ବିଷାକ୍ତ ଦେଶୀମଦ ପ୍ରସ୍ତୁତ ଘଟଣା ଫେରାର ମା ଓ ପୁଅକୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ବନ୍ଥପଲ୍ଲି ନିକଟ ବେଲପଡ଼ା ଗ୍ରାମରେ ବିଷାକ୍ତ ଦେଶୀମଦ ପ୍ରସ୍ତୁତ କରୁଥିବା ଘଟଣାରେ ଫେରାର ଥିବା ଗ୍ରାମର ମନାସ ମଲ୍ଲିକ ଏବଂ ତାଙ୍କ ପୁଅ କ୍ରିଷ୍ଣା ମଲ୍ଲିକଙ୍କୁ ତଦନ୍ତକାରୀ ଅଧିକାରୀ ତଥା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଗିରଫ କରି ବ୍ରହ୍ମପୁର ସଦର କୋର୍ଟକୁ ଚାଲାଣ କରିଛନ୍ତି।ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ ଜେନାପୁର ଗାଁ ରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ପରେ ଗତ ଅଗଷ୍ଟ ୨୨ ତାରିଖ ଅପରାହ୍ନ ପ୍ରାୟ ୩ ଟାରେ ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ବନ୍ଥପଲ୍ଲି, ଅନନ୍ତେଇ, ଜିନିଗୁଡ଼ା,କୁମ୍ଭଝରି, ବନ୍ଧାଗୁଡ଼ା ପ୍ରଭୃତି ଇଲାକାରେ ଚୋରା ମଦ ଜବତ ପାଇଁ ଧରପଗଡ କରୁଥିବା ବେଳେ ବେଲପଡ଼ା ଗ୍ରାମର ମନାସ ତାଙ୍କ ଘର ବାରି ପଟେ ଚୋରା ରେ ଦେଶୀମଦ ପ୍ରସ୍ତୁତ କରୁଥିବା ଖବର ପାଇ ଚଢାଉ କରିଥିଲେ।ପୁଲିସ ଟିମ୍ କୁ ଦେଖି ମନାସ ଏବଂ ତାଙ୍କ ପୁଅ ଘର ପଛ ପଟେ ଥିବା ଘଞ୍ଚ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ।ପୁଲିସ ମନାସ ଙ୍କ ଘରୁ ପ୍ରାୟ ୨ ଶହ ଲିଟର ମଦ ପୋଚ,ରନ୍ଧା ଦେଶୀମଦ, ମଦ କୁ ଅଧିକ ନିଶାଯୁକ୍ତ କରିବା ପାଇଁ ବ୍ୟବହୃତ ଜଙ୍ଗଲି ଚେରମୂଳି ଏବଂ ବିଭିନ୍ନ ମଦ ପ୍ରସ୍ତୁତି ସରଞ୍ଜାମ ଜବତ କରି ଥାନାରେ ଏତଲା ଦେଇଥିଲେ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।ପୂର୍ବରୁ ଏହି ମାମଲାରେ ପୁଲିସ ଅଭିଯୁକ୍ତ ସିମାଞ୍ଚଳ ମଲ୍ଲିକ ଏବଂ ପଦ୍ମଚରଣ ମଲ୍ଲିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।