ବିସ୍ଫୋରଣରେ ବଳଙ୍ଗାଥାନା ଧୂଳିସାତ
ନିମାପଡ଼ା ( ସନ୍ତୋଷ ଦାଶ ): ଗତକାଲି ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ବିସ୍ଫୋରଣ ଘଟି ଥାନା କାର୍ଯ୍ୟାଳୟ ଭାଙ୍ଗି ଚୁରମାର ହୋଇଯାଇଥିବା ଜଣାପଡ଼ିଛି। ଏଥିରେ କେ଼ହି ମୃତାହତ ହୋଇନଥିବାବେଳେ ସମସ୍ତ ଆସବାବପତ୍ର ଓ କାର୍ଯ୍ୟାଳୟ ଉପକରଣ ନଷ୍ଟ ହୋଇଯାଇଛି।ଘଟଣାରୁ ପ୍ରକାଶଯେ ଗତକାଲି ରାତି ୧୨ଟାରୁ ୧ଟା ମଧ୍ୟରେ ବଳଙ୍ଗା ଥାନା ନିକଟରେ ପ୍ରଚଣ୍ଡ ଶବ୍ଦ କରି ଏକ ବିସ୍ଫୋରଣ ହୋଇଥିଲା। ପରେ ଥାନା ପରିସର ଧୂଆଁ ମୟ ହୋଇଯାଇଥିଲା।ଥାନାରେ ରାତ୍ରି ଡିଉଟିରେ ଥିବା କନେଷ୍ଟବଳ ଭୟରେ ଜୀବନ ବଞ୍ଚାଇବାକୁ ବାହାରକୁ ଦୈାଡି ପଳାଇ ଆସି ଡାକପକାଇଥିଲା।ମାତ୍ର ନିଆଁ ଲାଗି ତାହା ଚାରିଆଡକୁ ବ୍ୟାପିବା ପୂର୍ବରୁ ମୂଷଳଧାରାରେ ବର୍ଷା ଆରମ୍ଭ ହୋଇଥିଲା। ବିସ୍ଫୋରଣର ଶଦ୍ଦ ଏତେ ଭୟଙ୍କର ଥିଲା ଯେ ଥାନା ପରିସର ଥରିଉଠିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ବିଳମ୍ବିତ ରାତିରେ ଭାରପ୍ରାପ୍ତ ଅଧିକାରୀ ରଶ୍ମୀରଂଜନ ପୃଷ୍ଟିଙ୍କ ଠାରୁ ଖବର ପାଇ ପିପିଲି ପୋଲିସ ଉପଖଣ୍ଡ ଅଧିକାରୀ ଦେବଦତ୍ତ ବରାଳ, ଆରକ୍ଷୀ ଅଧିକ୍ଷକ ଡାକ୍ତର କନୱର ବିଶାଲ୍ ସିଂ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଆଜି ସକାଳେ ରେଞ୍ଜ ଆଇ.ଜି ନରସିଂହ ଭୋଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିମାପଡ଼ା ପୋଲିସ ଉପଖଣ୍ଡ ଅଧିକାରୀ ଦେବାଶିଷ ମିଶ୍ର ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଭାଜପାନେତ୍ରୀ ପ୍ରଭାତି ପରିଡ଼ା ଓ ଭାଜପା ଯୁବନେତା ଓମପ୍ରକାଶ ମିଶ୍ର ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। କେଉଁ ପରିସ୍ଥିତିରେ ଓ କିପରି ବିସ୍ଫୋରଣ ଘଟିଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ରେଞ୍ଜ ଆଇ.ଜି ଶ୍ରୀଯୁକ୍ତ ଭୋଳ କହିଛନ୍ତି।ଏବେ ଅସ୍ଥାୟୀ ଭାବେ ଟେଣ୍ଟ ପକାଯାଇ ଥାନା କାର୍ଯ୍ୟାଳୟ ଚାଲିବବୋଲି ଜଣାପଡିଛି।


