ବିହାର ରାଜନୀତିର ନୂଆମୋଡ !

ବିହାର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ସମସ୍ତ ୭ଜଣ ବିଜେପି ମନ୍ତ୍ରୀ ସାମିଲ ହେବା ଘଟଣା କେବଳ ଦଳ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜେଡି (ୟୁ) ସହ ମେଂଟ ସ୍ପଷ୍ଟ କରୁନାହିଁ, ମେଂଟର ଦଳର ବଡ ଭାଇ ପଣିଆକୁ ସ୍ପଷ୍ଟ କରୁଛି ବୋଲି ନିସନ୍ଦେହରେ କୁହାଯାଇପାରିବ । ବିହାରର ୩୬ଜଣିଆ ସଦସ୍ୟ ବିଶିଷ୍ଟ ମିଳିତ ମନ୍ତ୍ରୀମଣ୍ଡଳରେ ବିଜେପିର କେବଳ ୨୧ଜଣ ସଦସ୍ୟ ଥିବାବେଳେ ଜେଡିୟୁର ୧୩ଜଣ, ହିନ୍ଦୁସ୍ଥାନ ଆଓାମୀମୋର୍ଚ୍ଚାର ଜଣେ ଏବଂ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ଆଉ କିଛି ମାସ ମାତ୍ର ବିଧାନସଭା ନିର୍ବାଚନ ବାକିଥିବାବେଳେ ବିଜେପି ଜେଡିୟୁକୁ ସ୍ପଷ୍ଟ ସଂକେତ ଦେଇଛି ଯେ, ଏବେ ଏହା ବରିଷ୍ଠ ଅଂଶୀଦାର ଭାବେ କାର୍ଯ୍ୟ କରିବ । କହିବା ବାହୁଲ୍ୟ ଯେ, ବିଜେପିର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ସହ ସାକ୍ଷାତ ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିମଧ୍ୟରେ ବିହାରରେ ବସ୍ତୁତଃ ନିର୍ବାଚନ ପ୍ରଚାର ନିଜ ଷ୍ଟାଇଲରେ ଶୁଭାରମ୍ଭ କରି ସାରିଛନ୍ତି । ଏହା ନିସନ୍ଦେହ ଯେ, ୨୦୨୦ ବିଧାନସଭା ନିର୍ବାଚନ ଏକ ଟର୍ଣ୍ଣିଙ୍ଗପଏଂଟ ଥିଲା । ଜେଡିୟୁ ୧୧୫ଟି ଆସନରେ ପ୍ରତିନ୍ଦ୍ୱିତା କରି ୪୩ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୧୧୦ଟି ଆସନରେ ଲଢେଇ କରି ୭୪ଟି ଆସନରେ ବିଜୟୀ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଗତ ଚାରି ଦଶନ୍ଧି ଧରି ନୀତିଶ ବିହାର ରାଜନୀତିରେ ନିଜ ପ୍ରଭାବର ଦବ୍‌ଦବା ବଜାୟ ରଖିଥିବାବେଳେ ଗତ ୨୦୨୦ ନିର୍ବାଚନରେ ବିଜେପି ନିକଟରେ ପ୍ରଭାବହୀନ କେବଳ ହୋଇନାହାଁନ୍ତି, ମେଂଟରେ ଜୁନିୟର ଦଳ ହୋଇଯାଇଛନ୍ତି । ଏହା ପୂର୍ବରୁ ୨୦୨୫ ନିର୍ବାଚନରେ ଜେଡିୟୁ-ଆରଜେଡି ମେଂଟ ନିର୍ବାଚନରେ ମଧ୍ୟ ନିତୀଶ ନିଜର ଦବ୍‌ଦବା ହରାଇଥିଲେ । ଏହା ସତ୍ୱେ ସେ ବିହାରରେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିଲେ । ଗତ ନିର୍ବାଚନରେ ବିଜେପି ସିନିୟର ଅଂଶୀଦାର ହେବା ସତ୍ୱେ ନିତୀଶ ଜୁନିୟର ଅଂଶୀଦାର ହୋଇ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ଏହା ନିସନ୍ଦେହ ଯେ, ନୀତିଶ ଏବେ ବି ପଛୁଆ ବର୍ଗ ଭୋଟଦାତାଙ୍କ ମସିଆ’ ହୋଇ ରହିଛନ୍ତି । ଯାହାକି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାରେ ସହାୟକ ହୋଇଛି ବୋଲି କୁହାଯାଇପାରେ । ୭୩ବର୍ଷ ବୟସ୍କ ନୀତିଶ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ (୭୪) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ(୭୬)ଙ୍କ ଠାରୁ ସାନ ଅଟନ୍ତି । ଗଲା ଦୁଇ ଦଶନ୍ଧି ଧରି ବିହାରର ମୁଖ୍ୟମନ୍ତ୍ରୀ ଆସନରେ ଥିବା ନୀତିଶ ଆସନ୍ତା ନିର୍ବାଚନରେ ନିଜ ପଦବୀ ବଂଚାଇ ରଖିବେ କି ନାହିଁ, ତାହା କହିବା ମଧ୍ୟ ଅତ୍ୟନ୍ତ ତରବରିଆ ହୋଇପାରେ । ବର୍ତମାନ ସୁଦ୍ଧା ବିଜେପି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ନାମ ପୁଣି ଥରେ ଉପସ୍ଥାପିତ କରିନାହିଁ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ବରିଷ୍ଠ ନେତୃବର୍ଗ ଅସମ୍ଭବ ନୀରବତା ଅବଲମ୍ବନ କରିଛନ୍ତି । ମନ୍ତ୍ରୀମଣ୍ଡଳରେ ଥିବା ବିଜେପିର ସଦସ୍ୟ ଜାତି, ସଂପ୍ରଦାୟ ଓ ବର୍ଗକୁ ପ୍ରାଧାନ୍ୟ ଦେଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଥିବା ସତ୍ୱେ ନୀତିଶ ହସ୍ତକ୍ଷେପ କରିପାରିନାହାଁନ୍ତି । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଦଳ ନିଜ ନିର୍ଭରଶୀଳତା ମଧ୍ୟ ହ୍ରାସ କରି ନିଜେ ନିଜେ ନିଷ୍ପତି ନେଇଛି । ଆହୁରି ମଧ୍ୟ ନୀତିଶଙ୍କ ଉପରେ ନିର୍ଭର ନକରି ବିଜେପି ନିଜେ ନିଜର ଅଂଶୀଦାର ଯୋଗାଡ କରିଛି । ମେଂଟ ଦଳଗୁଡିକର ସହାୟତାରେ ବିଜେପି ନବାଗତ ଭୋଟଦାତାଙ୍କ ସହ ସିଧାସଳଖ ଯୋଡି ହୋଇ ନିଜେ ନିଜର ସଂଗଠନକୁ ବଢାଇ ଚାଲିଛି । ଉଲ୍ଳେଖଯୋଗ୍ୟ ଯେ, ନିକଟରେ ମହାରାଷ୍ଟ୍ରରେ ଶିବ ସେନାର ମୁଖ୍ୟମନ୍ତ୍ରୀଙ୍କୁ ହଟାଇ ନିଜ ଦଳରୁ ଜଣକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାରେ ସମର୍ଥ ହୋଇଛି । ଏବେ ବିହାରରେ ଏହାର ପୁନରାବୃତି ଘଟିବା କିଛି ଅସମ୍ଭବ ନୁହେଁ । ଅତୀତରେ ନୀତିଶ ମେଂଟ ବଦଳ କରି ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିବା ବେଳେ ଏଥର କିନ୍ତୁ ଅସହାୟ ହୋଇପଡିଥିବା କୁହାଯାଇପାରେ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ