ ଆଭାଲା, ଯୁଗ୍ମ ସମ୍ପାଦକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ୱଜିତ୍ ଘୋଷ ଏବଂ ଜିଲ୍ଲାର ବହୁ ବିଶିଷ୍ଟ ପଦାଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାରୁ ପ୍ରାୟ ୫୦୦ ରୁ ଊଦ୍ଧ୍ୱର୍ ସ୍କାଉଟ, ଗାଇଡ୍, ରୋଭର ଓ ରେଞ୍ଜରଙ୍କ ସମେତ ସେମାନଙ୍କର ୟୁନିଟ୍ ଲିଡର ଏବଂ ରାଜ୍ୟ ମୁଖ୍ୟାଳୟର ବହୁ କର୍ମଚାରୀ ଯୋଗଦେଇଥିଲେ । ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ କମିଶନର ଶ୍ରୀ ମିଶ୍ର ସ୍ୱାଗତ ଭାଷଣରେ ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ ମୁଖ୍ୟଅତିଥି ଶ୍ରୀ ପି.ଜି.ଆର୍. ସିନ୍ଧିଆ ସ୍ୱଚ୍ଛତା ବିଷୟରେ ଉପସ୍ଥିତ ଲୋକମାନଙ୍କୁ ନିଜର ବକ୍ତବ୍ୟରେ ଅବଗତ କରାଇଥିଲେ । ତତ୍ପରେ ଉପସ୍ଥିତ ସମସ୍ତ ସ୍କାଉଟ ଓ ଗାଇଡ୍ ପୁରୀ ବେଳାଭୂମିରେ ଭରି ରହିଥିବା ପ୍ଲାଷ୍ଟିକ୍ ଓ ପଲିଥିନ୍ ଜାତୀୟ ଆବର୍ଜନାକୁ ସଫା କରିଥିଲେ । ପ୍ଲାଷ୍ଟିକ୍ ପଦାର୍ଥ ଦ୍ୱାରା ସମୁଦ୍ର ଜଳର ପ୍ରଦୂଷଣକୁ ଅବରୋଧ କରିବା ପାଇଁ ଏହି ବିଶ୍ୱ ସ୍ୱଚ୍ଛତା ଦିବସର ମୂଳ ଲକ୍ଷ୍ୟ ।


