ବିସ୍ତାପିତଙ୍କ ମୌଳିକ ସମସ୍ୟା ଉପରେ ସମୀକ୍ଷା କଲେ ପିସିସି ସଭାପତି
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ବ୍ଲକ ବାସୁଦେବପୁର ଠାରେ ନିର୍ମାଣଧିନ ଓଡିଶାର ଦ୍ୱିତୀୟ ବୃହତମ ନଦୀବନ୍ଧ ଯୋଜନା କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ବିସ୍ତାପିତଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମୀକ୍ଷା କରିବାକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନ ୧୦ଟା ବେଳେ ଝୁମ୍ପୁରା ବ୍ଲକ ଓ ଯୋଡା ବ୍ଲକ ର ବିଭିନ୍ନ ବିସ୍ତାପିତ ଅଂଚଳକୁ ଗସ୍ତରେ ଆସିଥିଲେ । ପ୍ରଥମେ ସଭାପତି ପଟ୍ଟନାୟକ ସର୍ବପ୍ରଥମେ ଝୁମ୍ପୁରା ବ୍ଲକ ର ଆଙ୍ଗୁଳିଆ, ନାରଦପୁର ଓ ଯୋଡା ବ୍ଲକ ର ଶଙ୍କରପୁର, ଧବାକୁଚୁଡା, ବିରକଳା, ଧୋବଲା ବେଡା, ମୁକୁନ୍ଦପୁର ପ୍ରଭୃତି ଅଂଚଳକୁ ଗସ୍ତରେ ଯାଇ ବିସ୍ତାପିତଙ୍କ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପିସିସି ସଭାପତିଙ୍କ ସହ ଜିଲ୍ଲା ସଭାପତି ବିପ୍ଳବ ମିଶ୍ର, କଂଗ୍ରେସ ନେତା ଯଦୁମଣି ବାରିକ, ଅଶୋକ କୁମାର ଠକ୍କର, ରାଜ୍ୟ ଦଳିତ ମଂଚ ସଭାପତି ବିଦ୍ୟାଧର ଦେହୁରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ନାଏକ ପ୍ରମୁଖଙ୍କ ସହ କାନପୁର ବିସ୍ତାପିତ ଅର୍ଜୁନ ବେହେରା, ଜଗଦିଶ ବାରିକ ଓ ବହୁଦଳୀୟ କର୍ମୀ ଉପସ୍ଥିତ ଥିଲେ । ଏହି ସମୟରେ ବିସ୍ତାପିତ ମାନେ ପୂନର୍ବାସ ଥଇଥାନ କଲୋନୀରେ ରହିଥିବା ବିଭିନ୍ନ ସମସ୍ୟା ଯଥା- ସ୍କୁଲ ଗୃହ, ପଖୋରୀ, ପାନୀୟ ଜଳ ବ୍ୟବସ୍ଥା, ଶବ ସତ୍କାର ନିମନ୍ତେ ଗୋଚର ଜମି ନଥିବା ବିଭିନ୍ନ ସମସ୍ୟା ଉପରେ ଏକ ଲିଖିତ ଦାବୀପତ୍ର ପିସିସି ସଭାପତିଙ୍କୁ ପ୍ରଦାନ କରିଥିଲେ । ଏହାପରେ ପିସିସି ସଭାପତି ପଟ୍ଟନାୟକ ଚମ୍ପୁଆ ଗସ୍ତରେ ଯାଇ ଉପଜିଲ୍ଲାପାଳଙ୍କ ସହ ବିସ୍ତାପିତଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।


